ଓଡ଼ିଶାର ୨୦ ଷ୍ଟାର୍ଟଅପ୍‌ଙ୍କୁ ପାଣ୍ଠି ପ୍ରଦାନ ପାଇଁ ନିବେଶକଙ୍କ ପ୍ରତିଶ୍ରୁତି


ଭୁବନେଶ୍ୱର : ଏଆଇସି-ନାଳନ୍ଦା ଇନଷ୍ଟିଚୁୃ୍ୟଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ ପକ୍ଷରୁ ଭାରତ ସରକାରଙ୍କ ଅଟଳ ଇନୋଭେସନ ମିସନ ଓ ସେବି ପଞ୍ଜୀକୃତ ଭେଂଚର କ୍ୟାପିଟାଲ୍ ଫଣ୍ଡ୍ ଫ୍ଲୁଇଡ୍ ଭେଂଚର୍ସ ଓ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ) ସହଯୋଗରେ ଆୟୋଜନ କରାଯାଇଥିବା ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ ରାଜ୍ୟରେ ଷ୍ଟାର୍ଟଅପ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଏହି ୧୪ ଦିନିଆ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ୱତନ୍ତ୍ର ଅଧିବେଶନ ଓ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହା ଦ୍ୱାରା ରାଜ୍ୟର ଷ୍ଟାର୍ଟଅପଗୁଡ଼ିକ ଉପକୃତ ହୋଇଛନ୍ତି ।
୨୦୨୩ ଡିସେମ୍ବର ୧୦ରୁ ଆରମ୍ଭ ଓଡ଼ିଶା ଷ୍ଟାର୍ଟଅପ କାର୍ନିଭାଲରେ ୭୦ରୁ ଅଧିକ ଷ୍ଟାର୍ଟଅପ ଓ ୧୫ ନିବେଶକ ଯୋଡ଼ି ହୋଇଥିଲେ । ଶ୍ରେଷ୍ଠ ୨୦ ଷ୍ଟାର୍ଟଅପ ନିବେଶକମାନଙ୍କ ସମ୍ମୁଖରେ ସେମାନଙ୍କ ଆଇଡିଆ ଉପସ୍ଥାପନ କରିଥିଲେ । ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପାଣ୍ଠି ପ୍ରଦାନ କରିବା ଲାଗି ନିବେଶକମାନେ ପ୍ରତିଶ୍ରୁତି ଦେଇଛନ୍ତି ଯାହା ସେମାନଙ୍କ ଅଭିଯାନକୁ ସମୃଦ୍ଧ କରିବା ସହ ରାଜ୍ୟର ଷ୍ଟାର୍ଟଅପ ବ୍ୟବସ୍ଥାକୁ ଆହୁରି ଆଗକୁ ବଢ଼ାଇବାରେ ସହାୟକ ହେବ ।
ଏହି ଅବସରରେ ଏଆଇସି-ଏନ୍‌ଆଇଟିଏଫ୍‌ର ସିଇଓ ଶ୍ରୀ ଦୁର୍ଗା ପ୍ରସାଦ କହିଛନ୍ତି ଯେ, “ରାଜ୍ୟର ଷ୍ଟାର୍ଟଅପ ପରିବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଓଡ଼ିଶା ଷ୍ଟାର୍ଟଅପ କାର୍ନିଭାଲ ୨୦୨୩ ଆୟୋଜନ କରାଯାଇଥିଲା । ଏଥିରେ ୩୦ରୁ ଅଧିକ ବକ୍ତା ଏବଂ ମେଂଟର, ୧୫ ନିବେଶକ ଓ ୭୦ ଷ୍ଟାର୍ଟଅପ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଷ୍ଟାର୍ଟଅପ ବ୍ୟବସ୍ଥାର ସମସ୍ତ ଅଂଶୀଦାରଙ୍କୁ ଏକତ୍ରୀତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିିଥିଲା । ଆମର କିଛି ଶ୍ରେଷ୍ଠ ଷ୍ଟାର୍ଟଅପ ନିବେଶକମାନଙ୍କଠାରୁ ପାଣ୍ଠି ହାସଲ କରିବାର ପ୍ରତିଶ୍ରୁତି ପାଇଛନ୍ତି । ସେ ବିଷୟରେ ନିକଟ ଭବିଷ୍ୟତରେ ଘୋଷଣା କରାଯିବ ।’’
