ମୋବାଇଲ ବିସ୍ଫୋରଣ ଘଟି ଚାଲିଗଲା କଁଅଳ ଝିଅର ଜୀବନ


ବର୍ତ୍ତମାନ ସ୍ମାର୍ଟ ଯୁଗରେ ଛୋଟ ପିଲାମାନେ ବହୁ କମ୍ ବୟସରୁ ମୋବାଇଲ ଫୋନ ପରି ଅନେକ ସ୍ମାର୍ଟ ଡ଼ିଭାଇଜ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ । କିନ୍ତୁ ଏହି ସ୍ମାର୍ଟ ଫୋନ ବା ଡ଼ିଭାଇଜ ଯେ କେତେ କ୍ଷତିକରାକ ତାଙ୍କର ଏକ ଭୟାନକ ଘଟଣା ନିକଟରେ ସାମ୍ନାକୁ ଆସିଛି । ଭିଡ଼ିଓ ଦେଖୁଥିବା ବେଳେ ହାତରେ ମୋବାଇଲ ଫୁଟି ଜଣେ କୁନି ଝିଅର ମୃତ୍ୟୁ ହୋଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେରଳର ଥ୍ରସୁରରେ ଘଟିଛି । ମୃତ୍ୟୁବରଣ କରିଥିବା ଝିଅର ବୟସ ୮ ବର୍ଷ ଅଟେ । କୁନି ଝିଅର ନାଁ ଆଦିତ୍ୟାଶ୍ରୀ । ଏହି ଭୟଙ୍କର ଘଟଣା ସୋମବାର ରାତି ପ୍ରାୟ ୧୦.୩୦ ମିନିଟ୍ ରେ ଘଟିଥିଲା । ମୋବାଇଲ ଫାଟିବା ପରେ ଗୁରୁତର ଅବସ୍ଥାରେ ଆଦିତ୍ୟାଶ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନା ଅନୁଯାୟୀ, ଆଦିତ୍ୟଶ୍ରୀଙ୍କ ପିତାଙ୍କ ନାମ ଅଶୋକ କୁମାର ଅଟେ । ସେ ପୂର୍ବତନ ବ୍ଲକ ପଞ୍ଚାୟତ ସଦସ୍ୟ ଥିଲେ। ଆଦିତ୍ୟଶ୍ରୀ ଦୀର୍ଘ ସମୟ ଧରି ମୋବାଇଲରେ ଭିଡିଓ ଦେଖୁଥିଲେ। ଫଳରେରେ ମୋବାଇଲ ଫୋନ ଗରମ ହୋଇଯାଇଥିଲା । ବ୍ୟାଟେରୀ ଅତ୍ୟଧିକ ଗରମ ହେବା ପରେ ଏହି ବିସ୍ଫୋରଣ ଘଟିଥିବା କୁହାଯାଇଛି। ବିସ୍ଫୋରଣ ସମୟରେ ଆଦିତ୍ୟାଶ୍ରୀ ମୋବାଇଲ୍ ଫୋନକୁ ହାତରେ ଧରି ମୁହଁର ଅତି ନିକଟରୁ ସେ ଭିଡ଼ିଓ ଦେଖୁଥିଲେ । ମୋବାଇଲ ପରଦା ତାଙ୍କ ମୁହଁର ବହୁତ ନିକଟରେ ରହିଥିଲା । ଏହି କାରଣରୁ ବିସ୍ଫୋରଣ ହେବା ମାତ୍ରେ ଗୁରୁତର ହୋଇପଡ଼ିଥିଲେ । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏଥିରେ ଆଦିତ୍ୟାଶ୍ରୀଙ୍କର ଡ଼ାହଣ ଆଙ୍ଗୁଠି ଭାଙ୍ଗି ଯିବା ସହ ତାଙ୍କ ପାପୁଲି ଜଳି ଯାଇଥିଲା। ଏମିତି ତାଙ୍କ ମୁହଁ ମଧ୍ୟ ଜଳି ଯାଇଥିଲା। ଡାକ୍ତର କୁନି ଝିଅର ଜୀବନ ବଞ୍ଚାଇବାକୁ ବହୁ ଚେଷ୍ଟା କରିଥିଲେ କିନ୍ତୁ ଏସବୁ ସ୍ବତ୍ତେ ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରକାଶ ଥାଉ କି, ଆଦିତ୍ୟାଶ୍ରୀ ଥିରୁଭିଲୱାମଲାରେ ସ୍ଥିତ ଖ୍ରୀଷ୍ଟ ନ୍ୟୁ ଲାଇଫ ସ୍କୁଲର ତୃତୀୟ ଶ୍ରେଣୀର ଛାତ୍ରୀ ଥିଲେ ।

ବର୍ତ୍ତମାନ ସମୟରେ ଛୋଟ ଛୁଆ ଦୀର୍ଘ ସମୟ ଧରି ମୋବାଇଲ ଫୋନରେ ବ୍ୟସ୍ତ ରହୁଛନ୍ତି । ପରିବାର ଲୋକେ ଖାସ କରି ମାତା ଓ ପିତା ନିଜ କାମ ହାଲୁକା କରିବା ଲାଗି ଅନେକ ସମୟରେ ପିଲାକୁ ଫୋନରେ ଗେମ ଖେଳିବାକୁ ଦେଇଥାଆନ୍ତି । ଫଳରେ ଖେଳିବା ବୁଲିବା ବୟସରେ ସେମାନେ ଫୋନ ପ୍ରତି ଅଧିକ ଆକୃଷ୍ଟ ହୋଇଥାଆନ୍ତି । ଏହାଦ୍ବାରେ ବିଭିନ୍ନ ସମୟରେ ଅନେକ ଅଘଟଣ ସାମ୍ନାକୁ ଆସିଥାଏ । ମୋବାଇଲରେ ଗେମ ଖେଳିବାକୁ ମାଆ ଓ ବାପା ଆକଟ କଲେ ଅନେକ ସମୟରେ ଛୋଟ ଛୁଆ ଆତ୍ମହତ୍ୟା କରିବା ଭଳି ଅନେକ ଘଟଣା ମଧ୍ୟ ପୂର୍ବରୁ ସାମ୍ନାକୁ ଆସିଛି । କୋଭିଡ଼ ସମୟରେ ଅନଲାଇନ କ୍ଲାସ ହେବା ଫଳରେ ପିଲାଙ୍କ ମଧ୍ୟରେ ପୂର୍ବ ଅପେକ୍ଷା ବର୍ତ୍ତମାନ ଫୋନ ବ୍ୟବହାର ଅଧିକ ବଢିଯାଇଛି । ତେବେ ଏନେଇ ପରିବାର ଲୋକେ ବେଶ ଯତ୍ନବାନ ହେବା ଉଚିତ୍ ।


Share It

Comments are closed.