ଏଫ୍‌ସିଆଇ ରାଜ୍ୟରୁ ଅଧିକ ଧାନ କ୍ରୟ କରିବା ଉଚିତ୍ : ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

କୃଷି ଓଡିଶା ୨୦୨୩ରେ ୬୦ କୃଷକ ସମ୍ମାନିତ


ଭୁବନେଶ୍ୱର, ୧୭ ଫେବୃଆରୀ ୨୦୨୩:  ଆଜି କୃଷି ଓଡିଶା ୨୦୨୩ରରେ ଓଡିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସାର୍ବଜନିନ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ‘ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ)  ଓଡିଶାରୁ ଅଧିକ ଧାନ କ୍ରୟ କରିବା ପାଇଁ ଏହାର ପ୍ରୟାସ ବୃଦ୍ଧି କରିବା ଉଚିତ ଯାହାଫଳରେ ଦେଶବାସୀଙ୍କ ପାଇଁ ଦୈନନ୍ଦିନ ଭୋଜନ ସୁନିଶ୍ଚିତ ହୋଇପାରିବ । ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକି) ସହ ମିଳିତ ଭାବେ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ କୃଷି ଓଡିଶା ୨୦୨୩ର ୨ୟ ଦିନରେ ଶ୍ରୀଯୁକ୍ତ ପଣ୍ଡା ମତବ୍ୟକ୍ତ କରି କହିଛନ୍ତିଯେ, ‘ସାରା ରାଜ୍ୟରେ ମଣ୍ଡିରୁ ଧାନ ଉଠାଇବାର ଚାହିଦା ବୃଦ୍ଧିପାଇଛି । ଧାନ କ୍ରୟ ପ୍ରକ୍ରିୟା ବୃଦ୍ଧି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟର ଆବଶ୍ୟକତା ରହିଛି ।

ଓଡିଶା ତତ୍କାଳ ଜଳସେଚନ ଆଡକୁ ଅଗ୍ରସର ହେଉଥିବା ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା କହିଥିଲେ, ଭୁବନେଶ୍ୱରର ହାଇଟେକ୍‌, ବାଲିଅନ୍ତା, ଧଉଳି ନିକଟରେ ୩ଟି ବ୍ୟାରେଜ୍ ବିକଶିତ କରାଯାଉଛି ଯାହା ରାଜଧାନୀ ଆଖପାଖ ଅଂଚଳରେ ରହୁଥିବା କୃଷକମାନଙ୍କୁ ସାହାଯ୍ୟ କରିବ । ଉଦ୍ୟାନ କୃଷି, ଫୁଲ ଚାଷ ଓ ସମ୍ବନ୍ଧିତ କ୍ଷେତ୍ରଗୁଡିକ ଏଭଳି ପ୍ରକଳ୍ପଗୁଡିକରୁ ବହୁତ ପ୍ରୋତ୍ସାହନ ପାଇବ ।’

ସେହିପରି ସମବାୟ ବିଭାଗର ମୁଖ୍ୟ ସଚିବ ଶ୍ରୀ ସଞ୍ଜୀବ କୁମାର ଚଡ୍ଡା କହିଛନ୍ତି, ‘ ଓଡିଶାରେ ଧାନ ଫସଲ ଅଧିନରେ ଥିବା ଅଂଚଳ ପ୍ରାୟ ୩୫ ଲକ୍ଷ ହେକ୍ଟର ହେବ । ଆମେ ଧାନ ଉତ୍ପାଦନରେ ଆତ୍ମ-ନିର୍ଭରଶୀଳ ଅଟୁ । କୃଷକମାନଙ୍କ ଆୟ ବୃଦ୍ଧି କରିବା ପାଇଁ ଆମକୁ କ୍ୟାଶ୍ କ୍ରପ୍ କଲ୍ଟିଭେଶନ ଓ ଫସଲ ବିବିଧକରଣ ପ୍ରକ୍ରିୟାକୁ ଆପଣାଇବାକୁ ହେବ । କ୍ୟାଶ କ୍ରପ୍ ହେଉଛି ସରକାରଙ୍କ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର । କୃଷକମାନଙ୍କୁ ସହଯୋଗ କରିବା ପାଇଁ ଆମେ ଆସନ୍ତା ୬ ମାସ ମଧ୍ୟରେ ରାଜ୍ୟର ପ୍ରତ୍ୟେକ ହର୍ଟିକଲ୍‌ଚର କ୍ଲଷ୍ଟର୍‌ରେ ଶୀତଳ ଭଣ୍ଡାର ସ୍ଥାପନ କରିବା ପାଇଁ ଏକ ଯୋଜନା କାର୍ଯ୍ୟକାରୀ କରୁଛୁ ।’

ଓୟୁଏଟି, ଭୁବନେଶ୍ୱରର ଭିସି ଡଃ ପ୍ରଭାତ କୁମାର ରାଉଳ କହିଛନ୍ତି, ‘କୃଷି କାର୍ଯ୍ୟରେ ବୈଷୟିକ ଉପଯୋଗ ଆମର କୃଷକମାନଙ୍କୁ ଉତ୍ପାଦନ ଓ ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିଛି । ଏଥିସହିତ ଡଃ ରାଉଳ ରାଜ୍ୟରେ ଅଧିକ କୃଷି ଯାନ୍ତ୍ରିକୀକରଣ ଓ ଉଦ୍ୟୋଗୀକରଣର ବିକାଶ ପାଇଁ ଆହ୍ୱାନ ଦେଇଛନ୍ତି ।’

ଅଧିକାଂଶ କୃଷି ଶ୍ରମିକ ମହିଳା ହୋଇଥିବା ଦାବି କରି ବିଏମ୍‌ସି ମେୟର ଶ୍ରୀମତି ସୁଲୋଚନା ଦାସ କହିଛନ୍ତି, ‘ଆମକୁ ବିଭିନ୍ନ ଟେକ୍ନୋଲୋଜି ମାଧ୍ୟମରେ ଆମର ମହିଳାମାନଙ୍କୁ ସଶକ୍ତ କରିବାର ଆବଶ୍ୟକତା ରହିଛି । ଆମକୁ ଆମର କୃଷି ଜଳବାୟୁକୁ ସ୍ଥିର କରିବାକୁ ହେବ । ରାଜ୍ୟ ସରକାର କୃଷିକାର୍ଯ୍ୟର ବିଭିନ୍ନ କ୍ଷେତ୍ରରେ ଅଧିକରୁ ଅଧିକ ମହିଳାଙ୍କୁ ନିୟୋଜିତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।’

ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମୃତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ମଧ୍ୟ ମଂଚରେ ଉପସ୍ଥିତ ଥିଲେ ।

କୃଷି ଓଡିଶାର ୨ୟ ଦିନରେ କାର୍ଯ୍ୟକ୍ରମ ସମୟରେ ରାଜ୍ୟର ୬୦ ଜଣ କୃଷକଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରଗୁଡିକରେ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା ।


Share It

Comments are closed.