ଜଳ ସମ୍ପଦ ବିଭାଗରେ ବିଶ୍ୱ ଜଳ ଦିବସ



ଭୁବନେଶ୍ଵର: ମିଳିତ ଜାତିସଂଘର ଘୋଷଣା ଅନୁସାରେ ମାର୍ଚ୍ଚ ୨୨ ତାରିଖକୁ ବିଶ୍ୱ ଜଳ ଦିବସ ଭାବେ ପାଳନ କରାଯାଇଆସୁଅଛି । ଚଳିତ ବର୍ଷ ଏହି ଦିବସ ପାଳନର ବାର୍ତ୍ତା ରହିଛି ‘ଶାନ୍ତି ପାଇଁ ଜଳ’, ଯେଉଁଥିରେ ବିଶ୍ୱର ସ୍ଥିରତା ଏବଂ ସମୃଦ୍ଧିରେ ଜଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଗୁରୁତ୍ୱ ଦିଆଯାଇଛି ।
ଜଳବାୟୁ ପରିବର୍ତ୍ତନର ପ୍ରଭାବ ବୃଦ୍ଧି ଏବଂ ବିଶ୍ୱ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଆମର ସବୁଠାରୁ ମୂଲ୍ୟବାନ ‘ଜଳ ସମ୍ପଦ’ର ସୁରକ୍ଷା ଓ ସଂରକ୍ଷଣ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ସମସ୍ତଙ୍କ ମାନବିକ ଅଧିକାର ଏବଂ ଆବଶ୍ୟକତାକୁ ସନ୍ତୁଳିତ କରିବା ପାଇଁ ସମ୍ମିଳିତ ପ୍ରୟାସ ଦ୍ୱାରା ଜଳ ଏକ ସ୍ଥିର ଶକ୍ତି ଏବଂ ନିରନ୍ତର ବିକାଶ ପାଇଁ ଏକ ଉତପ୍ରେରକ ହୋଇପାରିବ । ବିଶ୍ୱ ଜଳ ଦିବସ ପରିପ୍ରେକ୍ଷୀରେ ଏବଂ ନିରନ୍ତର ବିକାଶ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନରେ ବିଭାଗର ସମ୍ମିଳନୀ କକ୍ଷରେ ଜଳର କ୍ରମାଗତ ଆବଶ୍ୟକତା ବୃଦ୍ଧି ଓ ଏହାର ଦକ୍ଷ ବ୍ୟବହାରରେ ବିଭାଗ କିପରି ଯୋଗଦାନ ଦେଉଛି, ସେ ସଂପର୍କରେ ଏକ ଆଲୋଚନା କରାଯାଇଥିଲା ।
ରାଜ୍ୟ ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଭାଗ ପକ୍ଷରୁ ନିଆଯାଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସମେତ ବିଭିନ୍ନ ଜଳ ବ୍ୟବହାରକାରୀଙ୍କ ମଧ୍ୟରେ ଜଳର ସଠିକ ଓ ସମାନ ବଣ୍ଟନ ଉପରେ ଆଲୋଚନା ହୋଇଥିଲା । ଜଳର ସଂରକ୍ଷଣ-ପୁନଃ ବ୍ୟବହାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା, ଫସଲର ବିବିଧିକରଣ ପୂର୍ବକ ସମାନ ଜମିରୁ ବର୍ଷରେ ଏକାଧିକ ଫସଲ କରାଯିବା, ଦକ୍ଷ ଜଳ ବ୍ୟବହାର ପାଇଁ ଜ୍ଞାନକୌଶଳ ପ୍ରୟୋଗ, ସମାନତା ଏବଂ ନ୍ୟାୟସଙ୍ଗତ ଭାବରେ ଜଳପରିଚାଳନା, ଏଥିରେ ମହିଳାମାନଙ୍କର ଦାୟିତ୍ୱ ଓ ନେତୃତ୍ୱ ଏବଂ ଜଳ ବଣ୍ଟନରେ ଥିବା ମତଭେଦକୁ ଆପୋଷ ଭାବରେ ସମାଧାନ କରିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ।


Share It

Comments are closed.