ବିଶ୍ୱ କର୍କଟ ଦିବସ ଅବସରରେ ଟାଟା ଷ୍ଟିଲ୍ କଳିଙ୍ଗନଗରରେ ସଚେତନତା ଅଧିବେଶନ


କଳିଙ୍ଗନଗର: ବିଶ୍ୱ କର୍କଟ ଦିବସ ଉପଲକ୍ଷେ ପରିବହନ କର୍ମଚାରୀ ଏବଂ ଡ୍ରାଇଭରମାନଙ୍କ ମଧ୍ୟରେ ମୁଖ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍‌କେ) ପକ୍ଷରୁ ଯାଜପୁର ଜିଲ୍ଲା ଡୁବୁରୀ ନିକଟରେ ଥିବା ପରିବହନ ପାର୍କରେ ସୋମବାର ଦିନ ଏକ ସଚେତନତା ଅଭିଯାନ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି ।

ଏହି ସଚେତନତା ଅଧିବେଶନରେ ପରିବହନ କର୍ମଚାରୀ ଏବଂ ଡ୍ରାଇଭରଙ୍କ ସମେତ ୫୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ । ଟାଟା ଷ୍ଟିଲ୍ କଳିଙ୍ଗନଗରର ବୃତିଗତ ସ୍ୱାସ୍ଥ୍ୟ ଏବଂ ନିରାପତା (ଓଏଚ୍‌ଏସ୍‌) ବିଭାଗ ଦ୍ୱାରା ଆୟୋଜିତ ଏହି ଅଧିବେଶନକୁ ଆର୍‌ଏମ୍‌ଏଚ୍‌ଏସ୍ ଏବଂ ଲଜିଷ୍ଟିକ୍ସ ବିଭାଗର ମୁଖ୍ୟ ଶୁଭ୍ରାଂଶୁ ଶେଖର ରାଉତ ଉଦ୍ଘାଟନ କରିଥିଲେ ।

ଦନ୍ତ ଚିକିତ୍ସିକା ତଥା ତମାଖୁ ନିବାରଣ ପରାମର୍ଶଦାତା ଡକ୍ଟର ସ୍ୱାଦିନା ମହାନ୍ତି ଏହି ଅଧିବେଶନକୁ ପରିଚାଳନା କରି ଅଂଶଗ୍ରହଣକାରୀଙ୍କୁ ତମାଖୁ ଜନିତ ମୁଖ କର୍କଟ ଏବଂ କର୍କଟ ରୋଗର ବିଭିନ୍ନ ଦିଗ ବିଷୟରେ ଅବଗତ କରାଇଥିଲେ ।

ଏହି ଅବସରରେ ଟିଏସ୍‌କେର ଓଏଚ୍‌ଏସ୍ ବିଭାଗର ବରିଷ୍ଠ ରେଜିଷ୍ଟ୍ରାର ଡକ୍ଟର ପ୍ରଶାନ୍ତ ଦାସଙ୍କ ଦ୍ୱାରା ଏକ ପ୍ୟାନେଲ୍ ଆଲୋଚନା ଏବଂ ଏକ ଇଂଟରାକ୍ଟିଭ୍ କୁଇଜ୍ ଆୟୋଜନ କରାଯାଇଥିଲା ।

ବିଜେତାମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିବା ସହ ଉପସ୍ଥିତ ସମସ୍ତେ କର୍କଟ ରୋଗ ବିଷୟରେ ଅବଗତ ରହିବା ସହ ତମାଖୁଠାରୁ ଦୂରେଇ ରହିବାକୁ ପ୍ରତିଶ୍ରୁତି ଦେଇ ଅଧିବେଶନ ଶେଷ ହୋଇଥିଲା ।


Share It

Comments are closed.