ତୈଳ ଓ ଗ୍ୟାସ ବିତରଣ କରୁଥିବା କୋଭିଡ୍ ଯୋଦ୍ଧାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, – ଉପଭୋକ୍ତାଙ୍କୁ ତୈଳ ଓ ଗ୍ୟାସ ବିତରଣ ଭଳି ଅତ୍ୟାବଶ୍ୟକ ସେବା ଯୋଗାଉଥିବା କୋଭିଡ୍ ଯୋଦ୍ଧା ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକାକରଣରେ ସାମିଲ କରିବା ଉଦ୍ଦେଶ୍ୟରେ ବୁଧବାର ଭୁବନେଶ୍ୱର ଠାରେ ଇଣ୍ଡିଆନ ଅଏଲ ଏବଂ ଆପୋଲୋ ହସ୍ପିଟାଲ ସହଯୋଗରେ ୭ ଦିନିଆ ‘କୋଭିଡ୍‌-୧୯ ଟିକାକରଣ ଶିବିର’କୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଇଣ୍ଡିଆନ ଅଏଲର ଚନ୍ଦ୍ରଶେଖରପୁର ସ୍ଥିତ ରାଜ୍ୟ କାର୍ଯ୍ୟାଳୟ ଠାରେ କୋଭିଡ୍ ଯୋଦ୍ଧାମାନଙ୍କ ପାଇଁ ଇଣ୍ଡିଆନ ଅଏଲ ଦ୍ୱାରା ଏହି ମେଗା ଭ୍ୟାକ୍ସିନେସନ ଡ୍ରାଇଭ ଆରମ୍ଭ ହୋଇଛି । ଇଣ୍ଡିଆନ୍ ଅଏଲ୍ ଏଠାରେ ଟିକାକରଣର ବ୍ୟବସ୍ଥା କରିଥିବା ବେଳେ କନଫେଡ଼ରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ସମନ୍ୱୟରେ ଟିକା ଲଗାଇବା ପାଇଁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ ବିବେଚିତ ହୋଇଛି । ଏହି କମ୍ପାନୀର ପେଟ୍ରୋଲ ପମ୍ପ ଗ୍ରାହକ ଆଟେଣ୍ଡାଂଟ୍‌, ଏଲପିଜି ଏବଂ ପେଟ୍ରୋଲ ବିତରକ, ତୈଳ ଟ୍ୟାଙ୍କର ପରିବହନ କରୁଥିବା ଚାଳକ ଭାଇ, ଅନ୍ୟାନ୍ୟ କର୍ମଚାରୀ ତଥା ସେମାନଙ୍କ ପରିବାର ସଦସ୍ୟଙ୍କୁ ମାଗଣାରେ ଟିକା ଲଗାଯିବ । ଏହି ଟିକାକରଣ ଶିବିର ୨ ଜୁନରୁ ୮ ଜୁନ୍ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ୨୦୦ ଡୋଜ୍ ଟିକା ଦେବା ପାଇଁ ଯୋଜନା କରାଯାଇଛି ।
ଇଣ୍ଡିଆନ ଅଏଲ ନିଜସ୍ୱ ଖର୍ଚ୍ଚରେ ଟିକାକରଣ ବ୍ୟବସ୍ଥା କରିଥିବା ବେଳେ ଆନୁଷଙ୍ଗିକ ସହଯୋଗ ଦେଇଥିବାରୁ ସିଆଇଆଇ ଏବଂ ଆପୋଲୋ ହସ୍ପିଟାଲକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହରରେ ଉପଭୋକ୍ତା ମାନଙ୍କୁ ନିରନ୍ତର ସେବା ଯୋଗାଇଥିବା ସମସ୍ତ ତୈଳ ଓ ଗ୍ୟାସ କମ୍ପାନୀର କୋଭିଡ୍ ଯୋଦ୍ଧା ମାନଙ୍କ କାର୍ଯ୍ୟ ଓ ସାହାସ ପ୍ରଂଶସନୀୟ । କେନ୍ଦ୍ରୀୟ ରାଷ୍ଟ୍ରାୟତ କମ୍ପାନୀ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ(ବିପିସିଏଲ), ହିନ୍ଦୁସ୍ଥାନ ପେଟ୍ରୋଲିୟମ(ଏଚପିସିଏଲ) ଖୁବ ଶୀଘ୍ର ସେମାନଙ୍କ କର୍ମଚାରୀ ଏବଂ ପରିବାର ଲୋକଙ୍କୁ ଟିକା ଦେବେ । ଏହାଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ ।
