ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ଭୋଟ୍ ଭିକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ମେ ୭ ତାରିଖ ରବିବାର ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଝିଲିପାଲି ପଞ୍ଚାୟତରେ ଅନୁଷ୍ଠିତ ଜନସମାବେଶରେ ଯୋଗଦେବା ସହ ଝାରସୁଗୁଡା ସହର ବସଷ୍ଟାଣ୍ଡ ଠାରେ ଆୟୋଜିତ ରୋଡ ସୋ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ଭୋଟ୍ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଶିଳ୍ପ ସମୃଦ୍ଧ ଝାରସୁଗୁଡା ଜିଲ୍ଲାରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟା ଘଟଣାର କାରଣ ଜଣାନପଡିବା ଏବଂ ନାବଳକ ସମର୍ଥ ଅଗ୍ରଓ୍ୱାଲର ଅପହରଣ ଏବଂ ହତ୍ୟା ହେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉତ୍ତର ନ ରଖିବା ରାଜ୍ୟରେ ଶାସନ ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରୁଛି। ଆଜି କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ରାଜ୍ୟର ସମ୍ପତ୍ତିକୁ ଲୁଟ୍ କରିବା ପାଇଁ ଚାହୁଁଛନ୍ତି। ଓଡ଼ିଶା ବିରୋଧୀ ଶକ୍ତି ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି କଥା କହୁଛନ୍ତି। କଳାପାହାଡିଆ ରାଜ୍ୟର ଯୁବକ, ସ୍ୱାର୍ଥ ଏବଂ ସୁରକ୍ଷାକୁ ନିଜ ଢଙ୍ଗରେ ଚଳାଇବା ପାଇଁ ଷଡଯନ୍ତ୍ର କରୁଛନ୍ତି। ଓଡ଼ିଶାକୁ ଭୂଲୁଣ୍ଠିତ କରିବାର ଷଡଯନ୍ତ୍ର କରାଯାଉଛି।

ଓଡ଼ିଶାରେ ସ୍ଥାଣୁ, ଅପାରଗ ଏବଂ ଲୋକବିରୋଧୀ ଶାସନ ଚାଲିଛି। ଅସମାଜିକ ତତ୍ତ୍ୱ ଓଡ଼ିଶାରେ ଆସି ରହୁଛନ୍ତି। ଏଠି ଅପରାଧୀଙ୍କୁ କିଏ ସୁରକ୍ଷା ଯୋଗାଇ ଦେଉଛି? ଗୁଡ୍ଡୁ ମୁସଲିମ ବରଗଡ଼ରେ ଆସି କାହା ସାହସରେ ଲୁଚିରହିଲା? ରାଜା ଖାନ କିଏ? ରାଜା ଖାନର ବ୍ୟବସାୟିକ ସମ୍ପର୍କ ବିଜେଡିର ପ୍ରଭାବଶାଳୀ ନେତାଙ୍କ ସହ ରହିଥିବାର ଖବର ଆସୁଛି। ଏହା ଆଜିର ପ୍ରସଙ୍ଗ ହୋଇଛି। ମୋତେ ଯାହା ଲାଗୁଛି ମୁଖ୍ୟମନ୍ତ୍ରୀ ଏନେଇ ଅବଗତ ନ ଥିବେ। ମୁଁ ଯେତିକି ଜାଣିଛି ମୁଖ୍ୟମନ୍ତ୍ରୀ ଜାଣୁଥିଲେ ଏପରି ଘଟୁ ନ ଥାନ୍ତା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ଯେଉଁମାନେ ସମ୍ବଲପୁରରେ ଅଶାନ୍ତି କଲେ ସେମାନେ ଝାରସୁଗୁଡାକୁ ଅଶାନ୍ତି କରିବା ପାଇଁ ଚେଷ୍ଟା କରୁଛନ୍ତି। ମଙ୍ଗଲ ବଜାର ସଂଖ୍ୟାଲଘୁ ସମ୍ପ୍ରଦାୟ ଅଞ୍ଚଳରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ଯେଉଁଭଳି ଭାବରେ ବିରୋଧ କରାଗଲା ଏବଂ ଷଡ଼ଯନ୍ତ୍ର ହେଳା ତାହାର ଲିଙ୍କ୍ ଗୁଡ଼ୁ ମୁସଲିମ୍ ସହିତ ଅଛି। ଝାରସୁଗୁଡାର ମଙ୍ଗଲ ବଜାରରେ ଯେଉଁମାନେ ପ୍ରଶାସନର ଉପସ୍ଥିତିରେ ଗଣ୍ଡଗୋଳ କଲେ ସେମାନଙ୍କ ସମ୍ପର୍କ ସମ୍ବଲପୁରର ଦଙ୍ଗାକାରୀଙ୍କ ସହ ଅଛନ୍ତି। ବରଗଡ଼ ଭଟଲୀ ଅଞ୍ଚଳର ରାଜା ଖାନ ସହ ସମ୍ପର୍କ ଅଛି। ଯେଉଁମାନେ ପାକିସ୍ତାନର ଭାଷା କହୁଛନ୍ତି, ସେହି ଅସାମାଜିକ ତତ୍ତ୍ୱ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ମଙ୍ଗଳ ବଜାରରେ ଅଟକାଇବାର ଷଡଯନ୍ତ୍ର କରିଥିଲେ। ଓଡ଼ିଶାର ଅସ୍ମିତା ଏବଂ ଝାରସୁଗୁଡାର ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ବିଜେପି ପକ୍ଷରୁ କରାଯାଉଥିବା ଲଢେଇ ଜାରି ରହିବ।

