ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏସବୁ ସ୍ଥାନରେ ହେବ ପ୍ରବଳ ବର୍ଷା


ବୁଧବାର ଦିନ ପଶ୍ଚିମବଙ୍ଗର ଦକ୍ଷିଣ ଜିଲ୍ଲା ଓ ଉତ୍ତର ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ (IMD) ସତର୍କ ସୂଚନା ଜାରି କରିଛି । ୧୫ ରୁ ୧୭ ନଭେମ୍ବର ପର୍ଯ୍ୟନ୍ତ ପୂର୍ବ ଭାରତ ଓ ଉତ୍ତର ପୂର୍ବ ଭାରତରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଇଏମଡି ଅନୁଯାୟୀ ଉତ୍ତର ଜମ୍ମୁ କାଶ୍ମୀରରେ ତୁଷାରପାତ ଓ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

୧୫, ୧୬ ଓ ୧୭ ନଭେମ୍ବରରେ ହୋଇପାରେ ବର୍ଷା
ନ୍ୟୁଜ୍ ଏଜେନ୍ସି ANI କୁ ସୂଚନା ଦେଇ ଆଇଏମଡି ବରିଷ୍ଠ ବୈଜ୍ଞାନିକ ସୋମା ସେନ୍ କହିଛନ୍ତି, ‘ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହୋଇଛି ଓ ଏହା ଉତ୍ତର ଦିଗକୁ ଗତି କରିବ । ନଭେମ୍ବର ୧୫, ୧୬ ଓ ୧୭ ରେ ପୂର୍ବ ଭାରତ ଓ ଉତ୍ତର ପୂର୍ବ ଭାରତରେ ପ୍ରବଳ ବର୍ଷା ହୋଇପାରେ । ସେନ୍ କହିଛନ୍ତି ଯେ ପଶ୍ଚିମବଙ୍ଗର ଦକ୍ଷିଣ ଜିଲ୍ଲା ଓ ଉତ୍ତର-ଉପକୂଳ ଓଡିଶାର ଜିଲ୍ଲା ଉପରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକରେ ସତର୍କ ସୂଚନା ଜାରି କରାଯାଇଛି । ଏଥି ସହିତ ଉତ୍ତର ଜମ୍ମୁ କାଶ୍ମୀରରେ ତୁଷାରପାତ ଓ ହାଲୁକା ବର୍ଷା ହୋଇପାରେ । ଏହାପୂର୍ବରୁ ମଙ୍ଗଳବାର ଦିନ ଆଇଏମଡି ଆନ୍ଧ୍ରପ୍ରଦେଶ ଉପକୂଳରେ ଓ ଆଖପାଖରେ ମତ୍ସ୍ୟଜୀବୀଙ୍କ ପାଇଁ ଚେତାବନୀ ଦେଇଥିଲା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ନିମ୍ନ ଚାପ କ୍ଷେତ୍ରକୁ ଦୃଷ୍ଟିରେ ରଖି ଏହା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । କହିରଖୁଛୁ ଯେ ଆସନ୍ତା ୧୫ ଓ ୧୬ ନଭେମ୍ବରରେ ଆସନ୍ତା ଦୁଇ ଦିନ ପାଇଁ ଜୋରରେ ପବନ ବହିବ ବୋଲି ଆଶା କରାଯାଉଛି । ଆଇଏମଡି ବିଶାଖାପାଟନମ ଏମଡି ସୁନନ୍ଦା ମଙ୍ଗଳବାର ଦିନ ANI କୁ କହିଛନ୍ତି ଯେ ମତ୍ସ୍ୟଜୀବୀଙ୍କୁ ବୁଧବାର ଠାରୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ଓଡିଶାର କିଛି ଅଂଶରେ ହେବ ପ୍ରବଳ ବର୍ଷା
ସୁନନ୍ଦା କହିଛନ୍ତି, ‘ନଭେମ୍ବର ୧୪ ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଉପରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ନଭେମ୍ବର ୧୫ ରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ପରବର୍ତ୍ତୀ ସମୟରେ, ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ନଭେମ୍ବର ୧୬ ରେ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଗଭୀର ଅବପାତରେ ପରିଣତ ହୋଇପାରେ । ତା’ପରେ, ଏହା ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତି କରିବ ଓ ନଭେମ୍ବର ୧୭ ରେ ଓଡ଼ିଶା ଉପକୂଳରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ । ବିଶେଷ କରି ଉପକୂଳ ଓଡିଶାର କିଛି ଅଂଶରେ ଏହା ଯୋଗୁଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଆଇଏମଡି ମଧ୍ୟ ମତ୍ସ୍ୟଜୀବୀମାନଙ୍କୁ ନଭେମ୍ବର ୧୫ ରୁ ୧୭ ପର୍ଯ୍ୟନ୍ତ ସମୁଦ୍ରକୁ ନଆସିବାକୁ ପରାମର୍ଶ ଦେଇଛି ।


Share It

Comments are closed.