ରିଷଭ ପନ୍ତ ଆହତ, ଡେଭିଡ୍ ୱାର୍ଣ୍ଣର ଧରିଲେ ଦିଲ୍ଲୀ କ୍ୟାପିଟାଲ ମଙ୍ଗ


ଭୟଙ୍କର ସଡକ ଦୁର୍ଘଟଣାରେ ଆହତ ହେବା ପରେ ଆଇପିଏଲରୁ ବାଦ୍ ପଡିସାରିଛନ୍ତି ରିଷଭ ପନ୍ତ । ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ଥିବା ଏହି ଖେଳାଳି, ଏଥର ଆଇପିଏଲରୁ ବାଦ୍ ପଡିବା ଦିଲ୍ଲୀ ଫ୍ୟାନ୍ସକୁ ନିରାଶ କରିଛି । ତେବେ ଏହାରି ଭିତରେ ଆଗାମୀ ଆଇପିଏଲ୍ ସିଜିନ୍ ପାଇଁ ନୂଆ କ୍ୟାପଟେନ୍ ବାଛିଛି ଦିଲ୍ଲୀ କ୍ୟାପିଟାଲ୍ସ । ଅଷ୍ଟ୍ରେଲିଆର ଦୁର୍ଦ୍ଦଷ ଓପନର ଡେଭିଡ୍ ୱାର୍ଣ୍ଣରଙ୍କୁ ଦଳ ନୂଆ ଅଧିନାୟକ ନିଯୁକ୍ତ କରିଥିବାବେଳେ, ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଦଳ ଉପ-ଅଧିନାୟକ ଭାବେ ନିଯୁକ୍ତ କରିଛି ।

ଗୁରୁବାର ଦିଲ୍ଲୀ କ୍ୟାପିଟାଲ୍ସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏନେଇ ପ୍ରଥମେ ସୂଚନା ଦିଆଯାଇଥିଲା । ଦଳ ୱାର୍ଣ୍ଣର ଆଉ ଅକ୍ଷରଙ୍କର ଫଟୋ ସେୟାର କରି, ଦୁହିଁଙ୍କୁ କ୍ୟାପଟେନ୍ ଓ ଭାଇସ-କ୍ୟାପଟେନ୍ ଦାୟିତ୍ୱ ଦେଇଥିବା ସୂଚନା ଦେଇଥିଲା । ତେବେ ୩୬ ବର୍ଷୀୟ ୱାର୍ଣ୍ଣରଙ୍କ ପାଖରେ ପୂର୍ବରୁ ବି ଆଇପିଏଲ୍ କ୍ୟାପେଟନ୍ସି କରିବାର ଅଭିଜ୍ଞତା ଥିବାବେଳେ, ତାଙ୍କ କ୍ୟାପଟେନ୍ସିରେ ଦିଲ୍ଲୀ ଏଥର ଚାମ୍ପିୟନ୍ ହେବାକୁ ଲକ୍ଷ୍ୟ ରଖିଛି । ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ସି ମିଳିବା ପରେ ୱାର୍ଣ୍ଣର କହିଛନ୍ତି, ଏହି ଟିମ୍ ପାଇଁ ରିଷଭ ପନ୍ତ ଜଣେ ଶାନଦାର୍ କ୍ୟାପଟେନ୍ ଥିଲେ । ପୂରା ସିଜିନରେ ଆମେ ତାଙ୍କୁ ମିସ୍ କରିବୁ । ତେବେ ତାଙ୍କୁ କ୍ୟାପଟେନ୍ ଭାବେ ବାଛିଥିବାରୁ, ସେ ଦିଲ୍ଲୀ ଟିିମର ମ୍ୟାନେଜମେଣ୍ଟ ଆଉ ଫ୍ରାଞ୍ଚାଇଜକୁ ଧନ୍ୟବାଦ ଦେଇଛନ୍ତି । ଖୁବଶୀଘ୍ର ସାଥୀ ଖେଳାଳିଙ୍କ ସହ ପଡିଆକୁ ଓହ୍ଲାଇବାକୁ ୱାର୍ଣ୍ଣର ଉତ୍ସାହିତ ଥିବା କହିଛନ୍ତି ।

