ଷ୍ଟାର୍ଟଅପ୍‌ଙ୍କ ପାଇଁ ଓଡ଼ିଶା ସୁଯୋଗର ଉପଯୁକ୍ତ ସ୍ଥାନ: ଶିଳ୍ପ ବିଶେଷଜ୍ଞ

. ଏମ୍‌ଏସ୍‌ଏମ୍‌ଇଙ୍କୁ ସାହାଯ୍ୟ କରିବା ଲାଗି ବଡ଼ ଶିଳ୍ପମାନଙ୍କୁ ଆହ୍ୱାନ . ଲଜି କନେକ୍ଟ ଏକ୍ସପୋ ଉପରେ ରୋଡ୍ ସୋ’ ଆୟୋଜିତ


ଭୁବନେଶ୍ୱର: ଷ୍ଟାର୍ଟଅପ୍‌ମାନଙ୍କ ପାଇଁ ଓଡ଼ିଶାକୁ ସୁଯୋଗର ଗନ୍ତାଘର ବୋଲି ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ନୂଆ ଅଧ୍ୟକ୍ଷ ଶ୍ରୀ ଶଶି ଶେଖର ମହାନ୍ତି କହିଛନ୍ତି । ସେ କହିଲେ ରାଜ୍ୟରେ ରହିଥିବା ସୁଦୃଢ଼ ବ୍ୟବସ୍ଥା ଜରିଆରେ ଯେକୌଣସି ଉଦ୍ୟୋଗୀ ନିଜ ଯାତ୍ରାକୁ ଯେ ମଧ୍ୟମଠାରୁ ଆରମ୍ଭ କରି ବୃହତ ଆକାରରରେ ଆରମ୍ଭ କରିପାରିବେ ।
ବୁଧବାର ଭୁବନେଶ୍ୱରଠାରେ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ଆୟୋଜିତ “ଓଡ଼ିଶା: ଏମ୍‌ଏସ୍‌ଏମ୍‌ଇ, ଉଦ୍ୟୋଗୀ, ଆଇଟି ଓ ଶିଳ୍ପ ପାଇଁ ଏକ ସୁଯୋଗର ଭୂମି’ ଶୀର୍ଷକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ରାଜ୍ୟରେ ଏବେ ୧୫୦୦ରୁ ଅଧିକ ଷ୍ଟାର୍ଟଅପ୍ ରହିଛନ୍ତି । ୨୦୨୫ ସୁଦ୍ଧା ଷ୍ଟାର୍ଟଅପ୍ ସଂଖ୍ୟାକୁ ୨୫୦୦ରେ ପହଂଚାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ରାଜ୍ୟରେ ଯେଉଁଭଳି ଅନୁକୂଳ ପରିବେଶ ରହିଛି ସେଠାରେ ଯେକୌଣସି ଉଦ୍ୟୋଗୀ ନିଜ ଯାତ୍ରାକୁ ସୁଚାରୁ ରୂପେ ଆରମ୍ଭ କରିପାରିବେ । ଆଇଟି ବ୍ୟବସାୟରେ ମଧ୍ୟ ଓଡ଼ିଶା ଦେଶର ଏକ ପ୍ରମୁଖ ରାଜ୍ୟ ଭାବେ ଉଭା ହୋଇଛି । ଦ୍ୱିତୀୟ ଶ୍ରେଣୀ ସହରଗୁଡ଼ିକ ମଧ୍ୟରେ ଆଇଟି ଶିଳ୍ପ ପାଇଁ ଏହା ଭବିଷ୍ୟତର ଉପଯୁକ୍ତ ସ୍ଥଳ ଭାବେ ଉଭା ହୋଇଛି । ରାଜ୍ୟ ସରକାରଙ୍କ ଆଇଟି ନୀତିରେ ରହିଥିବା ସୁବିଧାକୁ ଗ୍ରହଣ କରି ଆଇଟି କଂପାନିଗୁଡ଼ିକ ନିଜେ ସୁଦୃଢ଼ ହୋଇପାରିବେ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବେ ବୋଲି ସେ କହିଛନ୍ତି ।
ସିଆଇଆଇ ପୂର୍ବାଚଂଳର ଉପାଧ୍ୟକ୍ଷ ଶିବ ସିଦ୍ଧାର୍ଥ କୌଲ କହିଛନ୍ତି ଯେ ଏମ୍‌ଏସ୍‌ଏମ୍‌ଇ ହେଉଛନ୍ତି ଅର୍ଥନୀତିର ମେରୁଦଣ୍ଡ । ଓଡ଼ିଶା ଭଳି ରାଜ୍ୟରେ ଉଭୟ ଏମ୍‌ଏସ୍‌ଏମ୍‌ଇ ଓ ବଡ଼ ଶିଳ୍ପ ଲାଗି ଅନୁକୂଳ ପରିବେଶ ରହିବା ଦରକାର । ବଜାର ବିନା ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ବଂଚିପାରିବେ ନାହିଁ । ବିଭିନ୍ନ ଅଂଚଳ ସହ ସେମାନଙ୍କୁ ଯୋଡ଼ିବା ଲାଗି କାର୍ଯ୍ୟ କରିବା ହେଉଛି ବଡ଼ ଶିଳ୍ପ ସଂସ୍ଥାମାନଙ୍କ ଦାୟିତ୍ୱ । ଏଦିଗରେ ରହିଥିବା ଆହ୍ୱାନ ହେଉଛି ଏକ ଅନୁକୂଳ ପରିବେଶର ଆବଶ୍ୟକତା ବୋଲି ସେ କହିଛନ୍ତି । ପ୍ରବେଶ ପାଇଁ ଯେଉଁ କଠୋର ନିୟମ ରହିଛି ତାହାକୁ ନୂଆ ଏମ୍‌ଏସ୍‌ଏମ୍‌ଇମାନଙ୍କ ଲାଗି କୋହଳ କରିବାକୁ ସେ ବଡ଼ ସଂସ୍ଥାମାନଙ୍କୁ ଆହ୍ୱାନ ଦେଇଛନ୍ତି ।
