ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ: ୩ ମୃତ, ପାଇଲଟ୍‌ ସୁରକ୍ଷିତ


ରାଜସ୍ଥାନର ହନୁମାନଗଡ଼ରେ ଭାରତୀୟ ବାୟୁସେନାର ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଇଲଟ୍‌ ସୁରକ୍ଷିତ ଥିବା କୁହାଯାଉଛି। ଏଥିସହ ୩ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ମିଗ୍‌-୨୧ର ଭଗ୍ନାବଶେଷ ଏକ ଘରର ଛାତ ଉପରେ ପଡ଼ିବାରୁ ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ବିମାନ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ଅଧିକାରୀମାନେ କହିଛନ୍ତି ଯେ, ମିଗ୍‌-୨୧ ଯୁଦ୍ଧ ବିମାନର ପାଇଲଟ୍‌ ପାରାଶୁଟ୍‌ ବ୍ୟବହାର କରି ଉଚିତ୍‌ ସମୟରେ ବିମାନରୁ ଡେଇଁ ପଡ଼ିଥିଲେ। ଏହି ଦୁର୍ଘଟଣାରେ ଆହତ ପାଇଲଟଙ୍କ ପାଇଁ ବାୟୁସେନାର ଏମଆଇ ୧୭ ହେଲିକପ୍ଟର ପଠାଯାଇଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ ତଦନ୍ତ କମିଟି ଗଠନ କରାଯାଇଛି। ବିମାନଟି ବହଲୋଲ ନଗର ଗାଁର ବାହ୍ୟ ଅଞ୍ଚଳରେ ଖସି ପଡିଥିଲା। ବିକାନେର ରେଞ୍ଜର ପୁଲିସ୍ ଇନ୍ସପେକ୍ଟର ଓମ୍ ପ୍ରକାଶ କହିଛନ୍ତି ଯେ, ହନୁମାନଗଡ଼ ଜିଲାର ପିଲିବଙ୍ଗା ନିକଟରେ ହୋଇଥିବା ବିମାନ ଦୁର୍ଘଟଣାରେ ୩ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତିନିଜଣ ମହିଳା ଆହତ ହୋଇଛନ୍ତି।


Share It

Comments are closed.