ଫ୍ଲୁଇଡ୍ ଭେଂଚର୍ସର ପ୍ରତିଷ୍ଠାତା ଅମିତ ସିଂଘଲ କହିଛନ୍ତି ଯେ, “ଏଆଇସି-ନାଳନ୍ଦା ସହଯୋଗରେ ଆୟୋଜନ କରାଯାଇଥିବା ଆମର ଏହି ପ୍ରମୁଖ କାର୍ଯ୍ୟକ୍ରମର ସଫଳତାକୁ ନେଇ ଆମେ ବହୁତ ଖୁସି । ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଅଂଶୀଦାରଙ୍କୁ ଆମେ କୃତଜ୍ଞତା ଜଣାଇବାକୁ ଚାହୁଁଛୁ । ଭବିଷ୍ୟତରେ ଆମେ ଏହି ଧରଣର ସହଯୋଗିତା ସ୍ଥାପନ କରିବାକୁ ଉଦ୍ୟମ ଜାରି ରଖିବୁ ଯାହା ଷ୍ଟାର୍ଟଅପ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସହାୟକ ହେବ ।’’
ୟୁସିସିଆଇଏଲର ମାନ୍ୟବର ସଚିବ ଏ.କେ ଶାରଦା କହିଛନ୍ତିଯେ, ‘ଓଡ଼ିଶାରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଅଭିବୃଦ୍ଧିର ନୂଆ ମାଇଲଖୁଂଟ ହାସଲ କରୁଛି ଏବଂ ରାଜ୍ୟର ଶିଳ୍ପଗୁଡ଼ିକ ଯୁବ ଉଦ୍ୟୋଗୀମାନଙ୍କୁ ଯଥାସମ୍ଭବ ସହାୟତା କରିବାକୁ ଆଗେଇ ଆସିବା ଆବଶ୍ୟକ ।’
ଶନିବାର ଏହି କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ବିଭିନ୍ନ ପ୍ରସଙ୍ଗରେ ପ୍ୟାନେଲ ଆଲୋଚନା ଆୟୋଜନ କରାଯାଇଥିଲା । ନିବେଶକଙ୍କ ଦୃଷ୍ଟିକୋଣ: ପାଣ୍ଠିର ପ୍ରାରମ୍ଭିକ ସ୍ତର, ନିବେଶକଙ୍କ ଦୃଷ୍ଟିକୋଣ: ଗ୍ରୋଥ ଫଣ୍ଡିଂ, ଷ୍ଟାର୍ଟଅପ ପାଇଁ ଇନକୁବେସନ ଦୃଶ୍ୟପଟ୍ଟ, ଉଦ୍ୟୋଗୀଙ୍କୁ ସଶକ୍ତ କରିବାରେ ଶିଳ୍ପର ଭୂମିକା, ନୂଆ ପିଢ଼ି ଉଦ୍ୟୋଗୀଙ୍କ ଭବିଷ୍ୟତର ପରିକଳ୍ପନା, ସବୁଜ ନବସୃଜନ ପାଇଁ ଏକ ପରିବ୍ୟବସ୍ଥା ଗଠନ କରିବା ଭଳି ବିଷୟବସ୍ତୁ ଉପରେ ପ୍ୟାନେଲ ଆଲୋଚନାଗୁଡ଼ିକ ଅନୁଷ୍ଠିତ ହୋଇଥିଲା ।
ଓଡ଼ିଶା ଷ୍ଟାର୍ଟଅପ କାର୍ନିଭାଲର ଏହି ଦ୍ୱିତୀୟ ସଂସ୍କରଣରେ ବିଭିନ୍ନ ପ୍ରକାର ଶିଳ୍ପ-ଶିକ୍ଷାନୁଷ୍ଠାନ ଆଲୋଚନା, ବୈଠକ, ମେଟରିଂ ଅଧିବେଶନ ଆଦି ଆୟୋଜନ କରାଯାଇଥିଲା ଯାହା ଅଂଶଗ୍ରହଣକାରୀ ଷ୍ଟାର୍ଟଅପଗୁଡ଼ିକୁ ସଫଳତାର ଶିଖରରେ ପହଂଚାଇବ । ଷ୍ଟାର୍ଟଅପ ବ୍ୟବସ୍ଥାର ପ୍ରତିଟି ଅଂଶୀଦାରଙ୍କୁ ଏହା ଏକ ସ୍ୱତନ୍ତ୍ର ମଂଚ ପ୍ରଦାନ କରିଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶିଳ୍ପ ବିଶେଷଜ୍ଞ, ଶିକ୍ଷାନୁଷ୍ଠାନ, ଷ୍ଟାର୍ଟଅପ, ଇନୋଭେଟର, ଇନକୁବେଟର, ମେଂଟର, ନିବେଶକ ଓ କର୍ପୋରେଟ ଅଂଶଗ୍ରହଣ କରିଥିଲେ ।

 


Share It

Comments are closed.