ଓଡିଶା ଫିନ୍‌ଟେକ୍ ଫେଷ୍ଟିଭାଲରେ ଓଡିଶାର ନାଗରିକଙ୍କ ପାଇଁ ବିଶ୍ୱର ପ୍ରଥମ ମିସ୍‌ଡକଲ୍ ଆଧାରିତ ପେମେଂଟ୍ ସିଷ୍ଟମର ଶୁଭାରମ୍ଭ


ଭୁବନେଶ୍ୱର : ଓଡିଶାର ପ୍ରଥମ ଫିନ୍‌ଟେକ୍ ଫେଷ୍ଟିଭାଲରେ ଓଡିଶା ସରକାର ଆଜି ବିଶ୍ୱର ପ୍ରଥମ ମିସ୍‌କଲ୍‌-ଆଧାରିତ ପେମେଂଟ୍ ସିଷ୍ଟମ ‘ମିସ୍‌କଲ୍‌ପେ’ର ଶୁଭାରମ୍ଭ କରିଛନ୍ତି । ଓଡିଶା ସରକାର ରାଜ୍ୟରେ ଡିଜିଟାଲ ପେମେଂଟ୍‌ର ଗ୍ରହଣୀୟତା ବୃଦ୍ଧି କରିବା ଏବଂ ଫିନ୍‌ଟେକ୍ ଶିଳ୍ପର ଅଭିବୃଦ୍ଧି ପାଇଁ ଏବଂ ଭୁବନେଶ୍ୱରକୁ ପୂର୍ବ ଭାରତର ଏକ ଫିନ୍‌ଟେକ୍ ହବ୍ ଭାବେ ପ୍ରୋତ୍ସାହିତ କରିବା ପାଇଁ ଏହି ଫେଷ୍ଟିଭାଲ ଆରମ୍ଭ କରିