ବାଜିଲା ଗୁଜୁରାଟ ନିର୍ବାଚନ ବିଗୁଲ, ଡିସେମ୍ବର ୧ ଓ ୫ରେ ମତଦାନ


ଆରମ୍ଭ ହୋଇଗଲା କାଉଣ୍ଟଡାଉନ୍‌ । ପ୍ରତୀକ୍ଷାର ଅନ୍ତ ଘଟିଛି । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରେସ୍‌ କନଫରେନ୍ସ କରି ଏ ନେଇ ଘୋଷଣା କରିଛନ୍ତି । ମୋଟ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ଆସନ୍ତା ଡିସେମ୍ବର ୧ ଓ ୫ ଦୁଇଟି ପର୍ଯ୍ୟାୟରେ ମତଦାନ କରାଯିବ । ୨୦୨୩ ଫେବୃଆରୀ ୧୮ ତାରିଖରେ ଶେଷ ହେଉଛି ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ।

ଗୁଜରାଟର ମୋଟ ୧୮୨ଟି ସିଟ୍‌ ପାଇଁ ବିଧାୟକ ବାଛିବେ ଜନତା । ୩୩ ଜିଲ୍ଲାରେ ମୋଟ ୪ କୋଟି ୯୦ ଲକ୍ଷ ଭୋଟର ମତ ସାବ୍ୟସ୍ତ କରିବେ । ଏହା ସହିତ ୪ ଲକ୍ଷ ୬୦ ହଜାର ନୂଆ ଭୋଟର ମତଦାନ ପ୍ରକ୍ରିୟାରେ ସାମିଲ ହେବେ । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଥମ ଗେଜେଟ୍‌ ନୋଟିଫିକେସନ୍‌ ନଭେମ୍ବର ୫ ଏବଂ ଦ୍ବିତୀୟ ପର୍ଯ୍ୟାୟ ପାଇଁ ନଭେମ୍ବର ୧୦ରେ ପ୍ରକାଶ ପାଇବ । ସେହିଭଳି ପ୍ରଥମ ପର୍ଯ୍ୟାୟ ନାମାଙ୍କନର ଶେଷ ତାରିଖ ନଭେମ୍ବର ୧୪ ଏବଂ ଦ୍ବିତୀୟ ପର୍ଯ୍ୟାୟ ପାଇଁ ନଭେମ୍ବର ୧୭ ତାରିଖ ଧାର୍ଯ୍ୟ କରାଯାଇଛି ।


Share It

Comments are closed.