ଆଇପିଏଲରେ ଡେଭିଡ୍ ୱାର୍ଣ୍ଣରଙ୍କ କ୍ୟାପଟେନ୍ସି କଥା ଦେଖିବାକୁ ଗଲେ । ୱାର୍ଣ୍ଣର ଆଇପିଏଲ୍ ଜଣେ ସଫଳ ଅଧିନାୟକ । ସନରାଇଜର୍ସ ହାଇଦ୍ରାବାଦକୁ ସେ ୨୦୧୬ରେ ଚାମ୍ପିୟନ୍ କରାଇଥିବାବେଳେ, ତାଙ୍କ ପାଖରେ ଲମ୍ବା ସମୟ ଧରି ଅଧିନାୟକ ରହିବାର ଅଭିଜ୍ଞତା ମଧ୍ୟ ଅଛି । ତେବେ ଖାଲି ସେତିକି ନୁହେଁ, ପୂର୍ବରୁ ଥିବା ଦିଲ୍ଲୀ ଡେୟାରଡେଭିଲ୍ସ ଟିମର ମଧ୍ୟ କ୍ୟାପଟେନ୍ ରହିସାରିଛନ୍ତି ଡେଭିଡ୍ ୱାର୍ଣ୍ଣର । ବର୍ତମାନ ସୁଦ୍ଧା ୬୯ଟି ଆଇପିଏଲ୍ ମ୍ୟାଚରେ ୱାର୍ଣ୍ଣର କ୍ୟାପଟେନ୍ ରହିସାରିଥିବାବେଳେ, ତା ଭିତରୁ ୩୫ଟି ମ୍ୟାଚରେ ସେ ଟିମକୁ ଜିତାଇପାରିଛନ୍ତି । ସେହିପରି ୩୨ଟି ମ୍ୟାଚରେ ପରାଜୟ ଦେଖିଥିବାବେଳେ, ୱାର୍ଣ୍ଣରଙ୍କ କ୍ୟାପଟେନ୍ସିରେ ଦୁଇଟି ମ୍ୟାଚ୍ ଟାଇ ହୋଇଛି ।

ଦିଲ୍ଲୀ ଟିମର କ୍ୟାପଟେନ୍ ଘୋଷଣା ହେବା ପରେ ଏବେ ଆଇପିଏଲର ୧୦ଟି ଯାକ ଟିମର କେଉଁ କେଉଁ ଖେଳାଳି କ୍ୟାପଟେନ୍ ରହିବେ ତା ପକ୍କା ହୋଇଯାଇଛି । ନଜର ପକାନ୍ତୁ…ଏଥର ଆଇପିଏଲର କ୍ୟାପଟେନଙ୍କ ଲିଷ୍ଟ ଉପରେ…

ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ୍ ରୋହିତ ଶର୍ମା ଥିବାବେଳେ, ଚେନ୍ନାଇ ସୁପର କିଙ୍ଗସର କ୍ୟାପଟେନ୍ ରହିବେ ମହେନ୍ଦ୍ର ସିଂହ ଧୋନୀ । ସେହିଭଳି ଗୁଜରାଟ ଟାଇଟନ୍ସର ହାର୍ଦ୍ଦିକ ପାଣ୍ଡ୍ୟା, ଦିଲ୍ଲୀ କ୍ୟାପିଟାଲ୍ସର ଡେଭିଡ୍ ୱାର୍ଣ୍ଣର ଆଉ କୋଲକାତା ନାଇଟ୍ ରାଇଡର୍ସର କ୍ୟାପଟେନ୍ ଶ୍ରେୟାସ ଆୟାର ରହିପାରନ୍ତି । ଅନ୍ୟପଟେ ଶିଖର ଧାୱନ ପଞ୍ଜାବ କିଙ୍ଗସର କ୍ୟାପଟେନ୍ ରହିବାକୁ ଥିବାବେଳେ, ଫାଫ୍ ଡୁ ପ୍ଲେସିସ୍ ବାଙ୍ଗାଲୋର, କେ ଏଲ ରାହୁଲ ଲକ୍ଷ୍ନୌ, ସଞ୍ଜୁ ସାମସନ୍ ରାଜସ୍ଥାନ ରୟାଲ୍ସ ଓ ଏଡେନ୍ ମାର୍କରମ ସନରାଇଜର୍ସ ହାଇଦ୍ରାବାଦ ଟିମର କ୍ୟାପଟେନ୍ ରହିବେ ।

 


Share It

Comments are closed.