ଭାରତ ସରକାର ରାଜ୍ୟ ଗୁଡ଼ିକୁ ମାଗଣାରେ ୫୦ ପ୍ରତିଶତ ଟିକା ଯୋଗାଇ ଦେଉଥିବା ବେଳେ ରାଜ୍ୟମାନେ ମଧ୍ୟ ୨୫ ପ୍ରତିଶତ ଏବଂ ର୍ପୋରେଟ୍ ଅନୁଷ୍ଠାନ ଗୁଡ଼ିକ ମଧ୍ୟ ବଜାର ଦରରେ ୨୫ ପ୍ରତିଶତ ଟିକା କିଣି ସେମାନଙ୍କ କର୍ମଚାରୀ, ସେମାନଙ୍କ ପରିବାର ଓ ସଂସ୍ଥା ସହ ଜଡ଼ିତ ଲୋକଙ୍କୁ ଲଗାଇବାର ନିଷ୍ପତି ନିଆଯାଇଛି । ଓଡ଼ିଶାରେ ସରକାରୀ ଏବଂ ବେସରକାରୀ ସ୍ତରରେ ବଡ ବଡ କର୍ପୋରେଟ କମ୍ପାନୀ ଅଛନ୍ତି । ଇଣ୍ଡିଆନ ଅଏଲ, ବିପିସିଏଲ, ଏଚପିସିଏଲ, ସେଲ, ଏମସିଏଲ, ନାଲକୋ, ଏନଟିପିସି, ରେଲୱେ, ପାରାଦୀପ ପୋର୍ଟ, ବିଏସଏନଏଲ, ଏପ୍ରକାର ଅନେକ ଅନେକ ସରକାରୀ ପିଏସୟୁ ଉଦ୍ୟୋଗ ଅଛନ୍ତି । ତତସହ ଏଠାରେ ଟାଟା, ଜିନ୍ଦଲ, ଆର୍ସେଲର ମିତଲ ଭଳି ମଧ୍ୟ ଅଗ୍ରଣୀ କମ୍ପାନୀ ଓଡିଶାରେ କାମ କରୁଛନ୍ତି । ଏହି ସବୁ କର୍ପୋରେଟ୍ ଅନୁଷ୍ଠାନ ଗୁଡ଼ିକ ନିଜ ବ୍ୟବସ୍ଥାରେ କମ୍ପାନୀକୁ ଟିକା କିଣି ନିଜ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକା ଲଗାଇ ଓଡ଼ିଶାର ନାଗରିକ ମାନଙ୍କୁ ଦିଆଯାଉଥିବା ଟିକା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପ୍ରତି ସମ୍ବେଦନଶୀଳ । ଏ ଦିଗରେ କରୋନା ମହାମାରୀର ଦ୍ୱିତୀୟ ଲହର ବିରୋଧରେ ଲଢ଼େଇ କରୁଥିବା ବେଳେ କର୍ପୋରେଟ ଅନୁଷ୍ଠାନର ଏପରି ଟିକାକରଣ ଉଦ୍ୟମ ଭଲ ପଦକ୍ଷେପ । ଅପରପକ୍ଷରେ ଭାରତର ଟିକା ଉତ୍ପାଦନ କ୍ଷମତା ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ବେଳେ ଜୁଲାଇ ସୁଦ୍ଧା ପ୍ରଦିଦିନ ୧ କୋଟି ଟିକା ଭାରତରେ ପ୍ରସ୍ତୁତ ହେବ ବୋଲି ଆକଳନ କରାଯାଇଛି । ଏ ସବୁର ଟିକାକରଣ ସମସ୍ତଙ୍କ ପ୍ରଚେଷ୍ଟା ଖୁବ ଶୀଘ୍ର ହେବା ପରେ ଏହି ଅଭିଯାନକୁ ଅନ୍ୟ ଅଂଚଳକୁ ମଧ୍ୟ ନିଆଯିବ । ଏହି କଠିନ ସମୟରେ ତୈଳ ଓ ଗ୍ୟାସ କମ୍ପାନୀମାନେ ଓଡିଶାର ଲୋକଙ୍କ ସେବା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।


Share It

Comments are closed.