ସିଆଇଆଇ ସବୁଜ ଓଡ଼ିଶା କନକ୍ଲେଭ ଆୟୋଜିତସ୍ଥାୟୀ ପରିବେଶ ଦିଗରେ ଓଡ଼ିଶାର ଯାତ୍ରାକୁ ତ୍ୱରାନ୍ୱିତ କରିବ ଗ୍ରୀନ ବିଲ୍ଡିଂ


ଭୁବନେଶ୍ୱର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଇଣ୍ଡିଆନ ଗ୍ରୀନ ବିଲ୍ଡିଂ କାଉନସିଲ(ଆଇଜିବିସି), ଗ୍ରୀନ ଓଡ଼ିଶା କନକ୍ଲେଭ୍ ୨୦୨୪ର ବିପୁଳ ସଫଳତା ଘୋଷଣା କରି ଆନନ୍ଦିତ । ଏହା ହେଉଛି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ଉଦ୍ଭାବନ ଓ ସହଯୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ଏପ୍ରିଲ ୧୦, ୨୦୨୪ରେ ଭୁବନେଶ୍ୱରରେ ଅନୁଷ୍ଠିତ ଏହି କନକ୍ଲେଭରେ ସରକାର, ଶିଳ୍ପ, ଶିକ୍ଷାବିତ୍ ଏବଂ ନାଗରିକ ସମାଜର ବିଭିନ୍ନ ଅଂଶୀଦାର ସାମିଲ ହୋଇ ସବୁଜ ଅଭ୍ୟାସ ଓ ପ୍ରଯୁକ୍ତିବିଦ୍ୟା ଉପରେ ଆଲୋକପାତ କରିଥିଲେ ।
ଜଳବାୟୁ ପରିବର୍ତନ ଏବଂ ପରିବେଶ ଅବକ୍ଷୟର ମୁକାବିଲା ପାଇଁ ବିଶ୍ୱସ୍ତରୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗ୍ରୀନ ଓଡ଼ିଶା କନକ୍ଲେଭ୍ ୨୦୨୪ ଏକ ସବୁଜ ଏବଂ ଅଧିକ ସ୍ଥାୟୀ ଭବିଷ୍ୟତ ଗଠନ ଉଦ୍ଦେଶ୍ୟରେ ବୁଝାମଣା, ରଣନୀତି ଏବଂ ସର୍ବୋତମ ଅଭ୍ୟାସ ଆଦାନପ୍ରଦାନ କରିବା ପାଇଁ ଚିନ୍ତାଶୀଳ ନେତୃତ୍ୱ ଏବଂ ବିଶେଷଜ୍ଞମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଭାବରେ ଉଭା ହୋଇଛି ।
ଏହି ଅବସରରେ ଓଡ଼ିଶା ସରକାରଙ୍କ ପୂର୍ତ ବିଭାଗର ମୁଖ୍ୟ (ସିଭିଲ୍) ଯନ୍ତ୍ରୀ ମନୋରଞ୍ଜନ ମିଶ୍ର ପରିବେଶ ସମସ୍ୟା ସମାଧାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି, “ବିଗତ କିଛି ବର୍ଷ ମଧ୍ୟରେ ନିର୍ଗମନ ବୃଦ୍ଧି ପାଇଛି ଏବଂ କେବଳ ଭାରତରେ ୨୦୨୨ ସୁଦ୍ଧା ମୁଣ୍ଡପିଛା ନିର୍ଗମନ ୨ ଟନ୍ରେ ପହଂଚିଛି । ଗ୍ରୀନ ବିଲ୍ଡିଂ ଏବଂ ସ୍ଥାୟୀ ପ୍ରକଳ୍ପଗୁଡ଼ିକୁ ଆବଶ୍ୟକତା ଭାବରେ ଗ୍ରହଣ କରିବା ଜରୁରୀ ଅଟେ । ଗ୍ରୀନ ବିଲ୍ଡିଂ ଓ ସବୁଜ ପ୍ରକଳ୍ପ ପାଇଁ ଆମ ପାଖରେ କୌଣସି ବିକଳ୍ପ ନାହିଁ । ’’
ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ତଥା ଏସଏନଏମ ଗ୍ରୁପ ଅଧ୍ୟକ୍ଷ ଡା ପ୍ରଦୀପ୍ତ ମହାନ୍ତି ଓଡ଼ିଶାକୁ ସବୁଜ ପଦକ୍ଷେପର ଅଗ୍ରଣୀ ଭାବେ ଅବସ୍ଥାପିତ କରିବା ପାଇଁ ମିଳିତ ଆଭିମୁଖ୍ୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶାକୁ ସବୁଜ ପଦକ୍ଷେପର ନେତୃତ୍ୱ ଭାବେ ଗଢ଼ିତୋଳିବା ପାଇଁ ସମସ୍ତ ଅଂଶୀଦାରଙ୍କ ମିଳିତ ପ୍ରୟାସ ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି । ବିଭିନ୍ନ କ୍ଷେତ୍ରରେ ସ୍ଥାୟୀ ଅଭ୍ୟାସ ବୃଦ୍ଧି ପାଇଁ ଗବେଷଣା ଏବଂ ବିକାଶକୁ ପ୍ରାଥମିକତା ଦେବା ଗୁରୁତ୍ୱପୂର୍ଣ୍ଣ । ଖଣି, ଇସ୍ପାତ ଓ ବୟନ ଶିଳ୍ପ ଭଳି ପ୍ରମୁଖ ଶିଳ୍ପକୁ ଆକୃଷ୍ଟ କରି ଓଡ଼ିଶାରେ ଦ୍ରୁତ ଅଭିବୃଦ୍ଧି ହେଉଥିବାରୁ ଦକ୍ଷତା ବିକାଶ ଜରୁରୀ ହୋଇପଡ଼ିଛି । ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏହି ଶିଳ୍ପଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ହେଁ ଏହା ପରିବେଶ ପାଇଁ ବିପଦ ସୃଷ୍ଟି କରିଥାଏ । ଏହି ବିପଦକୁ ହ୍ରାସ କରିବା ପାଇଁ ଶିଳ୍ପଗୁଡ଼ିକର ପରିବେଶଗତ ପାଦଚିହ୍ନକୁ ହ୍ରାସ କରିବା ପାଇଁ ମିଳିତ ପଦକ୍ଷେପର ଆବଶ୍ୟକତା ରହିଛି ।”
ଆଇଜିବିସି ଭୁବନେଶ୍ୱର ଚାପ୍ଟରର ଅଧ୍ୟକ୍ଷ ମନୋଜ କର ସ୍ୱାଗତ ଭାଷଣ ଦେଇ ଜଳବାୟୁ ପରିବର୍ତନର ମୁକାବିଲାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ବାଙ୍ଗାଲୋର ଭଳି ସହରରେ ଘୋର ଜଳ ସଙ୍କଟ ଦେଖାଦେଉଥିବା ବେଳେ ଜଳବାୟୁ ପରିବର୍ତନର ପ୍ରଭାବ ଆମେ ପ୍ରତ୍ୟକ୍ଷ ଭାବେ ଦେଖୁଛୁ ବୋଲି ସେ ପ୍ରକାଶ କରିଛନ୍ତି । ଜଳବାୟୁ ପରିବର୍ତନର ପ୍ରଭାବକୁ ଅନୁଭବ କରିଥିବା ପ୍ରଥମ ପିଢ଼ି ଭାବରେ, ଆମେ ଏହି ବିପଦକୁ ସୁଧାରିବାର ଦାୟିତ୍ୱ ବହନ କରୁଛୁ । ନିର୍ମାଣ ଶିଳ୍ପ, ଯାହା ବର୍ତମାନ କାର୍ବନ ନିର୍ଗମନରେ ୮% ଯୋଗଦାନ ଦେଉଛି, ଏହାର କାର୍ବନ ପରିମାଣକୁ ଯଥେଷ୍ଟ ପରିମାଣରେ ହ୍ରାସ କରିବା ପାଇଁ ସବୁଜ ବିଲ୍ଡିଂ ମାନଦଣ୍ଡ ଏବଂ ସ୍ଥାୟୀ ଅଭ୍ୟାସ ଦିଗରେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ।
