କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଡ଼ ଆର୍ଥିକ ପ୍ୟାକେଜର ଘୋଷଣା! ସ୍ବାସ୍ଥ୍ୟକ୍ଷେତ୍ର ପାଇଁ ୫୦ ହଜାର କୋଟି ଓ କୋଭିଡ ପ୍ରଭାବିତ ସେକ୍ଟର ପାଇଁ ୧.୧ ଲକ୍ଷ କୋଟିର ପ୍ୟାକେଜ


ଦେଶରେ କରୋନା ସଂକ୍ରମଣ ମଧ୍ୟରେ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନାରେ ପ୍ରଭାବିତ ସେକ୍ଟରମାନଙ୍କ ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ସ୍କିମ୍ ଘୋଷଣା କରିଛନ୍ତି । ଏହି ଯୋଜନା ଆଧାରରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ସର୍ବାଧିକ ୫୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିବା ବେଳେ ଅନ୍ୟ ସେକ୍ଟରମାନଙ୍କ ପାଇଁ ୬୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଛି ।

ଏହା ସହିତ ୭.୯୫ ପ୍ରତିଶତ ସୁଧରେ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଲୋନ ଦିଆଯିବାକୁ ଘୋଷଣା କରାଯାଇଛି । ସେହିଭଳି ଅନ୍ୟ ସେକ୍ଟରମାନଙ୍କ ପାଇଁ ୮.୨୫ ପ୍ରତିଶତ ସୁଧ ହାରରେ ଋଣ ଯୋଗାଇଦିଆଯିବ । ଏହାସହିତ ଟ୍ରାଭେଲ ଏଜେନ୍ସିମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଏବଂ ପର୍ଯ୍ୟଟକ ଗାଇଡମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ ଯେଉଁଥି​‌ରେ ଉପକୃତ ହେବେ ଦେଶର ୧୧ ହଜାର ଟୁରିଷ୍ଟ ଗାଇଡ୍ ।

ଦେଶର ୨୫ ଲକ୍ଷ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୧.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ଯୋଗାଇଦେବେ କେନ୍ଦ୍ର ସରକାର । ଏହାସହିତ ଦେଶରେ ନଭେମ୍ବର ମାସ ଯାଏଁ ଜାରି ରହିବ ଗରିବ ଅନ୍ନ କଲ୍ୟାଣ ଯୋଜନା । ଦେଶରେ କରୋନା ସଂକ୍ରମଣ ପ୍ରତିବନ୍ଧକ ହଟାଯିବାପରେ ବିଦେଶରୁ ଭାରତ ଆସିବାକୁ ଥିବା ପ୍ରଥମ ୫ ଲକ୍ଷ ଯାତ୍ରୀଙ୍କ ପାଇଁ ଭିସା ଫିସ୍ ଛାଡ କରାଯିବ । ଏହି ସ୍କିମ୍ ୨୦୨୨ ମସିହା ମାର୍ଚ୍ଚ ୩୧ ଯାଏଁ ଲାଗୁ ରହିବ । ଏଥିପାଇଁ କେନ୍ଦ୍ର ସରକାର ଖର୍ଚ୍ଚ କରିବେ ୧୦୦ କୋଟି ଟଙ୍କା । ଏହି ଯୋଜନାରେ ଜଣେ ଯାତ୍ରୀ କେବଳ ଥରେ ହିଁ ଏହି ସୁବିଧା ପାଇପାରିବେ ।

ଦେଶରେ ମେଡିକାଲ ସୁବିଧା ବୃଦ୍ଧି କରାଯିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସ୍ବାସ୍ଥ୍ୟ ସେବାକୁ ଆହୁରି ବ୍ୟାପକ କରାଯାଇ ଦେଶର ଜନସାଧରଣଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ।


Share It

Comments are closed.