ଅଦ୍ୟାବିଧି ୮ ଲକ୍ଷ ୪୫ ହଜାର ୯୩୧ ମେଟ୍ରିକ ଟନ ରବିଧାନ ସଂଗୃହୀତ


ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ୧୭ଟି ଜିଲ୍ଲାରୁ ଅଦ୍ୟାବିଧି ୮ ଲକ୍ଷ ୪୫ ହଜାର ୯୩୧ ମେଟ୍ରିକ ଟନ ରବିଧାନ ସଂଗ୍ରହ କରାଯାଇଛି । ମଣ୍ଡିରେ ସାମାଜିକ ଦୂରତ୍ୱ ଓ କୋଭିଡ ନିୟମକୁ କଡାକଡି ଭାବରେ ଅନୁପାଳନ କରାଯାଇ ରବିଧାନ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଏଥି ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପଂଜୀକୃତ ଚାଷୀମାନଙ୍କୁ ମଣ୍ଡିରେ ଧାନ ବିକ୍ରି ନିମନ୍ତେ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଚଳିତ ବର୍ଷ ରବିଧାନ ବିକ୍ରି ନିମନ୍ତେ ରାଜ୍ୟର ମୋଟ ୨ ଲକ୍ଷ ୩୨ ହଜାର ୪୦୯ ଜଣ ଚାଷୀ ସେମାନଙ୍କ ନାମ ପଂଜୀକରଣ କରିଥିବାବେଳେ ୨ ଲକ୍ଷ ୨୨ ହଜାର ୮୨୩ ଜଣ ଚାଷୀଙ୍କ ଜମିଜମା ତଥ୍ୟ. ଇ୍ୟାଙ୍କ ଆକାଉଣ୍ଟ , ଆଧାର କାର୍ଡ ଓ ଜଳସେଚିତ ଜମିର ପରିମାଣ ଆଦି ତଥ୍ୟର ଯାଞ୍ଚ ପ୍ରକ୍ରିା ସରିଛି । ଏଥି ମଧ୍ୟରୁ ଅଦ୍ୟାବିଧି ୧ ଲକ୍ଷ ୨୬ ହଜାର ୪୫୨ ଜଣ ପଂଜୀକୃତ ଚାଷୀମାନଙ୍କ ଠାରୁ ରବିଧାନ ସଂଗ୍ରହ କରାଯାଇଛି , ଯାହାର ମୂଲ୍ୟ ପ୍ରାୟ ୧୫୮୦ କୋଟି ୨୦ ଲକ୍ଷ ଟଙ୍କା ।
ରାଜ୍ୟରେ ୧୭ଟି ଜିଲ୍ଲାରୁ ରବିଧାନ ସଂଗ୍ରହ ହେଉଥିବାବେଳେ ଅଧିକ ଧାନ ସଂଗ୍ରହ କରାଯାଇଥିବା ଜିଲ୍ଲା ମଧ୍ୟରୁ ବରଗଡ ଜିଲ୍ଲାରେ ୩,୬୭,୭୧୨ ମେଟ୍ରିକ ଟନ, ସୁବର୍ଣ୍ଣପୁରରେ ୧,୩୯,୫୮୯ ମେଟ୍ରିକ ଟନ, କଳାହାଣ୍ଡି ୧,୨୦,୧୯୧ ମେଟ୍ରିକ ଟନ, ସମ୍ବଲପୁର ୯,୦୫୭, କୋରାପୁଟ ୩୪,୯୧୭ ମେଟ୍ରିକ ଟନ, ଓ ବାଲେଶ୍ୱର ଜିଲ୍ଲାରୁ ୨୭,୧୩୦ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ଚଳିତ ରବିଧାନ ସଂଗ୍ରହ କାର୍ଯ୍ୟ ଜୁନ ୩୦ ତାରିଖ ପର୍ଯ୍ୟନ୍ତ କରାଯିବ ।


Share It

Comments are closed.