ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ , ୮ ଜିଲ୍ଲାକୁ ପ୍ରବଳ ବର୍ଷା


ବଙ୍ଗୋପସାଗରର କେନ୍ଦ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଉପକୂଳର କିଛି ଜିଲ୍ଲାରେ ପଡ଼ିବ । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବାନା ରହିଛି । ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସୂଚନା ଅନୁସାରେ,ଆସନ୍ତାକାଲି ମଧ୍ୟ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏଭଳି ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି ।

୬ ତାରିଖରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲାର କେତେକ ସ୍ଥାନରେ ‌ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସେହିଭଳି ଗଜପତି, ଗଞ୍ଜାମ, ରାୟଗଡ଼ା, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ମୟୂରଭଞ୍ଜ, ବାଲେଶ୍ବର, ଅନୁଗୁଳ ଓ କେନ୍ଦୁଝର ଆଦି ଜିଲ୍ଲାର କିଛି ଅଂଶରେ ପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ରାଜ୍ୟରେ ଦୁର୍ବଳ ପଡ଼ିଥିବା ମୌସୁମୀ । ଖୁବଶୀଘ୍ର ସ୍ୱାଭାବିକ ସ୍ଥିତିକୁ ଫେରିବ । ଫଳରେ ବଢ଼ିପାରେ ବର୍ଷା ପରିମାଣ । ଚଳିତ ମୌସୁମୀ ଋତୁରେ ଜୁନ୍‌ରୁ ଆଜି ସୁଦ୍ଧା ରାଜ୍ୟରେ ୧୭୧.୭ ମିଲିମିଟର ବର୍ଷା ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ୨୪୭.୪ ମିଲିମିଟର ତୁଳନାରେ ୩୧ ପ୍ରତିଶତ ନିଅଣ୍ଟିଆ । ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୩୩୧.୮ ମିଲିମିଟର ବର୍ଷା ହୋଇଛି । ରାୟଗଡ଼ା ଜିଲ୍ଲାରେ ରେକର୍ଡ ହୋଇଛି ସର୍ବନିମ୍ନ ୫୬.୭ ମିଲିମିଟର ବର୍ଷା ।

ସୂଚନାଯୋଗ୍ୟ, ଜୁଲାଇ ମାସରେ ରାଜ୍ୟ ତଥା ଦେଶରେ ସ୍ବାଭାବିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ପୂର୍ବାନୁମାନ କରାଯାଇଛି । କେନ୍ଦ୍ରୀୟ ଭାରତର ଅଧିକାଂଶ ସ୍ଥାନ ସହ ସଂଲଗ୍ନ ଅଞ୍ଚଳ, ପୂର୍ବ ଭାରତ ସହ ଉତ୍ତର-ପୂର୍ବ ଓ ଉତ୍ତର- ପଶ୍ଚିମ ଭାରତର କିଛି କିଛି ଅଞ୍ଚଳରେ ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ । ଏହାସହ ଏଥର ଜୁଲାଇ (July) ମାସରେ ଦେଶ ତଥା ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା (temperature) ସ୍ବାଭାବିକଠାରୁ ଅଧି୍କ ରହିବ । ତେବେ ରାଜ୍ୟର କିଛି କିଛି ଅଞ୍ଚଳରେ ଜୁଲାଇରେ ନିଅଣ୍ଟିଆ ବର୍ଷା ସମ୍ଭାବନା ରହୁଥିବାରୁ ଜୁନ୍ ର ନିଅଣ୍ଟିଆ ସ୍ଥିତି ଜୁଲାଇରେ ଭରଣା ହେବ ବୋଲି କୁହାଯାଇଛି । ତେବେ ଏହି ଖବର ଚାଷୀ କୂଳକୁ ଆଶ୍ବସ୍ତି ଦେଇଛି । ଜୁନ୍ ମାସରେ କଳାହାଣ୍ତି, କେନ୍ଦ୍ରାପଡ଼ା, ରାୟଗଡ଼ା, କନ୍ଧମାଳ ଜିଲ୍ଲାରେ ସମୁଦାୟ ବର୍ଷା ୧୦୦ ମି.ମିରୁ କମ୍ ବର୍ଷା ହୋଇଛି । ସେହିପରି ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଆଦି ଜିଲ୍ଲାରେ ୧୦୦ରୁ ୫୦୦ ମିମି ବର୍ଷା ହୋଇଛି ।


Share It

Comments are closed.