ଗର୍ଭବତୀଙ୍କୁ ରକ୍ତଦାନ କରି ବଦାନ୍ୟତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ବଲାଙ୍ଗୀର:  ଜଣେ ଗର୍ଭବତୀଙ୍କୁ ବିପତି ସମୟରେ ରକ୍ତଦାନ କରି ବଦାନ୍ୟତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ।  ଘଟଣାନୁଯାୟୀ ବଲାଙ୍ଗୀର ଜିଲ୍ଲା ଟିଟଲାଗଡ଼ ବ୍ଲକ ଅନ୍ତର୍ଗତ ରିଗଦୁଲ ପଂଚାୟତ ଅଧିନସ୍ଥ ସିସକନୀ ଗ୍ରାମର ବୈଜୟନ୍ତୀ ସୁନା ନାମକ ଜଣେ ଗର୍ଭବତୀ ପ୍ରସବ ଯନ୍ତ୍ରଣା କାରଣରୁ ଟିଟଲାଗଡ଼ ଡାକ୍ତରଖାନାରେ ଭର୍ତି ହୋଇଥିଲେ । କିନ୍ତୁ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଅସ୍ତ୍ରୋପଚାର ଆବଶ୍ୟକ ଥିବା ଡାକ୍ତର ପରାମର୍ଶ ଦେଇଥିଲେ ଏବଂ ଏଥିପାଇଁ ଶୀଘ୍ର ଓ’ପଜିଟିଭ ବ୍ଲଡଗ୍ରୁପର ରକ୍ତ ଯୋଗାଡ଼ କରିବା ଲାଗି ମଧ୍ୟ କହିଥିଲେ । ଏହି ସମୟରେ ଡାକ୍ତରଖାନା ବ୍ଲଡବ୍ୟାଙ୍କରେ ଏହି ବ୍ଲଡଗ୍ରୁପର ରକ୍ତ ଉପଲବ୍ଧ ନଥିବାରୁ ଉକ୍ତ ମହିଳାଙ୍କ ସମ୍ପର୍କୀୟ ଉପାୟଶୂନ୍ୟ ହୋଇପଡ଼ିଥିଲେ । ଅନ୍ୟପକ୍ଷରେ ସମାନ ସମୟରେ ଉକ୍ତ ଡାକ୍ତରଖାନାକୁ ଅନ୍ୟ ଜଣେ ରୋଗୀଙ୍କୁ ନେଇ ଆସିଥିବା ୧୦୮ ଆମ୍ବୁଲାନ୍ସ ଇଏମଟି ସ୍ୱର୍ଣ୍ଣ ଶେଖର ତଣ୍ଡୀ, ଡ୍ରାଇଭର ବାବୁଲା ସାହୁ ଏବଂ ସହାୟକ ଉତ୍କଳ ବିଶି ଏହି ରୋଗୀଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ । ସୌଭାଗ୍ୟବସତଃ ଇଏମଟି ସ୍ୱର୍ଣ୍ଣ ଶେଖର ତଣ୍ଡୀଙ୍କ ବ୍ଲଡଗ୍ରୁପ ମଧ୍ୟ ଓ’ପଜିଟିଭ ଥିଲା । ତେଣୁ ବିନା କୌଣସି ବିଳମ୍ବରେ ସେ ତୁରନ୍ତ ଯାଇ ଏହି ଉଚ୍ଚ ସଙ୍କଟାପନ୍ନ ମା’ଙ୍କୁ ଗୋଟିଏ ୟୁନିଟ ଓ’ପିଜଟିଭ ରକ୍ତ ଦାନ କରିଥିଲେ । ଅସ୍ତ୍ରୋପଚାର ପରେ ଉକ୍ତ ମହିଳା ଜଣଙ୍କ ଦୁଇଟି ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଥିବାବେଳେ ବର୍ତମାନ ଉଭୟ ମା’ ଓ ଶିଶୁଙ୍କ ଅବସ୍ଥା ଭଲ ରହିଥିବା ଜଣାପଡ଼ିଛି । ଆମ୍ବୁଲାନ୍ସ କର୍ମଚାରୀଙ୍କର ଏହି ମହତକାର୍ଯ୍ୟ ପାଇଁ ତାଙ୍କୁ ଖୁବ ପ୍ରଶଂସା କରାଯାଉଛି ।


Share It

Comments are closed.