କିମ୍‍ସରେ ୬୧ ବର୍ଷୀୟ ରୋଗୀଙ୍କ ପ୍ରୋଷ୍ଟେଟ୍ କର୍କଟ ରୋଗର ସଫଳ ଚିକିତ୍ସା


ଭୁବନେଶ୍ୱର,୩ା୪: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ) ଭୁବନେଶ୍ୱରର ଡାକ୍ତରଙ୍କୁ ପ୍ରୋଷ୍ଟେଟ୍‍ କର୍କଟ ରୋଗ ଚିକିତ୍ସାରେ ମିଳିଛି ସଫଳତା। ଜଣେ ୬୧ ବର୍ଷୀୟ ରୋଗୀ ଅତ୍ୟାଧୁନିକ ଲାପାରୋସ୍କୋପିକ୍ ଅସ୍ତ୍ରୋପଚାର ମାଧ୍ୟମରେ ପ୍ରୋଷ୍ଟେଟ୍ କର୍କଟ ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଛନ୍ତି । ପୂର୍ବରୁ ଏଭଳି ରୋଗର ଚିକିତ୍ସା ପାଇଁ ରୋଗୀମାନଙ୍କୁ ବାହାର ରାଜ୍ୟକୁ ଯିବାକୁ ପଡୁଥିଲା ।

ଏହି ସଫଳ ଚିକିତ୍ସା ପରେ କିମ୍‌ସରେ ପ୍ରୋଷ୍ଟେଟ୍‍ କର୍କଟ ରୋଗ ଚିକିତ୍ସା ନିମନ୍ତେ ରୋଗୀଙ୍କ ମଧ୍ୟରେ ଆଶା ଜାଗ୍ରତ ହୋଇଛି । ଜନୈକ ବ୍ୟକ୍ତି ପ୍ରୋଷ୍ଟେଟ୍‍ ସମସ୍ୟା ନେଇ କିମ୍‌ସର ଆସୋସିଏଟ୍ ପ୍ରଫେସର ତଥା ୟୁରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ସୁମନ୍ତ ମିଶ୍ରଙ୍କ ନିକଟକୁ ଆସିଥିଲେ।

ଡା. ମିଶ୍ର ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ରୋଗୀଙ୍କଠାରେ ପ୍ରୋଷ୍ଟେଟ୍‌-ସ୍ପେସିଫିକ୍ ଆଣ୍ଟିଜେନ୍ (ପିଏସ୍‌ଏ) ଅଧିକ ଥିବା ଜାଣିବାକୁ ପାଇଥିଲେ । ତାଙ୍କର ପ୍ରୋଷ୍ଟେଟ୍‍ କର୍କଟ ଆଶଙ୍କା କରି ଟିଆରୟୁଏସ୍‌-ଗାଇଡେଡ୍ ପ୍ରୋଷ୍ଟେଟ୍ ବାୟୋପ୍‌ସି ଏବଂ ପିଏସ୍‌ଏମ୍‌ଏ ପେଟ୍‍-ସ୍କାନ୍ କରାଯାଇଥିଲା । ସେଥିରୁ ତାଙ୍କର ପ୍ରୋଷ୍ଟେଟ୍ କର୍କଟ ହୋଇଥିବା ଜଣାପଡ଼ିଥିଲା । ଏହା ଡାକ୍ତରଙ୍କ ଚିନ୍ତା ବଢ଼ାଇଥିଲେ ମଧ୍ୟ ଡା. ମିଶ୍ର ରୋଗୀଙ୍କ ଅତ୍ୟାଧୁନିକ ଲାପ୍ରୋସ୍କୋପିକ୍ ରେଡିକାଲ୍ ପ୍ରୋଷ୍ଟେଟେକ୍ଟୋମି ଅସ୍ତ୍ରୋପଚାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଅସ୍ତ୍ରୋପଚାର ମଧ୍ୟ କରିଥିଲେ । ଡା. ମିଶ୍ରଙ୍କ ନେତୃତ୍ୱରେ ଏକ ଡ଼ାକ୍ତରୀ ଦଳ ସ୍ୱତନ୍ତ୍ର ଲାପାରୋସ୍କୋପିକ୍ ରାଡିକାଲ୍ ପ୍ରୋଷ୍ଟେଟେକ୍ଟୋମି ପଦ୍ଧତିରେ ଅସ୍ତ୍ରୋପଚାର କରି ରୋଗୀଙ୍କଠାରେ ସଫଳତାର ସହ କର୍କଟ କୋଷ ସହିତ ପ୍ରୋଷ୍ଟେଟ୍ ଗ୍ରନ୍ଥିକୁ ସମ୍ପୂର୍ଣ୍ଣ ଭାବରେ ଅପସାରଣ କରିଥିଲେ ଏବଂ ମୂତ୍ରାଶୟକୁ ମୂତ୍ରନଳୀ ସହିତ ପୁନଃ ସଂଯୋଗ କରିଥିଲେ ।

