୧୯ରେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି


ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତମାସ ୧୯ତାରିଖ ଦିନ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ଦାରୁବ୍ରହ୍ମଙ୍କୁ ଦର୍ଶନ କରିବେ। ଶ୍ରୀ କୋବିନ୍ଦଙ୍କ ଦୁଇଦିନିଆ ପୁରୀଗସ୍ତ କାର୍ଯ୍ୟକ୍ରମ ଶୁକ୍ରବାର ଚୂଡାନ୍ତ ହୋଇଛି। ୨୦ତାରିଖ ଦିନ ଶରଧାବାଲିରେ ହେବାକୁ ଥିବା ଶ୍ରୀମଦ୍‌ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀ ସମାରୋହରେ ରାଷ୍ଟ୍ରପତି ଯୋଗଦାନ କରିବେ। ଏହାଛଡା ଚୈତନ୍ୟ ଗୌଡୀୟ ମଠକୁ ଯାଇ ଭକ୍ତି ସିଦ୍ଧାନ୍ତଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବା କାର୍ଯ୍ୟକ୍ରମ ରହିଛି। ୧୯ତାରିଖ ଦିନ ୨ଟା ୪୫ରେ ରାଷ୍ଟ୍ରପତି ଦମ୍ପତି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ। ସେନାବାହିନୀର ହେଲିକପ୍ଟର ଯୋଗେ ସେ ପୁରୀ ତାଳବଣିଆ ହେଲିପ୍ୟାଡ ଯାଇ ସେଠାରେ ଅପରାହ୍ଣ ୩ଟା ୨୫ରେ ଅବତରଣ କରିବେ। ସମୁଦ୍ରକୂଳ ନିକଟସ୍ଥ ଏକ ହୋଟେଲରେ ରାଷ୍ଟ୍ରପତି ଅବସ୍ଥାନ କରିବା ବ୍ୟବସ୍ଥା ହୋଇଛି। ସେହିଦିନ ଅପରାହ୍ଣ ୫ଟାରେ ଶ୍ରୀ କୋବିନ୍ଦ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଶ୍ରୀମନ୍ଦିର ଭିତରେ ସେ ୪୫ମିନିଟ ରହିବା କାର୍ଯ୍ୟକ୍ରମ ରହିଛି। ଶ୍ରୀଜୀଉଙ୍କୁ ଦର୍ଶନ ପରେ ରାଷ୍ଟ୍ରପତି ହୋଟେଲକୁ ଫେରି ସେଠାରେ ରାତ୍ରିଯାପନ କରିବେ। ୨୦ତାରିଖ ଦିନ ୧୦ଟା ୩୫ରେ ଟାଉନ ଥାନା ନିକଟସ୍ଥ ଚୈତନ୍ୟ ଗୌଡୀୟ ମଠକୁ ଯାଇ ସେଠାରେ ଭକ୍ତି ସିଦ୍ଧାନ୍ତଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ଶରଧାବାଲିରେ ହେବାକୁ ଥିବା ଜୟନ୍ତୀ ସମାରୋହ ସମେତ ସାଧୁ ସମ୍ମିଳନୀରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଉପସ୍ଥିତ ରହିବେ। ସେଠାରେ ଶ୍ରୀ କୋବିନ୍ଦ ସାଧୁସନ୍ଥ ଏବଂ ଭକ୍ତଙ୍କୁ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ସାଧାରଣ ସଭାରୁ ଦିନ ୧୨ଟାରେ ବାହାରି ୧୨ଟା ୫ରେ ସେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ। ସେଠାରୁ ଭୁବନେଶ୍ବର ଦେଇ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ ପି. ପ୍ରବୀଣ ସିଦ୍ଧାର୍ଥ ଗୌଡୀୟ ମିଶନ ସମ୍ପାଦକ ବି.ପି. ପୁରୀ ମହାରାଜଙ୍କୁ ଚିଠି ଲେଖି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।


Share It

Comments are closed.