ଇତିହାସ ରଚିବାର ନିକଟତର ହେଲା ଚନ୍ଦ୍ରାୟନ -୩ , ଅଲଗା ହେବାକୁ ପ୍ରସ୍ତୁତ ବିକ୍ରମ ଲାଣ୍ଡର


ଭାରତର ମହତ୍ୱାକାଂକ୍ଷୀ ମିଶନ ଚନ୍ଦ୍ର ଅଧୀନରେ ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ପଞ୍ଚମ ତଥା ଅନ୍ତିମ କକ୍ଷପଥରେ ପ୍ରବେଶ କରିଛି ଏବଂ ଏବେ ଲ୍ୟାଣ୍ଡର ବିକ୍ରମକୁ ଅଲଗା କରିବା ପ୍ରକ୍ରିୟା ମଧ୍ୟ ଚାଲିଛି । ଅଗଷ୍ଟ ୧୭ ତାରିଖ ସକାଳେ ଲ୍ୟାଣ୍ଡର ଅଲଗା ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଯାହା ପରେ ଏବେ ପ୍ରୋପଲସନ ମଡ୍ୟୁଲ ଏବଂ ବିକ୍ରମ ଲ୍ୟାଣ୍ଡର ଅଲଗା ହେବାକୁ ପ୍ରସ୍ତୁତ ଅଛନ୍ତି । ଅର୍ଥାତ୍ ଏବେ ଚନ୍ଦ୍ରରେ ଭାରତର ଚନ୍ଦ୍ରଯାନ-୩ର ଅବତରଣକୁ ଆଉ ମାତ୍ର କିଛି ଦିନ ବାକି ଅଛି।

ଲ୍ୟାଣ୍ଡର ଡିବୁଷ୍ଟ ଦେଇ ଯିବ

ଅଲଗା ହେବା ପରେ ଲ୍ୟାଣ୍ଡର ବିକ୍ରମକୁ ୩୦ କିଲୋମିଟରର ନିକଟତମ ବିନ୍ଦୁ (ପେରିଲ୍ୟୁନ) ଏବଂ ୧୦୦ କିଲୋମିଟରର ସବୁଠାରୁ ଦୂର ବିନ୍ଦୁ (ଆପୋଲୁନ୍) ସହିତ କକ୍ଷପଥରେ ରଖିବା ପାଇଁ ଏକ “ଡିବୁଷ୍ଟ” (ମନ୍ଥର ପ୍ରକ୍ରିୟା) ଦେଇ ଗତି କରିବାକୁ ପଡିବ । ଏହି କକ୍ଷପଥରେ ପହଞ୍ଚିବା ପରେ ଅଗଷ୍ଟ ୨୩ ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରାଯିବ। ଏଥର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରେ ସଫଳତାର ସହ ଅବତରଣ କରିବ ବୋଲି ଇସ୍ରୋ ବୈଜ୍ଞାନିକମାନେ ବିଶ୍ୱାସ କରୁଛନ୍ତି।

ଚନ୍ଦ୍ରର ନିକଟତର ହେଲା ଚନ୍ଦ୍ରଯାନ-୩

ଏହା ପୂର୍ବରୁ ଇସ୍ରୋ ଟୁଇଟ୍ କରି କହିଥିଲା ଯେ ଚନ୍ଦ୍ରଯାନ-୩ ଚନ୍ଦ୍ରର ୧୫୩ କିଲୋମିଟର x ୧୬୩ କିଲୋମିଟର କକ୍ଷପଥରେ ସ୍ଥାପିତ ହୋଇଛି, ଯାହା ପୂର୍ବରୁ ଆକଳନ କରାଯାଇଥିଲା। ଜୁଲାଇ ୧୪ରେ ଉତକ୍ଷେପଣ ପରେ ଚନ୍ଦ୍ରଯାନ-୩ ଅଗଷ୍ଟ ୫ରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା। ଏହାପରେ ଅଗଷ୍ଟ ୬, ୯ ଓ ୧୪ ତାରିଖରେ ଏହା ଚନ୍ଦ୍ରର ପରବର୍ତ୍ତୀ କକ୍ଷପଥରେ ପ୍ରବେଶ କରି ଚନ୍ଦ୍ରର ନିକଟତର ହୋଇଥିଲା।

ପ୍ରକୃତ ପରୀକ୍ଷା ଏପର୍ଯ୍ୟନ୍ତ ବାକି ଅଛି

ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଛନ୍ତି ଯେ ଅବତରଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଲ୍ୟାଣ୍ଡରର ବେଗକୁ ୩୦ କିଲୋମିଟର ଉଚ୍ଚତାରୁ ଚୂଡ଼ାନ୍ତ ଅବତରଣ ପର୍ଯ୍ୟନ୍ତ ଆଣିବା ପ୍ରକ୍ରିୟା ଏବଂ ଯାନକୁ ହୋରାଇଜେଂଟଲ ଦିଗରୁ ଭର୍ଟିକାଲ ଦିଗକୁ ନେବାର କ୍ଷମତା ହେଉଛି ସେହି ପ୍ରକ୍ରିୟା ଯେଉଁଠାରେ ଆମକୁ ଆମର ଦକ୍ଷତା ପ୍ରଦର୍ଶନ କରିବାକୁ ପଡିବ ।

ଏହି ପୂରା ପ୍ରକ୍ରିୟାକୁ ଅନେକ ଥର ପୁନରାବୃତ୍ତି କରାଯାଇଛି। ଏହି ସମସ୍ତ ପର୍ଯ୍ୟାୟରେ, ଆବଶ୍ୟକ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବା ଏବଂ ଉପଯୁକ୍ତ ଅବତରଣ କରିବାକୁ ଚେଷ୍ଟା କରିବା ପାଇଁ ଅନେକ ଆଲଗୋରିଦମ୍ ରଖାଯାଇଛି। ଯଦି ଅଗଷ୍ଟ ୨୩ ରେ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରେ ତେବେ ଏହା ଭାରତ ପାଇଁ ଏକ ବଡ଼ ସଫଳତା ହେବ ।


Share It

Comments are closed.