ଶାନ୍ତି ମେମୋରିଆଲ ହସ୍ପିଟାଲ ପକ୍ଷରୁ ୩୩ତମ ପ୍ରତିଷ୍ଠା ଦିବସ ପାଳିତ


କଟକ: କଟକ ସ୍ଥିତ ଶାନ୍ତି ମେମୋରିଆଲ ମଲ୍‌ଟିସ୍ପେସିଆଲିଟି ହସ୍ପିଟାଲ ପକ୍ଷରୁ ଚଳିତ ଏପ୍ରିଲ ୨ ତାରିଖରେ କଟକର ସହୀଦ ଭବନ ଠାରେ ଏହାର ୩୩ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ସମାରୋହରେ କଲେକ୍ଟର ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡା. ଭବାନୀ ଶଙ୍କର ଚୟାନୀ ମୁଖ୍ୟ ଅତିଥି ଭାବେ ଏବଂ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ୍‌ର ଅଧ୍ୟକ୍ଷ ଡା.ସୀତା କାନ୍ତ ଦାଶ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୋଭା ବଢ଼ାଇଥିଲେ ।
ଏହି ଅବସରରେ ସମ୍ମାନନୀୟ ଦର୍ଶକ ଏବଂ ଆମନ୍ତ୍ରିତ ଅତିଥିମାନଙ୍କୁ ସମ୍ବୋଧିତ କରି ହସ୍ପିଟାଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡା ଶ୍ରୀଜୋୟ ପଟନାୟକ ସୂଚନା ଦେଇଛନ୍ତି ଯେ କିପରି ତାଙ୍କ ମାଙ୍କ ଶେଷ ଇଚ୍ଛା ତାଙ୍କୁ ଅଭାବୀ ରୋଗୀଙ୍କ ସେବା କରିବା ପାଇଁ ଜଣେ ଡାକ୍ତର ହେବା ଲାଗି ପ୍ରେରଣା ଦେଇଥିଲା ଏବଂ ସେହି ସ୍ୱପ୍ନ ଯାହା ବାସ୍ତବ ରୂପ ନେଇଛି । ସେ ଏକ ଚଉଦ ଶଯ୍ୟା ବିଶିଷ୍ଟ ଛୋଟ ହସ୍ପିଟାଲରୁ ଏହି ଶହେ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ହେବା ପର୍ଯ୍ୟନ୍ତ ଶାନ୍ତି ହସ୍ପିଟାଲର ସଂଘର୍ଷପୂର୍ଣ୍ଣ ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଯାହା ଗୋଟିଏ ଛାତ ତଳେ ରୋଗୀଙ୍କର ସମସ୍ତ ଆବଶ୍ୟକତାକୁ ପୂରା କରିବା ପାଇଁ ଆଜି ଉଦୀୟମାନ ହୋଇଛି ଏବଂ ଏସବୁ ଶାନ୍ତି ହସ୍ପିଟାଲ ଟିମର ଆନ୍ତରିକ ତଥା ଉସର୍ଗୀକୃତ କଠିନ ପରିଶ୍ରମ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସେ ପ୍ରକାଶ କରିଛନ୍ତି । ହସ୍ପିଟାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡା. ରେଖା ଦାସ ବର୍ଣ୍ଣନା କରିଛନ୍ତି ଯେ ଏହି ହସ୍ପିଟାଲ କିପରି ଟେକ୍ନୋଲୋଜିର ଅଗ୍ରଗତି ସହିତ ଆଗକୁ ବଢ଼ିଛି ଏବଂ ଟେକ୍ନୋ-ଆଡଭାନ୍ସ ସହିତ ଚିକିତ୍ସା ଯୋଗାଇଦେବା ଲାଗି ସମସ୍ତ ଅତ୍ୟାଧୁନିକ ଉପକରଣକୁ ଅନ୍ତର୍ଭୁକ୍ତ କରିଛି ।
ଏହି ଅବସରରେ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ ଲିମିଟେଡ ଅଧ୍ୟକ୍ଷ ଡା.ସୀତା କାନ୍ତ ଦାଶ ନିଜ ଅଭିଜ୍ଞତା ସମ୍ପର୍କରେ ବ୍ୟକ୍ତ କରି କହିଛନ୍ତିଯେ ସେ କିପରି ସମସ୍ତ ପ୍ରତିକୂଳ ପରିସ୍ଥିତିର ଆହ୍ୱାନକୁ ଗ୍ରହଣ କରି ଜଣେ ପ୍ରତିଷ୍ଠିତ ଉଦ୍ୟୋଗୀ ହୋଇପାରିଛନ୍ତି ଏବଂ କଟକର ଏକ ଛୋଟ ଗାଁରୁ ଭାରତ ସମେତ ଆମେରିକାରେ ଅନେକ ଅନୁଷ୍ଠାନ ପ୍ରତିଷ୍ଠା କରିପାରିଛନ୍ତି । କଟକର କଲେକ୍ଟର ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡା. ଭବାନୀ ଶଙ୍କର ଚୟାନୀ ଶାନ୍ତି ମେମୋରିଆଲ ହସ୍ପିଟାଲର ପଦକ୍ଷେପଗୁଡ଼ିକୁ ପ୍ରଶଂସା କରିଛନ୍ତି । ସେ ନିଜର କୋଭିଡ-୧୯ ମହାମାରୀ ଅନୁଭୂତି ବାଂଟିଛନ୍ତି ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀମାନେ କିଭଳି ଭାବେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନ ବଂଚାଇବା ଦିଗରେ କାର୍ଯ୍ୟ କରିଛନ୍ତି ସେ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ବାସ୍ତବରେ ଭଗବାନ ବୋଲି ସେ ଉଲ୍ଲେଖ କରିଛନ୍ତି ।
ଏହା ବ୍ୟତୀତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ପରାମର୍ଶଦାତା, ଆନାସ୍ଥେସିଓଲୋଜିଷ୍ଟ, ଅର୍ଥୋପେଡିସିଆନ୍ସ, ଗାଇନିକୋଲୋଜିଷ୍ଟ, ଫିଜିସିଆନ୍‌, ସର୍ଜନ, ଡେଂଟିଷ୍ଟ, କାର୍ଡିଓଲୋଜିଷ୍ଟ, ଅନେକ ମେଡିକାଲ ବିଭାଗର ବିଶେଷଜ୍ଞ ଏବଂ ସ୍ୱାସ୍ୱ୍ୟ ସେବା ବୃତିଗତମାନେ ଯୋଗ ଦେଇଥିଲେ । ଡା.ଚିତ ରଞ୍ଜନ ଦାଶ, ମେଡିକାଲ ନିର୍ଦ୍ଦେଶକ ତଥା ବିଶିଷ୍ଟ ସର୍ଜନ କୃତଜ୍ଞତା ଅର୍ପଣ କରିଥିଲେ । ପରିଚାଳନା କମିଟି ସଦସ୍ୟ ଶ୍ରୀ ସୁଭ୍ରାଗ୍‌ସୁ ଜେ.ବାଗଚି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ସମୟରେ କର୍ମଚାରୀମାନଙ୍କୁ ଅନେକ ପ୍ରଶଂସା ଏବଂ ସଫଳତା ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ଏହି କାର୍ଯ୍ୟକ୍ରମରେ ହସ୍ପିଟାଲ କର୍ମଚାରୀଙ୍କ ଦ୍ୱାରା ସାଂସ୍କୃତିକ ଉପସ୍ଥାପନା କରାଯାଇଥିଲା ଏବଂ ଡା.ପଲ୍ଲବୀ ତ୍ରିପାଠୀ ଏହାର ପରିଚାଳନା କରିଥିଲେ । ଅପରେସନ ମୁଖ୍ୟ ଶ୍ରୀ ପରିତୋଷ ଦାସ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।


Share It

Comments are closed.