ଗୁଜରାଜ ଜାଏଂଟ୍ସ ଅଲ୍ଟିମେଟ ଖୋ ଖୋ ସିଜନ-୨ର ବିଜେତା

୩ୟ ସ୍ଥାନରେ ଓଡିଶା ଜଗରନଟ୍ସ


ଅଲ୍ଟିମେଟ ଖୋ ଖୋ ସିଜନ ୨ର ଚାମ୍ପିଅନ ହୋଇଛି ଗୁଜରାଟ ଜାଏଂଟ୍ସ ।ଆଜି କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଗୁଜରାଟ ଜାଏଂଟ୍‌ସ, ଚେନ୍ନାଇ କ୍ୱିକ ଗନ୍‌ସକୁ ୩୧-୨୬ ପଏଂଟରେ ପରାଜିତ କରି ଟାଇଟଲ ହାସଲ କରିଛି । ଲିଗ ପର୍ଯ୍ୟାୟରେ ଅନିଶ୍ଚିତତାର ସମ୍ମୁଖୀନ ହେଉଥିବା ଗୁଜରାଟ ଜାଏଂଟ୍ସ ଫାଇନାଲ ମ୍ୟାଚର ପ୍ରଥମ ଇନିଂସରେ ହିଁ ପ୍ରତିଯୋଗିତା ଶେଷ କରିଥିଲା ।  ଅନ୍ୟପକ୍ଷରେ ଲିଗ୍ ସମୟରେ ସମସ୍ତଙ୍କ ପସନ୍ଦର ଦଳ ଥିବା ଚେନ୍ନାଇ କ୍ୱିକ ଗନ୍ସ ଆଜି ନିଜ ପ୍ରଶଂସକଙ୍କୁ ନିରାଶ କରିଛି । ଅଲ୍ଟିମେଟ ଖୋ ଖୋ ସିଜନ ୨ର ବିଜେତା ଗୁଜରାଟ ଜାଏଂଟ୍ସ ୧ କୋଟି ଟଙ୍କାର ପୁରସ୍କାର ଜିତିଥିବା ବେଳେ ରନର୍ସ ଅପ ଚେନ୍ନାଇ କ୍ୱିକ ଗନ୍ସ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିଛି । ସେହପିର ତେଲୁଗୁ ୟୋଦ୍ଧାସକୁ ହରାଇ ୩ୟ ସ୍ଥାନରେ ଥିବା ଓଡିଶା ଜଗରନଟ୍ସ ୩୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିଛି । ସଙ୍କେତ କଦମଙ୍କୁ ମ୍ୟାଚର ସର୍ବୋତମ ଆଟାକର ସମ୍ମାନ ମିଳିଥିବା ବେଳେ ବିଜୟ ସିନ୍ଦେଙ୍କୁ ମ୍ୟାଚର ସର୍ବୋତମ ଡିଫେଣ୍ଡର ସମ୍ମାନ ଏବଂ ସୁୟାଶ ଗାରଗାଟେଙ୍କୁ ଅଲ୍ଟିମେଟ ଖୋ ଅଫ୍ ଦ ମ୍ୟାଚ ସମ୍ମାନ ମିଳିଛି ।

ଫାଇନାଲ ମ୍ୟାଚ୍‌ରେ ପୁରୀ ସାଂସଦ ଶ୍ରୀ ପିନାକୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ନିଜ ବକ୍ତବ୍ୟରେ କହିଥିଲେ, ‘ମୁଁ ଟେଲିଭିଜନରେ ଖୋ ଖୋ ଦେଖିଛି କିନ୍ତୁ ଏଠାରେ ଲାଇଭ ଦେଖିବା ଖୁବ୍ ଚମତ୍କାର ଥିଲା ।ଲାଇଭ ଦେଖିବା ଦ୍ୱାରା ଏହି ଖେଳ କେତେ କଷ୍ଟକର ତଥାପି କେତେ ସରଳ ତାହା ଆପଣ ଅନୁଭବ କରିପାରିବେ । ମୌଳିକ ସୁବିଧାରୁ ବଂଚିତ ଓ ଅଣସଂରକ୍ଷିତ ପୃଷ୍ଠଭୂମିରୁ ଆସିଥିବା ଏହି ଖେଳାଳିମାନେ ଖୁବ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ।’ ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍‌ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ୟୁକେ ସ୍ଥିତ ବିଏନ୍‌ପି ଗ୍ରୁପ୍ ସୌଜନ୍ୟରେ ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍‌ରେ ପରିଣତ ହୋଇଛି ।

