ହଳଦିଆ ନମ୍ବର ପ୍ଲେଟ୍‌କୁ ସର୍ତମୂଳକ ଭାବେ ବଦଳାଇବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଇକ୍ ଟ୍ୟାକ୍ସି ଚାଳକ


ଭୁବନେଶ୍ୱର: ଭୁବନେଶ୍ୱରରେ ଧଳା ନମ୍ବର ପ୍ଲେଟ୍ ବାଇକ୍ ଟ୍ୟାକ୍ସିକୁ ପର୍ଯ୍ୟାୟକ୍ରମେ ପରିବର୍ତନ କରିବାକୁ ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଅଲ୍ ଓଡ଼ିଶା ଅନଲାଇନ୍ ବାଇକ୍ ଆସୋସିଏସନ୍ (ଅଖିଳ ଓଡ଼ିଶା ଅନଲାଇନ୍ ବାଇକ୍ ସଂଘ) । ନିକଟରେ ଭୁବନେଶ୍ୱରରେ ଧଳା ନମ୍ବର ପ୍ଲେଟ୍ ବାଇକ୍ ଟ୍ୟାକ୍ସି ଉପରେ କଟକଣା ଲାଗିବା ପରେ ପ୍ରମୁଖ ବାଇକ୍ ଟ୍ୟାକ୍ସି ଅପରେଟର ଉବର ଓ ଓଲା କେବଳ ହଳଦିଆ ନମ୍ବର ପ୍ଲେଟ୍ ବାଇକ୍ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ସହ ନିଜର କାରବାର ସୀମିତ ରଖିଛନ୍ତି । ଏଗ୍ରିଗେଟରମାନେ ଉଭୟ ଚାଳକ ଓ ଡ୍ରାଇଭରଙ୍କ ସହ ଇମେଲ୍ ଏବଂ ଇନ୍‌-ଆପ୍ ମେସେଜ୍ ସେୟାର କରି ନିଷ୍ପତି ବିଷୟରେ ଅବଗତ କରାଇବା ସହ ଡ୍ରାଇଭରମାନଙ୍କୁ ହଳଦିଆ ନମ୍ବର ପ୍ଲେଟ୍‌ରେ ପରିବର୍ତନନ କରି ପୁନର୍ବାର ଫ୍ଲିଟ୍‌ରେ ସାମିଲ ହେବାକୁୁ ଅନୁରୋଧ କରିଛନ୍ତି ।
ଚିଠିରେ ବାଇକ୍ ଟ୍ୟାକ୍ସି ଚାଳକମାନେ ଅଭିଯୋଗ କରିଛନ୍ତି ଯେ ହଠାତ୍ ରାଇଡ୍ ହେଲିଂ ଏଗ୍ରିଗେଟର୍ ଉବର୍ ଏବଂ ଓଲା ସେମାନଙ୍କ ପ୍ଲାଟଫର୍ମରେ ଧଳା ନମ୍ବର ପ୍ଲେଟ୍ ବାଇକ୍‌କୁ ଅନୁମତି ଦେବା ବନ୍ଦ କରିବା ନିଷ୍ପତି ସେମାନଙ୍କ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ଡ୍ରାଇଭର ସଂଘ ଭୟ କରୁଛି ଯେ ଖାଦ୍ୟ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ଏବଂ ସ୍ୱିଗିଙ୍କ ସମାନ ନିଷ୍ପତି ଅତ୍ୟନ୍ତ ଅସୁବିଧାର ପରିସ୍ଥିତି ସୃଷ୍ଟି କରିବ ଯେଉଁଠାରେ ସେମାନେ \”ରୋଜଗାର କରିବାକୁ ଏବଂ ସେମାନଙ୍କ ପରିବାରର ଭରଣପୋଷଣ କରିବାକୁ ସମର୍ଥ ହେବେ ନାହିଁ ।
