୫୧ ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସ ଛାଡିଲେ ଗୁଲାମ ନବୀ ଆଜାଦ


କଂଗ୍ରେସରୁ ବଡ ଝଟକା। ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଦୀର୍ଘ ୫୧ ବର୍ଷ ସମ୍ପର୍କ ତୁଟାଇ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଗୁଲାମ ନବୀ ଆଜାଦ ଦଳର ପ୍ରାଥମିକ ସଦସ୍ୟ ଓ ସବୁ ପଦରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ୫ ପୃଷ୍ଠାର ଇସ୍ତଫା ପତ୍ର ପଠାଇଛନ୍ତି। ସୋନିଆ ଗାନ୍ଧିଙ୍କୁ ପଠାଯାଇଥିବା ଇସ୍ତଫା ପତ୍ରରେ ଗୁଲାମ ନବୀ ଆଜାଦ ଲେଖିଛନ୍ତି, ବଡ ଦୁଃଖର ସହ ମୁଁ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସରୁ ନିଜର ଅର୍ଦ୍ଧ ଶତାବ୍ଦୀର ସମ୍ପର୍କ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛି।’

୭୩ ବର୍ଷୀୟ ଗୁଲାମ ନବୀ ଆଜାଦ ଶୁକ୍ରବାର କଂଗ୍ରେସ ଛାଡିଛନ୍ତି।  ସେ ନିଜର ଇସ୍ତଫା ପତ୍ରରେ ଆହୁରି ଲେଖିଛନ୍ତି, କଂଗ୍ରେସ ଇଚ୍ଛାଶକ୍ତି ଓ କ୍ଷମତା ଉଭୟ ହରାଇଛି। ରାହୁଲ ଗାନ୍ଧିଙ୍କୁ ମଧ୍ୟ ସେ ଟାର୍ଗେଟ କରିଛନ୍ତି। ​‌ସେ କହିଛନ୍ତି, ଯେତେବେଳେ ରାହୁଲ ଗାନ୍ଧିଙ୍କୁ ଜାନୁଆରୀ ୨୦୧୩ରେ ଦଳର ଅଧ୍ୟକ୍ଷ କରାଗଲା ସେତେବେଳେ ଦଳର ଖରାପ ସମୟ ଆରମ୍ଭ ହେଲା। ତାଙ୍କର ଏଣ୍ଟ୍ରି ପରେ ସବୁ ବରିଷ୍ଠ ଓ ଅନୁଭବୀ ନେତାଙ୍କୁ ଅଣଦେଖା କରାଗଲା। ଅଣ-ଅନୁଭବୀ ଓ ଚାଟୁକାରଙ୍କୁ ନେଇ ନୂଆ ଗ୍ରୁପ୍ ତିଆରି କରାଗଲା ଓ ତାଙ୍କ ଦ୍ବାରା ଦଳ ଚଳାଗଲା। ରାହୁଲଙ୍କ ଅପରିପକ୍ୱତାର ସବୁଠାରୁ ସ୍ପଷ୍ଟ ଉଦାହରଣ ଭିତରୁ ଗୋଟିଏ ହେଲା ସେ ଗଣମାଧ୍ୟମ ଆଗରେ ଏକ ସରକାରୀ ଅଧ୍ୟାଦେଶକୁ ଚିରିଦେବା। ସେହି ଅଧ୍ୟାଦେଶ ଭାରତର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳ ଦ୍ବାରା ସର୍ବସମ୍ମତିରେ ପାସ୍‌ କରାଯାଇଥିଲା। ତାକୁ ଭାରତର ରାଷ୍ଟ୍ରପତି ମଧ୍ୟ ଅନୁମୋଦିତ କରିଥିଲେ। ଏବେ ଭାରତ ଭାରତ ଯୋଡ ଯାତ୍ରା ଅପେକ୍ଷା କଂଗ୍ରେସ ଯୋଡ ଯାତ୍ରା ବାହାର କରିବା ଦରକାର।’