ଜାଭାଷ୍ଟ୍ରା ଟେକ୍ନୋଲୋଜିସ୍‌ର ଏମ୍‌ଡି ଜେ ବି ପାଣି ଲଜିଷ୍ଟିକ୍ସ ଖର୍ଚ ହ୍ରାସ ଲାଗି ଏକ ଦୃଢ଼ ଲଜିଷ୍ଟିକ୍ସ ଭିତିଭୂମିର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଅନ୍ତର୍ଦେଶୀୟ ଜଳପଥରେ ଏନେଇ ବହୁତ ସୁଯୋଗ ରହିଛି । ସେଗୁଡ଼ିକୁ ବିକାଶ କରିବାକୁ ହେବ ଏବଂ ନଦୀକୁ ଆଉ କିଛି ମିଟର ଖୋଳି ଯାତାୟାତ ପାଇଁ ବ୍ୟବସ୍ଥା କରାଯାଇପାରିବ । ତାହା ଦ୍ୱାରା ଶିଳ୍ପ ସଂସ୍ଥାଗୁଡ଼ିକ ଉପକୃତ ହେବେ ଏବଂ ସ୍ଥାନୀୟ ଗ୍ରାମଗୁଡ଼ିକ ମଧ୍ୟ ଅର୍ଥନୈତିକ ଦୃଷ୍ଟିରୁ ସଶକ୍ତ ହୋଇପାରିବେ ବୋଲି ସେ କହିଛନ୍ତି ।
ବେଦାନ୍ତ ଲିମିଟେଡ୍‌ର ସଭାପତି-ଷ୍ଟ୍ରାଟେଜି ଆଣ୍ଡ୍ ବିଜନେସ୍ ଡେଭେଲପ୍‌ମେଂଟ୍ ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି ଯେ ଆଗକୁ ବଢ଼ିବା ଲାଗି ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇମାନଙ୍କ ପାଖରେ ବହୁତ ସୁଯୋଗ ରହିଛି । ସେହି ଲକ୍ଷ୍ୟ ହାସଲ କରିବା ଲାଗି ବଡ଼ ଶିଳ୍ପ ସଂସ୍ଥାଗୁଡ଼ିକ ଦ୍ୱାରା ସେମାନଙ୍କୁ ସହଯୋଗ ଓ ମେଟରିଂ ସହାୟତା ପ୍ରଦାନ କରିବାକୁ ପଡ଼ିବ । ଏମ୍‌ଏସ୍‌ଏମ୍‌ଇମାନଙ୍କ ବିକାଶ ଲାଗି ଏକ ପରିବେଶ ସୃଷ୍ଟି କରିବାକୁ ହେବ ବୋଲି ସେ କହିଥିଲେ ।
ଏହି ଅବସରରେ ଅତିଥିମାନେ କାର୍ନିଭାଲ୍ ଆୱାର୍ଡସ୍ ଫର ସିଆଇଆଇ ଓଡ଼ିଶା ୨୦୨୨-୨୩ ପ୍ରଦାନ କରିଥିଲେ । କୋଲକାଷ୍ର ନୂଆ ଟାଉନ୍ ରାଜରହାଟ୍‌ରେ ଅନୁଷ୍ଠିତ ହେବାକୁ ଥିବା ଲଜି କନେକ୍ଟ ଏକ୍ସପୋ ଉପରେ ଏକ ରୋଡ୍ ସୋ’ ଅନୁଷ୍ଠିତ ହୋଇଥିଲା । ଏହି ଏକ୍ସପୋରେ ଲଜିଷ୍ଟିକ୍ସ, ଯୋଗାଣ ଶୃଙ୍ଖଳ, ପରିବହନ, ସିପିଂ ଓ ବନ୍ଦର, ମାଟେରିଆଲ ହାଣ୍ଡଲିଂ, ଗୋଦାମ ଓ ଷ୍ଟୋରେଜ୍ ଉପକରଣ, କନସଲଟାନ୍ସି ଓ ଆଇଟି ସହ ଜଡ଼ିତ ସଂସ୍ଥାଗୁଡ଼ିକ ଅଂଶ ଗ୍ରହଣ କରି ସେମାନଙ୍କ ଉତ୍ପାଦ, ସେବା ଓ ସମାଧାନକୁ ପ୍ରଦର୍ଶିତ କରିପାରିବେ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସିଏସ୍‌ଏମ୍ ଟେକ୍ନୋଲୋଜିସ୍ ପ୍ରାଇଭେଟ୍ ଲିମିଟେଡ୍‌ର ସଭାପତି ଓ ସିଇଓ ଶ୍ରୀ ପ୍ରିୟଦର୍ଶୀ ନାନୁ ପାଣି, ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍‌ର ଏଭିପି ଭାଙ୍କା ଶିବ ରାମକ୍ରିଷ୍ଣନ ଓ ଏଟଂରପ୍ରାଇଜ୍ ସିଷ୍ଟମ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ସିଇଓ ସୁଧୀର ଜୈøସୱାଲ୍ ।

 


Share It

Comments are closed.