ଏମ ଆନନ୍ଦ ତାଙ୍କ ଉପସ୍ଥାପନାରେ ସବୁଜ ବିଲ୍ଡିଂର ବିକାଶ ପାଇଁ ପ୍ରମୁଖ ସବୁଜ ଚିନ୍ତାଧାରା, ସର୍ବୋତମ ଅଭ୍ୟାସ ଏବଂ ଖର୍ଚ୍ଚ ସଂଚୟ ବିଷୟରେ ଆଲୋକପାତ କରିଥିଲେ । ସେ ସମଗ୍ର ଦେଶରେ ଆଇଜିବିସି ଦ୍ୱାରା ପ୍ରମାଣିତ ହେଉଥିବା ଅନେକ ଉଲ୍ଲେଖନୀୟ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ବିଭିନ୍ନ ବିଲ୍ଡିଂ ଟାଇପୋଲୋଜିର ୧୩୬୦୦ ପ୍ରକଳ୍ପ ମାଧ୍ୟମରେ ଭାରତ ୧୧.୬୨ ବିଲିୟନ ବର୍ଗ ମିଟର ପଞ୍ଜୀକୃତ ସବୁଜ ପାଦଚିହ୍ନ ସହିତ ଶୀର୍ଷରେ ରହିଛି । ଓଡ଼ିଶାରେ ଆଇଜିବିସି ସହ ୧୦୦ରୁ ଅଧିକ ପ୍ରକଳ୍ପ ସବୁଜ ହୋଇଛନ୍ତି ।
ଏହି ଉଦଘାଟନୀ ଅବସରରେ ଆଇଜିବିସି ଭୁବନେଶ୍ୱର ଚାପ୍ଟରର ସହଅଧ୍ୟକ୍ଷ ସୋଫିଆ ଫିରଦୌସ ସମାପନୀ ଭାଷଣ ଦେଇଥିଲେ । ସିଆଇଆଇ ଆଇଜିବିସି ଭୁବନେଶ୍ୱର ଚାପ୍ଟରର ନୂଆ ଅଧ୍ୟକ୍ଷ ଭାବେ ମନଞ୍ଜୟ ରଥ ଓ ସହଅଧ୍ୟକ୍ଷ ଭାବେ ସୋଫିଆ ଫିରଦୌସ ନିର୍ବାଚିତ ହୋଇଛନ୍ତି ।
ଆଇଜିବିସିର ଉପନିର୍ଦ୍ଦେଶକ ଏମ ଆନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଓଡ଼ିଶା ସରକାରଙ୍କ ପୂର୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ମନୋରଞ୍ଜନ ମିଶ୍ର, ଇଡକୋ ସିଜିଏମ୍-ପରିବେଶ ଅଶୋକ କୁମାର ମିଶ୍ର, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ବିମାନବନ୍ଦର ନିର୍ଦେଶକ ପ୍ରସନ୍ନ ପ୍ରଧାନ ଏବଂ ବିଏମସି ସିଟି ଇଞ୍ଜିନିୟର ବିକାଶ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମକୁ କ୍ରେଡାଇ, ଆଇଆଇଏ, ଆଇଆଇଆଇଡି ଏବଂ ଆଇଏସଏଚଆରଏଇର ସ୍ଥାନୀୟ ଚାପ୍ଟର ସମର୍ଥନ କରିଥିବାବେଳେ, ଏଥିରେ ସରକାରୀ ବିଭାଗ, ବିଲ୍ଡିଂ ଶିଳ୍ପ ଏବଂ କର୍ପୋରେଟର ୧୭୫ରୁ ଅଧିକ ପ୍ରମୁଖ ଅଂଶୀଦାର ଅଂଶଗ୍ରହଣ କରିଥିଲେ ।


Share It

Comments are closed.