ମଧୁମେହ ରୋଗୀଙ୍କ ପାଇଁ ଲାଭକାରୀ ହୋଇଥାଏ ହାଇ-ଫାଇବର ସପ୍ଲିମେଂଟ୍‌

ଟାଇପ୍ ୨ ଡାଇବେଟିସ୍ ଥିବା ୧୫୨୪ ଜଣ ରୋଗୀଙ୍କ ଉପରେ ଏକ ଉଲ୍ଲେଖନୀୟ ପ୍ରଭାବ ପକାଇଛି ହାଇ-ଫାଇବର୍ ସପ୍ଲିମେଂଟ୍‌ର ବ୍ୟବହାର


ଭୁବନେଶ୍ୱର : ଟାଇପ୍‌-୨ ଡାଇବେଟିସ୍ ରୋଗରେ ପୀଡିତ ୩୦୪୨ ଜଣ ଲୋକ ଓ ୧୫୨ ଜଣ ଡାକ୍ତରଙ୍କ ମଧ୍ୟରେ ପରିଚାଳନା କରାଯାଇଥିବା ଏକ ସର୍ବଭାରତୀୟ ସ୍ତରର ସର୍ବେକ୍ଷଣ ‘ଷ୍ଟାର୍‌’ (ସର୍ଭେ ଫର୍ ମ୍ୟାନେଜ୍‌ମେଂଟ୍ ଅଫ୍ ଡାଇବେଟିସ୍ ୱିଥ୍ ଫାଇବର୍‌-ରିଚ୍ ନ୍ୟୁଟ୍ରିସନ ଡ୍ରିଙ୍କ୍‌)ର ଫଳାଫଳକୁ ନିକଟରେ ଇଣ୍ଡିଆନ୍ ଜର୍ଣ୍ଣାଲ ଅଫ୍ କ୍ଲିନିକାଲ ପ୍ରାକ୍ଟିସ୍‌ରେ ପ୍ରକାଶିତ କରାଯାଇଛି । ଏହି ଫଳାଫଳ କିଭଳି ଏକ ଫାଇବର୍‌-ସମୃଦ୍ଧ ଡାଏଟାରୀ ସପ୍ଲିମେଂଟ୍‌ର ଦୈନିକ ସେବନ ରକ୍ତ ସର୍କରା ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିପାରିଥାଏ ତାହାକୁ ପ୍ରଦର୍ଶିତ କରିଛି । ଷ୍ଟାର ସର୍ଭେରେ ଏକ ହାଇ-ଫାଇବର୍ ସପ୍ଲିମେଂଟ୍ ବ୍ୟବହାର କରାଯାଇଥିଲା ଏବଂ ଏହାର ଟାଇପ୍ ୨ ଡାଇବେଟିସ୍ (ଟି୨ଡିଏମ) ଥିବା ୧୫୨୪ ଜଣ ରୋଗୀଙ୍କ ଉପରେ ଏକ ଉଲ୍ଲେଖନୀୟ ପ୍ରଭାବ ପଡିଥିବା ଦେଖାଯାଇଛି ।

ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ, ୩ ମାସ ପାଇଁ ହାଇ-ଫାଇବର ସପ୍ଲିମେଂଟ୍ ସେବନ କରିଥିବା ମଧୁମେହରେ ପୀଡିତ ଲୋକମାନଙ୍କ ଠାରେ ଏଚ୍‌ବିଏ୧ସି ସ୍ତର ହାରାହାରି ୮.୦୪ରୁ ୭.୩୨କୁ ହ୍ରାସ ପାଇଥିଲା ବେଳେ ଏହାର ସେବନ କରିନଥିବା ଲୋକଙ୍କଠାରେ କୌଣସି ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହୋଇନଥିଲା । ୮୨% ରୋଗୀଙ୍କଠାରେ ୩ କେଜି ଓଜନ ହ୍ରାସ ପାଇଥିବାବେଳେ, ଏହି ସପ୍ଲିମେଂଟ୍ ଖାଇନଥିବା ରୋଗୀଙ୍କଠାରେ ଓଜନ ହ୍ରାସ ଘଟିନଥିଲା । ଏହାକୁ ସେବନ କରିନଥିବା କେବଳ ୪୨% ଲୋକଙ୍କ ତୁଳନାରେ ଏହାକୁ ସେବନ କରୁଥିବା ୮୩% ରୋଗୀ ଭୋଜନ ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣତା ଅନୁଭବ କରିଥିଲେ । ଏହି ସପ୍ଲିମେଂଟ୍ ସେବନ ପରେ ୯୩% ଲୋକ ଶକ୍ତିସମ୍ପନ୍ନ ଅନୁଭବ କରୁଥିବା ବେଳେ ଏହାକୁ ସେବନ କରିନଥିବା ୮୩% ଲୋକ ଥକ୍କାପଣ ଓ କ୍ଳାନ୍ତ ଅନୁଭବ କରିଥିଲେ । ଆର୍‌ଏସ୍‌ଏସ୍‌ଡିଆଇ ଓ ଆମେରିକାନ୍ ଡାଏବେଟିସ୍ ଆସୋସିଏଶନ ଭଳି ସଂସ୍ଥାଗୁଡିକ ମଧ୍ୟ ସୁପାରିଶ କରିଛନ୍ତି ଯେ, ମଧୁମେହ ଥିବା ଲୋକମାନେ ନିଜର ଫାଇବର ସେବନ ବୃଦ୍ଧି କରିବା ଉଚିତ ।

ଏହି ସର୍ଭେର ମୁଖ୍ୟ ଲେଖକ ଏବଂ ସାଉଥ୍ ଏସିଆନ୍ ଫେଡେରେଶନ ଅଫ୍ ଏଣ୍ଡୋକ୍ରାଇନ୍ ସୋସାଇଟିଜ୍ (ସେଫ୍‌ସ)ର ଅଧ୍ୟକ୍ଷ ଡଃ ସଞ୍ଜୟ କାଲ୍‌ରା କହିଛନ୍ତି, “ଉପଯୁକ୍ତ ପୋଷଣ ମଧୁମେହ ପରିଚାଳନାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ମଧୁମେହ ବା ଡାଇବେଟିସ୍‌ରେ ପୀଡିତ ଲୋକମାନଙ୍କୁ କାର୍ବୋହାଇଡ୍ରେଟ୍ ଓ ଚିନିର ସେବନ ହ୍ରାସ କରିବାକୁ ପଡିଥାଏ ଏବଂ ନିଜର ଫାଇବର ସେବନ ବୃଦ୍ଧି କରିବାକୁ ପଡିଥାଏ । ଆହାରରେ ଫାଇବର୍ ପୂର୍ଣ୍ଣତାର ଅନୁଭୂତି ଆଣିଥାଏ ଏବଂ ଅଧିକ ଖାଇବାରୁ ରୋକିଥାଏ । ହଜମ ପ୍ରକ୍ରିୟା ସମୟରେ ଫାଇବର୍ ଆମର ଗଟ୍ ବା ଅନ୍ତନଳୀରୁ ରକ୍ତକୁ ଚିନିର ଅବଶୋଷଣ ହାରକୁ ହ୍ରାସ କରିଥାଏ ଏବଂ ଖାଇବା ପରର ରକ୍ତ ସର୍କରା ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଅଧିକାଂଶ ସମୟରେ ମଧୁମେହରେ ପୀଡିତ ଲୋକମାନେ ନିଜ ଆହାରରୁ ଆବଶ୍ୟକ ପରିମାଣର ଫାଇବର ପାଇନଥାନ୍ତି । ଏହି ସର୍ଭେ ଦର୍ଶାଇଛି ଯେ, ଏକ ଫାଇବର ସମୃଦ୍ଧ ପୋଷଣଯୁକ୍ତ ସପ୍ଲିମେଂଟ୍ ସେମାନଙ୍କର ଦୈନିକ ଫାଇବର ସେବନକୁ ସମ୍ପୂର୍ଣ୍ଣ କରିପାରିଥାଏ । କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ,ଭୁବନେଶ୍ୱରର ଏଣ୍ଡୋକ୍ରିନୋଲୋଜି ବିଭାଗର ପ୍ରଫେସର ଡଃ ସମ୍ବିତ ଦାସ କହିଛନ୍ତି, ‘ଆହାରରେ ଫାଇବର୍ ମାତ୍ରାକୁ ବୃଦ୍ଧି କରିବା ଦ୍ୱାରା ତାହା ଅନ୍ତନଳୀରୁ ଗ୍ଲୁକୋଜର ଅବଶୋଷଣକୁ ବିଳମ୍ବିତ କରିଥାଏ । ଏହା ପୋଷ୍ଟ-ମିଲ୍ ଗ୍ଲୁକୋଜ୍ ବୃଦ୍ଧିକୁ ହ୍ରାସ କରିଥାଏ, ସନ୍ତୁଷ୍ଟି ଓ ଶକ୍ତି ବୃଦ୍ଧି କରିଥାଏ । କେବଳ ଆହାର ପର୍ଯ୍ୟାପ୍ତ ନହେବା ସ୍ଥିତିରେ ହାଇ-ଫାଇବର ନ୍ୟୁଟ୍ରିସନ ସପ୍ଲିମେଂଟ୍‌ଗୁଡିକ ଏକ ଭିନ୍ନତା ଆଣିପାରିଥାନ୍ତି ।

