ରୋଗୀଙ୍କ ପାଇଁ ଜୀବନଦାତା ପାଲଟିଲେ ଆମ୍ବୁଲାନ୍ସ ଡ୍ରାଇଭର


ମାଲକାନଗିରି ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଜଣେ ରୋଗୀର ଜୀବନ ବଞ୍ଚାଇ ସମସ୍ଥଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଉକ୍ତ ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆମ୍ବୁଲାନ୍ସ ଡ୍ରାଇଭର ଅସହାୟ ବୃଦ୍ଧଙ୍କ ପାଇଁ ରକ୍ତ ଜୋଗାଡ଼କରି ତାଙ୍କୁ ଏକ ନୂଆ ଜୀବନ ଦେଇଛନ୍ତି । ଏ. କ୍ରିଷ୍ଣା ରାଓ ଉପାନ୍ତ ଗ୍ରାମର ଧବୁଲୁ ଗୌଡ଼ ନାମକ ଏକ ଅସହାୟ ବୃଦ୍ଧଙ୍କ ପାଇଁ ରକ୍ତ ଜୋଗାଡ଼ କରି ତାଙ୍କର ଜୀବନ ଦାତା ପାଲଟିଛନ୍ତି । ସୂଚନା ମୁତାବକ ଏହି ବ୍ଲକ ଅନ୍ତର୍ଗତ କର୍ତ୍ତନପାଲି ପଞ୍ଚାୟତ ଲୁଲେର ଗ୍ରାମର ଉକ୍ତ ବୃଦ୍ଧ କିଛି ଦିନତଳୁ ଅସୁସ୍ଥ ଥିଲେ । ତାଙ୍କ ସ୍ତ୍ରୀ ବୁଦ୍ରି ଗୌଡ଼ ତାଙ୍କୁ ଆଣି ମାଥିଲି ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡ଼ାକ୍ତରଙ୍କ ପରୀକ୍ଷା ପରେ ବୃଦ୍ଧଙ୍କୁ ରକ୍ତର ଆବଶ୍ୟକତା ରହିଛିବୋଲି ଜଣାପଡ଼ିଥିଲା । ବୃଦ୍ଧ ଧବୁଲୁଙ୍କର ‘ଓ’ ପଜିଟିଭ୍ ରକ୍ତ ହୋଇଥିବାବେଳେ ରକ୍ତ ଜୋଗାଡ଼ନେଇ ଉଭୟ ସ୍ୱାମୀ ସ୍ତ୍ରୀ ଅସହାୟ ଅବସ୍ଥାରେ ପଡ଼ିରହିଥିଲେ । ୧୦୮ ଆମ୍ବୁଲାନ୍ସ ଡ୍ରାଇଭର, ଏ. କ୍ରିଷ୍ଣା ରାଓ ଏଥି ସମ୍ପର୍କିତ ଖବର ପାଇବା ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରୁ ଚିକିତ୍ସାଧିନ ବୃଦ୍ଧଙ୍କ ପାଇଁ ରକ୍ତ ଯୋଗାଡ଼ କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଧବୁଲୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ରହିଛିବୋଲି କୁହାଯାଇଛି । ପୂର୍ବରୁ ମଧ୍ୟ ଏ. କ୍ରିଷ୍ଣା ରାଓ ଜଣେ ଅସହାୟ ମହିଳାଙ୍କୁ ନିଜ ରକ୍ତ ଦେଇ ତାଙ୍କ ଜୀବନ ବଞ୍ଚାଇଥିବାର ନଜିର ରହିଛି । ଅସହାୟ ବୃଦ୍ଧଙ୍କ ପାଇଁ ଦେବଦୂତ ସାଜି ତାଙ୍କ ଜୀବନ ରକ୍ଷା କରିଥିବାରୁ ଜିଲ୍ଲା ପରିଷଦ ସଭ୍ୟ ବାଲରାଜୁ କପେ, ପି ସୂରଜ କୁମାର, ନାରାୟଣ ଚୌଧୁରୀ, ରାକେଶ ବେହେରା, ସୁପଙ୍କର ବିଶ୍ୱାସ ପ୍ରମୁଖ ଏ. କ୍ରିଷ୍ଣା ରାଓଙ୍କୁ ପ୍ରଶଂସା କରିଛନ୍ତି । ୨୦୧୩ ମାର୍ଚ୍ଚ ୫ରୁ ଲୋକମାନଙ୍କୁ ଅବିରତ ସେବା ଯୋଗାଇ ଆସୁଥିବା ୧୦୮ ଆମ୍ବୁଲାନ୍ସ ଜିକିତ୍ସା ହେଲ୍ଥ କେୟାର ଲିମିଟେଡ୍ କମ୍ପାନୀ ଦ୍ୱାରା ପରିଚାଳିତ ହୋଇଆସୁଛି ।


Share It

Comments are closed.