ଲାପାରୋସ୍କୋପିକ୍ ଅସ୍ତ୍ରୋପଚାରର ଯୋଗୁଁ ରୋଗୀ ଶୀଘ୍ର ଆରୋଗ୍ୟ କରିଥିଲେ ଏବଂ ୪ ଦିନ ପରେ ଡାକ୍ତରଖାନାରୁ ଡିସ୍‍ଚାର୍ଜ ହୋଇଥିଲେ । ଏବେ ରୋଗୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ପରିସ୍ରା କରିବାରେ କୌଣସି ସମସ୍ୟା ନାହିଁ । ଲାପାରୋସ୍କୋପିକ୍ ରେଡିକାଲ୍ ପ୍ରୋଷ୍ଟେଟେକ୍ଟୋମି ପାଇଁ ଉନ୍ନତ ଲାପାରୋସ୍କୋପିକ୍‍ କୌଶଳ, ଉଚ୍ଚସ୍ତରର ଅସ୍ତ୍ରୋପଚାର ଦକ୍ଷତା ଏବଂ ଅତ୍ୟାଧୁନିକ ଉପକରଣ ଆବଶ୍ୟକ । ପୂର୍ବରୁ ଓଡ଼ିଶାରେ ଏଭଳି ଚିକିତ୍ସାର ଅଭାବ ଯୋଗୁଁ ରୋଗୀମାନେ ଚିକିତ୍ସା ପାଇଁ ରାଜ୍ୟ ବାହରକୁ ଯିବାକୁ ବାଧ୍ୟ ହେଉଥିଲେ । କିମ୍‌ସ କର୍କଟ କେନ୍ଦ୍ରରେ ଉପଲବ୍ଧ ଅତ୍ୟାଧୁନିକ ଉପକରଣ ଯଥା ପିଏସ୍‌ଏମ୍‌ଏ ପେଟ୍‍-ସ୍କାନ୍‌, ଟ୍ରସ୍ ଗାଇଡେଡ୍ ବାୟୋପ୍‌ସି ଏବଂ ଡା ମିଶ୍ରଙ୍କ ନେତୃତ୍ୱରେ ୟୁରୋଲୋଜିଷ୍ଟଙ୍କ ଏକ ଦକ୍ଷ ଦଳ ଯୋଗୁଁ ଏହି ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି ।

ପ୍ରୋଷ୍ଟେଟ୍ କର୍କଟ ପୁରୁଷଙ୍କଠାରେ ଦ୍ୱିତୀୟ ସର୍ବାଧିକ ସାଧାରଣ କର୍କଟ ଏବଂ କର୍କଟ ଜନିତ ମୃତ୍ୟୁରେ ଷଷ୍ଠ ସ୍ଥାନରେ ରହିଛି । ପ୍ରତି ୮ ପୁରୁଷଙ୍କ ମଧ୍ୟରୁ ଜଣଙ୍କ ନିକଟରେ ପ୍ରୋଷ୍ଟେଟ୍ କର୍କଟ ରୋଗ ହେବାର ସମ୍ଭାବନା ରହିଥାଏ ବୋଲି ଡା. ମିଶ୍ର କହିଛନ୍ତି । ପ୍ରୋଷ୍ଟେଟ କର୍କଟ ରୋଗର ପ୍ରାରମ୍ଭିକ ନିର୍ଣ୍ଣୟ ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା ରୋଗୀର ଜୀବନ ରକ୍ଷା କରାଯାଇପାରିବ । ଯଦି ଠିକ୍ ଭାବରେ ରୋଗ ନିର୍ଣ୍ଣୟ କରା ନଯାଏ, ତେବେ ଏହା ହାଡ଼ ଏବଂ ଅନ୍ୟାନ୍ୟ ଅଙ୍ଗରେ ମେଟାଷ୍ଟେସାଇଜ୍ ହୋଇପାରେ, ଯାହା ରୋଗୀର ଜୀବନକାଳକୁ ମଧ୍ୟ ଯଥେଷ୍ଟ ହ୍ରାସ କରିପାରେ ବୋଲି ଡା. ମିଶ୍ର କହିଛନ୍ତି । ଏହି ସଫଳ ଅସ୍ତ୍ରୋପଚାର ପାଇଁ କିଟ୍ କିସ୍ ଏବଂ କିମ୍‌ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡା. ମିଶ୍ର ଓ ତାଙ୍କ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି ।


Share It

Comments are closed.