ଏହି ଚିଠିରେ ପରିବହନ ବିଭାଗର ବ୍ୟାଙ୍କଗୁଡ଼ିକଠାରୁ ନୋ-ଡ୍ୟୁ ସାର୍ଟିଫିକେଟ୍‌ର ଆବଶ୍ୟକତା ସମ୍ପର୍କରେ ନିଷ୍ପତି ଏବଂ ଧଳା ନମ୍ବର ପ୍ଲେଟ୍‌କୁ ହଳଦିଆ ବାଣିଜ୍ୟିକ ନମ୍ବର ପ୍ଲେଟ୍‌ରେ ପରିଣତ କରିବା ପ୍ରକ୍ରିୟାର ଏକ ଅଂଶ ଭାବରେ ସମସ୍ତ ଅଟକି ରହିଥିବା ଟ୍ରାଫିକ୍ ଚାଲାଣକୁ ହଟାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଡ୍ରାଇଭରମାନେ କହୁଛନ୍ତି ଯେ ସେମାନେ \”ସାଧାରଣ ପୃଷ୍ଠଭୂମିରୁ’ ଆସିଛନ୍ତି ଏବଂ ନମ୍ବର ପ୍ଲେଟ୍ ପରିବର୍ତନ ପାଇଁ ଏହି ସର୍ତ ସେମାନଙ୍କ ପାଇଁ ବାଣିଜ୍ୟିକ ନମ୍ବର ପ୍ଲେଟ୍ ହାସଲ କରିବା ଏବଂ ପୁନର୍ବାର ଡ୍ରାଇଭିଂ ଆରମ୍ଭ କରିବା କଷ୍ଟକର କରୁଛି । \”ଆମେ ଆଇନ ପାଳନ କରିବାକୁ ଚାହୁଁଛୁ ଏବଂ ଆମର ବାଇକଗୁଡ଼ିକୁ ହଳଦିଆ ପ୍ଲେଟ୍‌ରେ ପରିଣତ କରିବାକୁ ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ ରଖିଛୁ, କିନ୍ତୁ ମୁଖ୍ୟ ଚିନ୍ତା ହେଉଛି ଚାଲାଣ ଏବଂ ବ୍ୟାଙ୍କଗୁଡ଼ିକର ନୋ-ଡ୍ୟୁ ସାର୍ଟିଫିକେଟ୍‌ର ଆବଶ୍ୟକତା । ଏଥିସହ ଆମେ ଆପଣଙ୍କୁ ହଳଦିଆ ପ୍ଲେଟ୍ ରୂପାନ୍ତରଣ ପ୍ରକ୍ରିୟା ସମୟରେ ହେଉଥିବା ପରମିଟ୍ ଏବଂ ଫିଟନେସ୍ ଶୁଳ୍କ ହ୍ରାସ କରିବାକୁ ଅନୁରୋଧ କରୁଛୁ ।
ଏହି ସମୟ ମଧ୍ୟରେ ଗାଡ଼ି ଚଳାଇବାକୁ ଅନୁମତି ଦେବା ସହିତ ଚାଳକମାନେ ସେମାନଙ୍କ ବାଇକକୁ ବାଣିଜ୍ୟିକ ଯାନରେ ପରିଣତ କରିବାକୁ ଅନୁମତି ଦେବା ପାଇଁ ଚିଠିରେ ଅନୁରୋଧ କରାଯାଇଛି । ଡ୍ରାଇଭର ସଂଘ ପକ୍ଷରୁ ଗତ ମାସରେ ରାଜ୍ୟ ପରିବହନ କର୍ତୃପକ୍ଷଙ୍କୁ ଚିଠି ଲେଖାଯାଇଥିଲେ ହେଁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ । ସହରରେ ଉବର ଓ ଓଲା ପାଇଁ ଧଳା ନମ୍ବର ପ୍ଲେଟ ବାଇକ୍ ଟ୍ୟାକ୍ସି ଚଳାଚଳ ବନ୍ଦ ରହିଥିବାରୁ ଭୁବନେଶ୍ୱରରେ ଆନୁମାନିକ ୧୦ ହଜାରରୁ ଅଧିକ ବାଇକ ଟ୍ୟାକ୍ସି ଚାଳକଙ୍କ ଭବିଷ୍ୟତ ଜୀବିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


Share It

Comments are closed.