ମଦମୁକ୍ତି ଯୁବବାହିନୀ ପକ୍ଷରୁ ଭଦ୍ରକରେ ଶୋଭାଯାତ୍ରା


ଭଦ୍ରକ: ମଦମୁକ୍ତି ଯୁବବାହିନୀ ପକ୍ଷରୁ ସ୍ଥାନୀୟ ବନ୍ତ ଛକଠାରୁ କଚେରୀ ବଜାର ପର୍ଯ୍ୟନ୍ତ ମଦମୁକ୍ତି ଓଡ଼ିଶାର ଗଠନ ନିମନ୍ତେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ଏହି ଶୋଭାଯାତ୍ରାରେ ସଂଗଠନର ଶତାଧିକ ଯୁବକ ଯୁବତୀ ଭାଗ ନେଇ ଓଡ଼ିଶାକୁ ମଦମୁକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସଂଗଠନର କାର୍ଯ୍ୟକର୍ତାମାନେ ମଦ ଯୋଗୁଁ ହେଉଥିବା ସମଜାର କ୍ଷତି ଏବଂ ଏଥିପାଇଁ ସରକାର କିପରି ସିଧାସଳଖ ଦାୟୀ ଲୋକମାନଙ୍କ ମଧ୍ୟରେ ସଚେତନତାର ବାର୍ତା ଦେଇଥିଲେ ।
ଏହି ଅବସରରେ ମଦମୁକ୍ତି ଯୁବବାହିନୀ ପକ୍ଷରୁ ଶ୍ରୀଯୁକ୍ତ ସତ୍ୟବ୍ରତ ପୃଷ୍ଟି କହିଥିଲେ ଯେ, “ସମାଜର ଅଧୋପତନ ଏବଂ ବିଭିନ୍ନ ବିକୃତି ପାଇଁ ମଦ ହିଁ ଦାୟୀ । ଏକ ସଭ୍ୟ ସମାଜରେ ମଦ ଭଳି ଏକ ଅସଭ୍ୟ ପଦାର୍ଥକୁ ଯେପରି ଭାବେ ସରକାର ପ୍ରଚାର ଓ ପ୍ରସାର କରୁଛନ୍ତି ତାହା ଅତ୍ୟନ୍ତ ଲଜ୍ଜାଜନକ । ତେଣୁ ଯଥାଶୀଘ୍ର ଓଡ଼ିଶା ସରକାର ଏହାକୁ ନିଷେଧ ଘୋଷଣା କରିବା ସହ ବିହାର ପରି ଏକ ଶକ୍ତ ଆଇନ ପ୍ରଣୟନ କରିବା ଦରକାର ।”

ମଦମୁକ୍ତି ଯୁବବାହିନୀ ଏହାର ତୃତୀୟ କର୍ମକର୍ତ୍ତା ବୈଠକ ‘ଯୁବକ୍ରାନ୍ତି ଶିବିର’ ଭଦ୍ରକ ଜିଲ୍ଲାର ବନ୍ତ ନିକଟସ୍ଥ ସରସ୍ୱତୀ ବିହାର ଠାରେ ଆୟୋଜନ କରିଛି । ଏଥିରେ ସଂଙ୍ଗଠନକୁ ମଜବୁତ କରିବା ପାଇଁ କର୍ମକର୍ତ୍ତାମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯିବା ସହ ଆଗାମୀ ରଣନୀତି ଉପରେ ଆଲୋଚନା ହୋଇଥିଲା । ଏହି ଅବସରରେ ସଂଗଠନ ପକ୍ଷରୁ ଶ୍ରୀଯୁକ୍ତ ତାରାକାନ୍ତ ନାୟକ, ଖଗେଶ୍ୱର ବଳ, ଅଦୈତ ପାତ୍ର, ସଦାନନ୍ଦ ଦିକ୍ଷିତ, ପ୍ରତି ନାୟକ ପ୍ରମୁଖ ଯୋଗ ଦେଇଥିଲେ ।
ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ଏକ ଯୁବ ଶାଖା ଭାବେ ମଦମୁକ୍ତି ଯୁବବାହିନୀ ସମ୍ପୂର୍ଣ୍ଣ ଓଡ଼ିଶାକୁ ମଦମୁକ୍ତ କରିବା ପାଇଁ ଯୁବକମାନଙ୍କୁ ସଂଗଠିତ କରିବାରେ ଏକ ପ୍ରମୂଖ୍ୟ ମାଧ୍ୟମ ସାଜିଛି । ଏହି ସଂଗଠନ ବର୍ତ୍ତମାନ ସୁଦ୍ଧା ୧୫ଟି ଜିଲ୍ଲାରେ ନିଜକୁ ବିସ୍ତାର କରିଥିବାବେଳେ ଆଗାମୀ ଦିନମାନଙ୍କରେ ଏହା ସମ୍ପୂର୍ଣ୍ଣ ଓଡ଼ିଶାରେ ଯୁବକମାନଙ୍କୁ ମଦ ବିରୁଦ୍ଧରେ ଏକଜୁଟ କରିବାର ଲକ୍ଷ୍ୟ ରଖିଛି ।


Share It

Comments are closed.