ଫାଇନାଲ ମ୍ୟାଚରେ ଗୁଜରାଟ ଜାଏଂଟ୍ସ ଚମତ୍କାର ଆରମ୍ଭ କରିଥିଲା । ଚେନ୍ନାଇର ଷ୍ଟାର ଖେଳାଳି ରାମଜୀ କଶ୍ୟପଙ୍କୁ ଟାର୍ଗେଟ କରିବାର ରଣନୀତି ଗୁଜରାଟ ପାଇଁ ମାଷ୍ଟରଷ୍ଟ୍ରୋକ ପ୍ରମାଣିତ ହୋଇଥିଲା ଯିଏକୀ ମ୍ୟାଟରେ ୧ ମିନିଟରୁ ବି କମ ସମୟ ରହିଥିଲେ ।ସେହିପରି ଗୁଜରାଟ ଜାଏଂଟ୍ସର ୧ମ ବ୍ୟାଚ ସୁୟାଶ ଗାରଗାଟେ, ଶୁଭମ ଥୋରାଟ ଓ ଦୀପକ ମାଧବ ୫ଟି ଡ୍ରିମ ରନ ପଏଂଟ ହାସଲ କରିଥିବା ବେଳେ ମ୍ୟାଟରେ ୫ ମିନିଟ ୬ ସେକେଣ୍ଡ ପର୍ଯ୍ୟନ୍ତ ରହିଥିଲେ । ଏହାପୂର୍ବରୁ ଆଜି ୩ୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚରେ ଓଡିଶା ଜଗରନଟ୍ସ, ତେଲୁଗୁ ୟୋଦ୍ଧାସକୁ ୩୨-୨୪ ପଏଂଟରେ ପରାଜିତ କରିଥିଲା ।

ଅଲ୍ଟିମେଟ ଖୋ ଖୋ ସିଜନ ୨ର ବିଜେତା ହୋଇଥିବା ଗୁଜରାଟ ଜାଏଂଟ୍ସ ଦଳରେ ଅଭିନନ୍ଦନ ପାଟିଲ, ଅକ୍ଷୟ ଭଙ୍ଗରେ, ସୁୟଶ ଗାର୍ଗାଟେ, ନିଲେଶ ଯାଦବ, ପି ନରସାୟା, ଫୈଜାନଖା ପଠାନ, ରାଜବର୍ଦ୍ଧନ ପାଟିଲ, ଭି ସୁବ୍ରମଣି, ଦୀପକ ମାଧବ, ଶୁଭମ ଥୋରାଟ, ଗଭରା ଭେଙ୍କଟେଶ, ସଂକେତ କଦମ, କୋନ୍ଧଲକର ରୂପେଶ, ଭରତ କୁମାର, ପବନି ଶବର, ବିନାୟକ ପୋକର୍ଡେ, ରାମ ମୋହନ, ଭି କାବିଲାନ, ଅର୍ଣ୍ଣବ ପାଟନକର, ଅଲଫାଜ ଏଚ ନାଦାଫ, ବାସଭେ ରବି, ଅଭିଜିତ ପାଟିଲ, ସଲିମ ଖାନ, ବିଜେଶ କୁମାର ଏବଂ ହରିଶ ମହମ୍ମଦ ଆଦି ସାମିଲ ଥିଲେ । ସେହିପରି ରନର୍ସ ଅପ ଚେନ୍ନାଇ କ୍ୱିକ ଗନ୍ସରେ ଅମିତ ପାଟିଲ, ମଦନ, ରାମଜୀ କଶ୍ୟ, ଲକ୍ଷ୍ମଣ ଗାୱାସ, ଆଦର୍ଶ ମୋହିତେ, ସଚିନ ଭର୍ଗୋ, ଜୋରା ସୁରଜ, ସୁରଜ ଲାଣ୍ଡେ, ଆଦିତ୍ୟ କୁଡାଲେ, ଦୁର୍ଭେଶ ସାଲୁଙ୍କେ, ଚନ୍ଦୁ ଚାଭରେ, ଆକାଶ କଦମ, ନରେନ୍ଦ୍ର କାଟକାଟେ, ମୁସ୍ତାଫା ବାଗୱାନ, ଅର୍ଜୁନ ସିଂ, ବିଜୟ ସିନ୍ଦେ, ଆଶିଷ ପଟେଲ, ଏମ ମୁଗିଲାନ, ଆକାଶ ବାଲିୟାନ, ସୁମନ ବର୍ମନ, ପବନ କୁମାର ଓ ଗିରି ଏସ ଆଦି ସାମିଲ ଥିଲେ ।


Share It

Comments are closed.