ଗ୍ରାନାଇଟ ଖଣିରେ ଭୟଙ୍କର ବିସ୍ଫୋରଣ : ଆଖିବୁଜିଲେ ୧୧ ଓଡିଆ ଶ୍ରମିକ


ଗ୍ରାନାଇଟ ଖଣିରେ ବିସ୍ଫୋରଣ ହୋଇ ୧୧ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ତେବେ ଆନ୍ଧ୍ର ପ୍ରଦେଶ କୁନୁଲ ଜିଲ୍ଲାର ହାଥି ବେଲଗାଲ ଗ୍ରାମ ନିକଟରେ ଥିବା ଏକ ଗ୍ରାନାଇଟ ଖଣିରେ ବିସ୍ଫୋରଣ ଯୋଗୁଁ ୧୧ ଜଣଙ୍କର ଘଟଣା ସ୍ଥଳେ ମୃତ୍ୟୁ ଘଟିଛି । ବିସ୍ଫୋରଣରେ ମୃତ ୧୧ ଶ୍ରମିକଙ୍କ ସମେତ ୮ ଜଣ ଗୁରୁତର ଆହତ ହୋଇଥିବା ବେଳେ ୫ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ମିଳିଥିବା ଖବର ମୁତାବକ ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖଣି ଅଞ୍ଚଳରେ ଥିବା ଏକ ଅସ୍ଥାୟୀ କ୍ୟାମ୍ପରେ ମହଜୁଦ ଥିବା ଜିଲେଟିନ ପାଇପରେ ଅଚାନକ ବିସ୍ପୋରଣ ଘଟିବାରୁ ୨୦ରୁ ଉର୍ଦ୍ଦ ଶ୍ରମିକ ଏହାର ଶୀକାର ହୋଇଥିଲେ । ତେବେ ସମସ୍ତ ଶ୍ରମିକମାନେ ଓଡିଶାର ବୋଲି ଜଣାପଡିଛି । ବିସ୍ଫୋରଣ ପରେ ଏକ ଡିଜେଲ ବୋଝେଇ ଟ୍ରକରେ ମଧ୍ୟ ନିଆଁ ଲାଗିଯାଇଥିଲା ବୋଲି ନିକଟସ୍ଥ ଗ୍ରାମବାସୀ ସୂଚନା ଦେଇଛନ୍ତି ।
ମୃତକଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିବା ହେତୁ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବପର ହୋଇ ନାହିଁ । ତେବେ ଘଟଣା ସଂପର୍କରେ ଖବର ପାଇଲା ପରେ ପୋଲିସ ଏବଂ ଏନଡିଆରଏଫ ଟିମ ସେଠାରେ ପହଞ୍ôଚ ଉଦ୍ଧାର କାର୍ଯ୍ୟ ଜାରିରଖିଛନ୍ତି ।
ସମସ୍ତ ଶ୍ରମିକମାନେ ଖଣିରେ କାମ ସାରି ନିଜନିଜ ଆଶ୍ରୟସ୍ଥଳୀକୁ ଫେରୁଥିଲେ । ପରେ ସେମାନେ ରୋଷେଇ କାର୍ଯ୍ୟ ଆରମ୍ଭ କରିବା ସମୟରେ ଏହି ଭୟାନକ ବିସ୍ଫୋରଣ ଘଟିଥିବାର ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ମୃତ ଶ୍ରମିକଙ୍କ ଶରୀରକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଇଦିଆଯିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।


Share It

Comments are closed.