କାମର ଅତ୍ୟଧିକ ଚାପ ଯୋଗୁଁ ଚାଲିଗଲା ୧୪ ଡେଲିଭରୀ ବଏଙ୍କ ଜୀବନ, ୨୧-୨୧ ଘଂଟା ଧରି କରୁଥିଲେ କାମ


କରୋନା ମହାମାରୀ ଲୋକଙ୍କ ଜୀବନରେ ଅନେକ ପରିବର୍ତନ ଆଣିଛି |ସଂକ୍ରମଣକୁ ରୋକିବା ପାଇଁ ଦୁନିଆର ଅନେକ ଦେଶରେ ଲକଡାଉନ ଜାରି କରାଯାଇଥିଲା। ଲକଡାଉନ ଯୋଗୁଁ ଅନେକ ଲୋକଙ୍କ ଚାକିରୀ ଚାଲିଗଲା। କିନ୍ତୁ ଲକଡାଉନ କୋହଳ ହେବାପରେ କାମ ଚାପ ଏତେ ବଢିଯାଇଛି ଯେ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି। ଦକ୍ଷିଣ କୋରିଆରୁ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି। କାର୍ଯ୍ୟ ଚାପବଢିଯିବାରୁ ୧୪ ଜଣ ଡେଲିଭରୀ ବଏଙ୍କ ଜୀବନ ଚାଲିଯାଇଛି।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଦକ୍ଷିଣ କୋରିଆରେ ବର୍ତ୍ତମାନ କାମ ଚାପ ଏତେ ବଢିଯାଇଛି ଯେ ପାଖାପାଖି ୧୪ ଡେଲିଭରୀ ବଏଙ୍କ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ଦେଶବାସୀ ଚକିତ। ଶ୍ରମିକ ସଂଗଠନ ଅନୁଯାୟୀ, ଅଧିକ କାମ କରିବା ଯୋଗୁଁ ଏହି କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଡେଲିଭରୀ ବଏ ଥିଲେ।

ରିପୋର୍ଟରେ କୁହାଯାଇଛି ଯେ, ଏହି ସମସ୍ତ ଡେଲିଭରୀ ବଏ ଲୋକେ ଅନଲାଇନରେ ଅର୍ଡର କରିଥିବା ଜିନିଷ ଡେଲିଭର କରିବା କାମ କରୁଥିଲେ। କିନ୍ତୁ ଗତ ମାସ ହେଲା ଅନଲାଇନ ଅର୍ଡର ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି। ଫଳରେ ଡେଲିଭରୀ ବଏଙ୍କ ଉପରେ କାମର ଚାପ ମଧ୍ୟ ବୃଦ୍ଧି ପାଇଛି।

ବିବିସିରେ ପ୍ରକାଶିତ ଏକ ରିପୋର୍ଟରେ ୩୬ ବର୍ଷୀୟ ଜଣେ ଡେଲିଭରୀ ବଏ କିମ ଡୁକଙ୍କ ମୃତ୍ୟୁର କାରଣ ଚିନ୍ତା ବୋଲି କୁହାଯାଇଛି। ରିପୋର୍ଟରେ ଦାବି କରାଯାଇଛି ଯେ କାମ ପ୍ରେସର ଯୋଗୁଁ ତାଙ୍କୁ ଦିନକୁ ୨୧ ଘଣ୍ଟିଆ ସିଫ୍ଟ କରିବାକୁ ପଡୁଥିଲା। ୪୦୦ ପ୍ୟାକେଟ୍ ଗ୍ରାହକଙ୍କୁ ପହଞ୍ଚାଇବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ଦିନ ସେ ଭୋର ୫ଟା ରୁ କାମ ଆରମ୍ଭ କରିଥିଲେ। ସେ ନିଜର ଜଣେ ସାଙ୍ଗକୁ ମେସେଜ ମଧ୍ୟ କରିଥିଲେ ଯେ କାମ ପ୍ରେସର ଅଧିକ ଥିବାରୁ ସେ ଚାକିରୀ ଛାଡିବା ପାଇଁ ଚାହୁଁଛନ୍ତି।

ସମସ୍ତ ମୃତକଙ୍କ ପରିବାର ଲୋକ କହିଛନ୍ତି ଯେ ଅଧିକ କାମ ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଛି। କାମ ପ୍ରେସର୍ ଯୋଗୁଁ ହୃଦଘାତରେ ସେମାନଙ୍କ ମୃତ୍ୟୁ ହୋଇଛି।


Share It

Comments are closed.