ଉଲ୍ଲେଖନୀୟ ଯେ, ଗୁଲାମ ନବୀ ଆଜାଦ ଦୀର୍ଘ ସମୟ ଧରି କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିଲେ। ସେ କଂଗ୍ରେସର ଅସନ୍ତୁଷ୍ଟ ନେତାଙ୍କ ଜି-୨୩ ଦଳରେ ମଧ୍ୟ ରହିଛନ୍ତି। ଜି-୨୩ ଗୋଷ୍ଠୀ କଂଗ୍ରେସରେ ଲଗାତାର ବହୁ ପରିବର୍ତ୍ତନ କରିବାକୁ ଦାବି କରୁଛି। ଗୁଲାମ ନବୀ ଆଜାଦଙ୍କ ଅସନ୍ତୋଷ ସେତେବେଳେ ସାମନାକୁ ଆସିଥିଲା, ଯେତେବେଳେ ସେ ଅଭିଯାନ ସମିତିର ଅଧ୍ୟକ୍ଷ ହେବାର କିଛି ଘଣ୍ଟା ପରେ ପଦରୁ ଇସ୍ତଫା ଦେଇଥିଲେ। ସୋନିଆ ଗାନ୍ଧି ଚାହୁଁଥିଲେ କଂଗ୍ରେସ ଜମ୍ମୁ-କଶ୍ମୀରରେ ଗୁଲାମ ନବୀଙ୍କ ନେତୃତ୍ବରେ ବିଧାନସଭା ନିର୍ବାଚନ ଲଢୁ। ତେଣୁ ତାଙ୍କୁ ନିର୍ବାଚନ ଅଭିଯାନ କମିଟିର ଅଧ୍ୟକ୍ଷ କରାଯାଇଥିଲା। କିନ୍ତୁ ଗୁଲାମ ନବୀ ପଦ ମିଳିବାର କିଛି ଘଣ୍ଟା ପରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ। ଏହାପରେ ତାଙ୍କୁ ନେଇ ରାଜନୈତିକ ଜଗତରେ ବିଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଥିଲା।

ବିଭିନ୍ନ ପ୍ରସଙ୍ଗକୁ ନେଇ ଗୁଲାମ ନବୀ ଆଜାଦ ଓ କଂଗ୍ରେସ ଭିତରେ ମତଭେଦ ଖବର ଆସୁଛି। ସେ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ କଥା ହେଉ କିମ୍ବା କିଛି ପ୍ରସଙ୍ଗକୁ ନେଇ ପାର୍ଟିର ଷ୍ଟାଣ୍ଡ ଉପରେ। ଗୁଲାମ ନବୀ ଆଜାଦ ସେହି ଜି-୨୩ ର ମଧ୍ୟ ଅଂଶ, ଯିଏକି ପାର୍ଟିରେ ବହୁ ବଡ ପରିବର୍ତ୍ତନ କରିବାକୁ ଚାହାନ୍ତି।  ଗୁଲାମ ନବୀ ପାର୍ଟିରୁ ଇସ୍ତଫା ଏହି ସମୟରେ ଦେଇଛନ୍ତି ଯେତେବେଳେ କଂଗ୍ରେସ କିଛି ସମୟ ପାଇଁ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନକୁ ଘୁଞ୍ଚାଇ ଦେଇଛି। ଗୁଲାମ ନବୀଙ୍କ ପୂର୍ବରୁ କପିଲ ସିବଲା, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜୟବୀର ଶେରଗିଲ, ଜିତିନ ପ୍ରସାଦ, ସୁନିଲ ଜାଖଡ, କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଭଳି ନେତା ମଧ୍ୟ ପାର୍ଟି ଛାଡି ସାରିଛନ୍ତି। ଏହା ପୂର୍ବରୁ କଂଗ୍ରେସର ଜଣେ ବରିଷ୍ଠ ନେତା କପିଲ ସିବଲ ପାର୍ଟିରୁ ଇସ୍ତଫା ଦେଇଥିଲେ। ତାଙ୍କୁ ସମାଜବାଦୀ ପାର୍ଟି ରାଜ୍ୟସଭା ମଧ୍ୟ ପଠାଇଛି।


Share It

Comments are closed.