ରକ୍ତଦାନ କରି ଅସହାୟ ବୃଦ୍ଧବ୍ୟକ୍ତିଙ୍କ ଜୀବନ ବଂଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ରେଢ଼ାଖୋଲ: କିସିଣ୍ଡା ଥାନା ଅନ୍ତର୍ଗତ ତଳପାଳ ଗ୍ରାମର ପଳଉ ପ୍ରଧାନ (୭୦ବର୍ଷ) ନାମକ ଜଣେ ଅସହାୟ ବୃଦ୍ଧବ୍ୟକ୍ତି ବାର୍ଦ୍ଧକ୍ୟଜନିତ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଗତ ତିନିଦିନ ଠାରୁ ଚିକିତ୍ସା ପାଇଁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ଗତ ମାର୍ଚ୍ଚ ୧୩ ତାରିଖ ଦିନ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଏ. କେ. ରାଉତ ରୋଗୀଙ୍କ ପାଇଁ ରକ୍ତର ଆବଶ୍ୟକତା ଥିବା ବିଷୟରେ ତାଙ୍କ ସହାୟକଙ୍କୁ କହିଥିଲେ । ଗତ ଦୁଇଦିନ ଠାରୁ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାରରେ ଓ’ପଜିଟିଭ ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ସେଥିପାଇଁ ତାଙ୍କ ସହାୟକ ଆବଶ୍ୟକ ରକ୍ତ ଯୋଗାଡ ହୋଇପାରୁ ନଥିବାରୁ ନିରାଶ ହୋଇପଡିଥିଲେ । ଏହି ସମୟରେ ସେମାନେ ଜଣେ ଡାକ୍ତରଖାନା କର୍ମଚାରୀଙ୍କ ଠାରୁ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଦ୍ୱାରା ବିଭିନ୍ନ ସମୟରେ ରକ୍ତଦାନ କରୁଥିବା ସମ୍ପର୍କରେ ଜାଣି ସେଠାରେ ଥିବା୧୦୮ ଆମ୍ବୁଲାନ୍ସକର୍ମଚାରୀମାନଙ୍କୁ ସାହାଯ୍ୟ ଅନୁରୋଧ କରିଥିଲେ ।

ଯାହାପରେ ରେଢ଼ାଖୋଲ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଠାରୁ ଖବର ପାଇ ସମ୍ବଲପୁର ଜିଲ୍ଲା କ୍ଲଷ୍ଟର୍ ଲିଡର ପ୍ରଦୀପ କୁମାର ପ୍ରଧାନଙ୍କ ଅନୁରୋଧକ୍ରମେ କିସିଣ୍ଡା ଥାନାରେ ୧୦୮ ଆମ୍ବୁଲାନ୍ସର ଫାର୍ମାଶିଷ୍ଟ ଶ୍ରବଣ ସାହୁ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ । ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ମହତ୍ କାର୍ଯ୍ୟକୁ ଡାକ୍ତରଖାନା କର୍ତୁପକ୍ଷ ଭୁୟସୀ ପ୍ରଶଂସା କରିଛନ୍ତି ।


Share It

Comments are closed.