ଋଷ-ୟୁକ୍ରେନ୍ ସଙ୍କଟ ନେଇ ଦୋଛକିରେ ଭାରତ, ସାଥ୍ ଚାହୁଁଛି ଋଷ… ୟୁକ୍ରେନ୍ ବି ରଖିଛି ଆଶା


ଋଷ-ୟୁକ୍ରେନ୍ ସଙ୍କଟ ନେଇ ଚିନ୍ତା ପ୍ରକଟ କଲା ଭାରତ। ୟୁକ୍ରେନ୍ ଉପରେ ଋଷ ମିଲିଟାରୀ ଅପରେସନ ନିର୍ଦ୍ଦେଶ ଦେବା ପରେ UNSCରେ ଭାରତୀୟ ପ୍ରତିନିଧି ଟି.ଏସ୍ ତିରୁମୂର୍ତ୍ତି କହିଛନ୍ତି ଯେ, ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସମାଧାନ ହେବା ଜରୁରୀ। ତୁରନ୍ତ ପଦକ୍ଷେପ ନିଆନଗଲେ ସୁରକ୍ଷା ବିପନ୍ନ ହୋଇପାରେ। ସବୁ ପକ୍ଷଙ୍କ ସୁରକ୍ଷାକୁ ବିଚାରକୁ ନେଇ ପଦକ୍ଷେପ ନିଆଯାଉ। କୂଟନୈତିକ ସ୍ତରରେ ସମାଧାନ ଉଦ୍ୟମ ପାଇଁ ଭାରତ ଆହ୍ଵାନ ଦେଇଛି।

ୟୁକ୍ରେନ୍‌ ସଂକଟକୁ ନେଇ ବିଭିନ୍ନ ୟୁରୋପୀୟ ଓ ନାଟୋ ଦେଶଗୁଡ଼ିକ ରୁଷ ଉପରେ ଆର୍ଥିକ କଟକଣା ଲଗାଉଛନ୍ତି । ଗୋଟିଏ ପରେ ଗୋଟିଏ ଦେଶ ସେମାନଙ୍କ ସହ ସାମିଲ ହୋଇ ରୁଷକୁ ଟାର୍ଗେଟ୍‌ କରୁଛନ୍ତି । କିନ୍ତୁ ଭାରତ ଏ ପର୍ଯ୍ୟନ୍ତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ । ବରଂ ଶାନ୍ତିପୂର୍ଣ୍ଣ ଆପୋସ ଆଲୋଚନା ପାଇଁ ଏହା ଆହ୍ୱାନ ଦେଇଛି । ଭାରତ ଉପରେ ଅଧିକାଂଶ ଦେଶର ନଜର ରହିଛି । ଗୋଟିଏ ପଟେ ଆମେରିକା ଓ ଅନ୍ୟପଟେ ରୁଷ ସହ ଭଲ ସମ୍ପର୍କ ରଖିଆସିଥିବା ଭାରତ କେଉଁ ନୀତି ଆପଣାଇବ, ତାହା ଉପରେ ଦୃଷ୍ଟି ରହିଛି । ଏଭଳି ସ୍ଥିତିରେ ଭାରତର ସମର୍ଥନ ଲୋଡ଼ିଛି ରୁଷ । ନୂଆଦିଲ୍ଲୀରେ ଅବସ୍ଥାପିତ ରୁଷ ଦୂତାବାସ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ‘ଆଶା କରୁଛୁ ରୁଷ-ଭାରତର ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଊର୍ଦ୍ଧ୍ୱ ସ୍ତରକୁ ଯିବ । ଆଜି ସମ୍ପର୍କ ଯାହା ରହିଛି, ତାହା ଆହୁରି ନିବିଡ଼ ହେବ ।’ ସେହିଭଳି ଜାତିସଂଘ ପରିଷଦ ବୈଠକରେ ଭାରତ ଦେଇଥିବା ରକ୍ଷଣାତ୍ମକ ମନ୍ତବ୍ୟକୁ ମଧ୍ୟ ରୁଷ ସ୍ୱାଗତ ଜଣାଇଛି । ଏଭଳି ପରିସ୍ଥିତିରେ ଭାରତ ୟୁକ୍ରେନ ସହ ରହିବ ବୋଲି ୟୁକ୍ରେନ ମଧ୍ୟ ଆଶା ବାନ୍ଧିଛି । ୟୁକ୍ରେନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଦିମିତ୍ରୋ କୁଲେବା ଗତ ଫେବ୍ରୁଆରୀ ୩ରେ ଏକ ଭର୍ଚୁଆଲ ସମ୍ମିଳନୀରେ କହିଥିଲେ ଯେ, ଭାରତର ଉଭୟ ରୁଷ ଓ ଆମେରିକା ସହ ଭଲ ସମ୍ପର୍କ ରହିଛି । ଏଣୁ ଉଭୟ ରାଷ୍ଟ୍ର ମଧ୍ୟରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କରିବାରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଭାରତ ୟୁକ୍ରେନର ସହଯୋଗୀ ଏଣୁ ୟୁକ୍ରେନ ଉପରେ ରୁଷର କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନକୁ ଭାରତ କେବେ ବି ସ୍ୱୀକାର କରିବ ନାହିଁ । ଭାରତ ଚାହିଁଲେ ରୁଷକୁ ୟୁକ୍ରେନ ସପକ୍ଷରେ ବୁଝାଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ମଙ୍ଗଳବାର ଅନୁଷ୍ଠିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତ ପ୍ରତିନିଧି ଟିଏସ୍‌ ତିରୁମୂର୍ତ୍ତି କହିଥିଲେ ଯେ, ୟୁକ୍ରେନ ଓ ରୁଷ ମଧ୍ୟରେ ଜାରି ରହିଥିବା ବିବାଦ ଅତ୍ୟନ୍ତ ଚିନ୍ତାର ବିଷୟ । କୂଟନୈତିକ ଆଲୋଚନା ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଆମେ ଆଶା କରୁଛୁ । ଏହି ସମସ୍ୟାର ସମାଧାନ ପାଇଁ ବର୍ତ୍ତମାନସୁଦ୍ଧା ଯେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ସେଥିପାଇଁ ସମୟ ଦେବା ଆବଶ୍ୟକ । ସାମରିକ ଉତ୍ତେଜନା କେବେ ବି ଗ୍ରହଣୀୟ ନୁହେଁ ଏଣୁ ସବୁ ପକ୍ଷ ଅନ୍ତର୍ଜାତୀୟ ଶାନ୍ତି ପ୍ରତିଷ୍ଠାତୁ ଗୁରୁତ୍ୱ ଦିଅନ୍ତୁ ।


Share It

Comments are closed.