ଟେକ୍‌-ଅଫ୍‌ ବେଳେ ରନୱେରୁ ଖସି ପଙ୍କରେ ପଶିଗଲା ଇଣ୍ଡିଗୋର ବିମାନ


ଇଣ୍ଡିଗୋର ଏକ ବିମାନ ଆସାମର ଜୋରହାଟ୍‌ରେ ଟେକ୍‌-ଅଫ୍‌ କରିବା ବେଳେ ରନଓ୍ବେରେ ଖସି ଯାଇଥିବାର ଖବର ମିଳିଛି। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି। ଏହି ବିମାନଟି ଗୁରୁବାର ଜୋରହାଟରୁ କୋଲକାତା ଅଭିମୁଖେ ଉଡାଣ ଆରମ୍ଭ କରିବାର ଥିଲା। ତେବେ ରନୱେରେ ଖସି ଯାଇଥିବା କାରଣରୁ ବିମାନକୁ ରୋକି ଦିଆଯାଇଥିଲା। ମାମଲାର ଯାଞ୍ଚ ପାଇଁ ଏକ ଟିମ୍ ଗଠନ କରାଯାଇଛି। ଇଣ୍ଡିଗୋ ଏୟାରଲାଇନ୍ସର କହିବା ଅନୁସାରେ, ପ୍ରାଥମିକ ତଦନ୍ତରେ ଜଣାପଡିଛି ବିମାନରେ କୌଣସି ଖରାପ ନଥିଲା।

ରନୱେରେ ଖସିବାର ତୁରନ୍ତ ପରେ ପାଇଲଟ୍‌ ବିମାନକୁ ରୋକି ଦେଇଥିଲେ। ସବୁ ଯାତ୍ରୀଙ୍କୁ ତଳକୁ ଓହ୍ଲାଇ ଦିଆଯାଇଥିଲା। କିଛି ସମୟ ପରେ ଅନ୍ୟ ବିମାନ ଯାତ୍ରୀଙ୍କୁ କୋଲକାତା ଅଭିମୁଖେ ନେଇଥିଲା। ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ବିମାନ ରନୱେରୁ ଖସିବା ସମୟର ଫଟୋ ଜାରି କରିଛି। ଏଥିରେ ବିମାନର ଚକ ପଙ୍କ ଭର୍ତ୍ତି ଥିବା ପଡିଆରେ ଫଶି ରହିଥିବାର ଦେଖିବାକୁ ମିଳିଥିଲା।

ଅନ୍ୟପଟେ ମୁମ୍ବାଇ ବିମାନ ବନ୍ଦରରୁ ଗୁଜରାଟର କାଡଲା ପାଇଁ ଉଡାଣ ଭରିଥିବା ସ୍ପାଇସଜେଟ୍‌ ବିମାନକୁ ଚେତାବନୀ ସଙ୍କେତ ପରେ ଉଡାଣ ଆରମ୍ଭ କରିବାକୁ ରୋକି ଦିଆଯାଇଥିଲା। ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ(ଡିଜିସିଏ)ର ବରିଷ୍ଠ ଅଧିକାରୀ କହିଛନ୍ତି, ନିର୍ଦେଶାଳୟ ଏହି ମାମଲାର ତଦନ୍ତ ଆରମ୍ଭ କରିଦେଇଛି। ଗତ ୪୦ ଦିନରେ ସ୍ପାଇସଜେଟ୍‌ର ବିମାନରେ ଯାନ୍ତ୍ରିକ ତ୍ରୁଟି ଜନିତ ଏହା ନବମ ଘଟଣା।


Share It

Comments are closed.