ଝାରସୁଗୁଡା ହେଉଛି ପଛୁଆ ଏବଂ ଜନଜାତି ବହୁଳ ଅଞ୍ଚଳ। ଆଦିବାସୀ ଉପଦେଷ୍ଟା କମିଟି ଅଧ୍ୟକ୍ଷ ହେଉଛନ୍ତି ମୁଖ୍ୟମନ୍ତ୍ରୀ। ମାତ୍ର ଜନଜାତିଙ୍କ ସ୍ୱାର୍ଥ ପାଇଁ ଦୀର୍ଘ ୫ ବର୍ଷରେ ଏହି କମିଟିର ଅଧ୍ୟକ୍ଷତା ସେ କରିଛନ୍ତି କି? ରାଜ୍ୟ ସରକାର ପଛୁଆ ବର୍ଗର ଲୋକଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ତଥା ଶିକ୍ଷା ଚାକିରିରେ ସଂରକ୍ଷଣ ନ ଦେଇ ସର୍ଭେ କରିବାର ପ୍ରହସନ କରୁଛନ୍ତି। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ପାଉଁଶ କାରଣରୁ ପ୍ରଦୂଷଣ ସମସ୍ୟା, ଏଲ.ଏନ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା, ଡିଏମଏଫ ପାଣ୍ଠିର ଦୁରୂପଯୋଗ, ଯୁବକଙ୍କୁ ରୋଜଗାର, ଦୁର୍ନୀତି, ଶିଳ୍ପ ଅଞ୍ଚଳରେ ପୁଞ୍ଜିନିବେଶ ସହ ଶାନ୍ତି ବଜାୟ ରଖିବା ଆଜି ଝାରସୁଗୁଡାର ଉପନିର୍ବାଚନର ପ୍ରମୁଖ ପ୍ରସଙ୍ଗ ହୋଇଛି।

କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ଜନଜାତିଙ୍କ ପାଇଁ ଦେଉଥିବା ଟଙ୍କା କୁଆଡେ ଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ଝାରସୁଗୁଡା ପାଇଁ ମୋଦି ସରକାରରେ ହୋଇଥିବା ବିକାଶର ହିସାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ମୋଦି ସରକାରରେ ଝାରସୁଗୁଡ଼ାରେ ଡିଏମଏଫରେ ୧୧୩୬ କୋଟି ଟଙ୍କା ଆଦାୟ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଝାରସୁଗୁଡା ପାଇଁ ମୋଟ ୫୯,୨୭୬ ଘର ନିର୍ମାଣ ପାଇଁ ୮୮୯ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି। “ହର ଘର୍ ନଲ୍ ସେ ଜଲ” ପ୍ରକଳ୍ପ ଅଧିନରେ ୬୩ ହଜାର ୮୩୧ ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ପାଣି ପହଞ୍ଚାଯିବାର ବ୍ୟବସ୍ଥା ହୋଇଛି। ସ୍ୱଚ୍ଛ ଭାରତ ମିଶନରେ ୮୭ ହଜାର ଶୌଚାଳୟ ନିର୍ମାଣ ହୋଇଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୮୬ ହଜାର ଏବଂ ୫୨ ହଜାର ଏସସି ଏସଟି ପରିବାର ଗ୍ୟାସ ପାଇଛନ୍ତି। ଝାରସୁଗୁଡାରେ ସୌଭାଗ୍ୟ ଯୋଜନାରେ ପାଖାପାଖି ୧ ଲକ୍ଷ ୨୪ ହଜାର ୫୯୭ ପରିବାରକୁ ବିଜୁଳି ସଂଯୋଗ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୫୯୫.୩୯ କିମି ରାସ୍ତା ନିର୍ମାଣ ହୋଇଛି। ମାଆ ସମଲେଇଙ୍କ ମାଟି, ବୀର ସଂଗ୍ରାମୀଙ୍କ ଜନ୍ମଭୂମି ତଥା ବୀର ସୁରେନ୍ଦ୍ର ସାଏ ଏବଂ ଶହୀଦ କରୁଣାକର ସିଂହଙ୍କ ପବିତ୍ର ଜନ୍ମମାଟିକୁ ଆସିବା ମୋର ସୌଭାଗ୍ୟ ବୋଲି କହିଛନ୍ତି। ଏହି ଅବସରରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଏବଂ ବିଧାନସଭାର ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ। ଏହା ସହିତ ଆଗାମୀ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ପଦ୍ମ ଫୁଲ ଚିହ୍ନରେ ଭୋଟ୍ ଦେବା ପାଇଁ ନିବେଦନ କରିଛନ୍ତି।


Share It

Comments are closed.