୧୫୨ ଜଣ ଡାକ୍ତରଙ୍କୁ ସର୍ଭେ କରିଥିବା ଷ୍ଟାର୍ ଜାଣିବାକୁ ପାଇଛି ଯେ, ଡାକ୍ତରମାନେ ଟାଇପ୍‌୨ ଡାଇବେଟିସ୍ ରୋଗରେ ପୀଡିତ ୫୦% ରୋଗୀ, ମେଦ ବହୁଳତା ଥିବା ୪୦% ରୋଗୀ ଓ ଅଧିକ ଓଜନ ଥିବା ୩୫% ରୋଗୀଙ୍କୁ ଏକ ଫାଇବର-ସମୃଦ୍ଧ ସପ୍ଲିମେଂଟ୍ ସେବନ କରିବା ପାଇଁ ପରାମର୍ଶ ଦେଉଛନ୍ତି । ସର୍ଭେ କରାଯାଇଥିବା ଡାକ୍ତରଙ୍କ ଅନୁଯାୟୀ, ମଧୁମେହରେ ପୀଡିତ ଲୋକଙ୍କ ପାଇଁ ଫାଇବର ସେବନର ମୁଖ୍ୟ ଲାଭଗୁଡିକ ହେଉଛି ସନ୍ତୁଷ୍ଟି ସ୍ତରରେ ବୃଦ୍ଧି, ଶାରୀରିକ କାର୍ଯ୍ୟକଳାପରେ ବୃଦ୍ଧି, ଏଚ୍‌ବିଏ୧ସି ଓ ଗ୍ଲୁକୋଜ ସ୍ତରରେ ହ୍ରାସ ଏବଂ ରକ୍ତ ସର୍କରା ନିୟନ୍ତ୍ରଣ କରିବା ପାଇଁ ଔଷଧଗୁଡିକର ମାତ୍ରା ଓ ସଂଖ୍ୟାରେ ହ୍ରାସ ଇତ୍ୟାଦି । ଡାକ୍ତରମାନେ ଉଭୟ ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ଟାଇପ୍ ୨ ଡାଇବେଟିସ୍‌ର ପରିଚାଳନା କ୍ଷେତ୍ରରେ ଡାଏଟାରୀ ଫାଇବର୍‌ର ଭୂମିକା ସମ୍ପର୍କରେ ଉନ୍ନତ ସଚେତନତା ବୃଦ୍ଧି କରାଯିବାର ଆବଶ୍ୟକତାକୁ ଆଲୋକପାତ କରିଛନ୍ତି ।


Share It

Comments are closed.