ବିଚ୍ଛିନ୍ନାଂଚଳରୁ ରୋଗୀଙ୍କୁ ଦେଢ଼ କି.ମି ଷ୍ଟ୍ରେଚରରେ ବୋହି ଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ


ଭଦ୍ରକ: ବନ୍ୟାଜଳ କାରଣରୁ ବିଚ୍ଛିନ୍ନ ହୋଇପଡ଼ିଥିବା ଏକ ଗ୍ରାମରୁ ଜଣେ ରୋଗୀଙ୍କୁ ଷ୍ଟ୍ରେଚର ଯୋଗେ ବୋହିଆଣି ଉଦାହରଣ ସୃଷ୍ଟି କରିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁସୁରି ଥାନା ଅନ୍ତର୍ଗତ କୁକୁଡି଼ଗଡ଼ିଆ ଗ୍ରାମର ବେଣୁଧର ବାସନ୍ତିଆ(୭୫ବର୍ଷ) ନାମକ ଜଣେ ବୃଦ୍ଧଙ୍କର ଦେହ ଅସୁସ୍ଥ ହେବା କାରଣରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଖବର ପାଇବା ପରେ ଡ୍ରାଇଭର ପ୍ରକାଶ କୁମାର ମହାନ୍ତି, ଅନ୍ୟଜଣେ ଡ୍ରାଇଭର ବଳରାମ ଜେନା ଏବଂ ଇଏମଟି ସୁରେଶ କୁମାର ପ୍ରଧାନ ୧୦୮ ଆମ୍ବୁଲାନ୍ସ ନେଇ ତୁରନ୍ତ କୁକୁଡ଼ିଗଡ଼ିଆ ଅଭିମୁଖେ ବାହାରିଯାଇଥିଲେ । କିନ୍ତୁ ଲଗାଣ ବର୍ଷା ଯୋଗୁଁ ଗାଁ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗାଁ ସହିତ ଯୋଗାଯୋଗ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇପଡ଼ିଥିଲା । ଯେଉଁଥିପାଇଁ ଆମ୍ବୁଲାନ୍ସଟି ଗାଁ ଠାରୁ ପ୍ରାୟ ଦେଢ଼ କି.ମି ଦୂରରେ ଅଟକି ରହିଥିଲା ।

ଏହାପରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଏକ ଷ୍ଟ୍ରେଚର ଧରି ଚାଲି ଚାଲି ଯାଇ ଗାଁ ମଧ୍ୟରେ ପହଂଚିଥିଲେ ଏବଂ ସେଠାରୁ ଗ୍ରାମବାସୀଙ୍କ ସହାୟତାରେ ରୋଗୀଙ୍କୁ ପ୍ରାୟ ଦେଢ଼ କି.ମି ରାସ୍ତା ଷ୍ଟ୍ରେଚରରେ ବୋହି ଆଣି ଆମ୍ବୁଲାନ୍ସ ନୀକଟରେ ପହଂଚାଇଥିଲେ । ଯାହାପରେ ରୋଗୀଙ୍କୁ ସେଠାରୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ଭଦ୍ରକ ହସ୍ପିଟାଲରେ ଭର୍ତି କରାଯାଇଛି । ଏଭଳି ଏକ ପ୍ରତିକୂଳ ପରିସ୍ଥିତିରେ ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଏଭଳି ମାନବିକତା ନିଶ୍ଚିତ ରୂପେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।


Share It

Comments are closed.