ମୁଖ୍ୟମନ୍ତ୍ରୀ ପଦରୁ ହଟି ପାରନ୍ତି ୟେଦୁରପା, କିଛି ଏଭଳି ଦେଲେ ସଂକେତ


କର୍ଣ୍ଣାଟକରେ ପୁଣି ଥରେ ରାଜନୈତିକ ନାଟକବାଜି ଆରମ୍ଭ ହୋଇ ଯାଇଛି। ରାଜ୍ୟରେ ନେତୃତ୍ଵ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ଗାଦି ମଧ୍ୟ ଟଳମଳ। ଏହି ସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା କହିଛନ୍ତି, ବିଜେପି ହାଇକମାଣ୍ଡଙ୍କ ପକ୍ଷରୁ ଜୁଲାଇ ୨୫ରେ ନିଷ୍ପତ୍ତି ନିଆଯିବ। ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାକୁ ସେ ଗ୍ରହଣ କରିବାକୁ ପ୍ରସ୍ତୁତ।

ବିଏସ ୟେଦୁରପ୍ପା କହିଛନ୍ତି, ରାଜ୍ୟରେ ଜୁଲାଇ ୨୬ରେ ଆମ ସରକାରକୁ ଦୁଇ ବର୍ଷ ପୂରଣ ହେବାକୁ ଯାଉଛି। ଏହି ଅବସରରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହା ପରେ ଜାତୀୟ ସଭାପତି ଜେପି ନଡ୍ଡା ଯାହା କହିବେ ମୁଁ ଏହାର ପାଳନ କରିବି ବୋଲି ୟେଦୁରପ୍ପା କହିଛନ୍ତି। ବିଜେପିକୁ ପୁନର୍ବାର କ୍ଷମତାକୁ ଆଣିବା ମୋର କର୍ତ୍ତବ୍ୟ।

ୟେଦୁରପ୍ପାଙ୍କ ଏହି ଟିପ୍ପଣୀରୁ ସଙ୍କେତ ମିଳିଛି ଯେ, ପାର୍ଟି ହାଇକମାଣ୍ଡ କର୍ଣ୍ଣାଟକରେ ନେତୃତ୍ଵ ପରିବର୍ତ୍ତନ ଉପରେ ବିଚାର କରୁଛନ୍ତି। ଅନେକ ମାସ ହେବ କର୍ଣ୍ଣାଟକରେ ଶାସକ ଦଳର ଏକ ବିଧାୟକ ଗୋଷ୍ଠୀଙ୍କ ମଧ୍ୟରେ ମତଭେଦ ଜାରି ରହିଛି। ଗୋଟିଏ ଗୋଷ୍ଠୀ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯାଉ ବୋଲି ଦାବି କରୁଛନ୍ତି।

ଏବେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ବୟାନରୁ ସ୍ପଷ୍ଟ ହୋଇଛି ଯେ, କର୍ଣ୍ଣାଟକରେ ବଡ ରାଜନୈତିକ ପରିବର୍ତ୍ତନ ହେବାକୁ ଯାଉଛି। ବିଜେପି ସୂତ୍ର ଅନୁଯାୟୀ, ୟେଦୁରପ୍ପାଙ୍କ ବୟସ ମଧ୍ୟ ହୋଇଗଲାଣି। ତେଣୁ ତାଙ୍କର ବିକଳ୍ପ ଉପରେ ଚିନ୍ତା କରିବାର ସମୟ ଆସି ଯାଇଛି। ସୂଚନାଯୋଗ୍ୟ, ବିଗତ ଦିନରେ ବିଜେପି ପକ୍ଷରୁ ୭୫ ବର୍ଷରୁ ଅଧିକ ବର୍ଷ ବୟସର ନେତାଙ୍କୁ ସକ୍ରିୟ ରାଜନୀତିରୁ ହଟାଇବା ପାଇଁ ଫର୍ମୁଲା ପ୍ରସ୍ତୁତ କରାଯାଇଥିଲା। ଏହି ଆଧାରରେ ଅନେକ ନେତାଙ୍କୁ ୨୦୧୯ ଲୋକସଭା ନିର୍ବାଚନରେ ଟିକେଟ୍ ଦିଆଯାଇନଥିଲା। ହେଲେ ୟେଦୁରପ୍ପାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଦଳରେ ବିରୋଧର ସ୍ଵର ଉଠିଥିଲା।


Share It

Comments are closed.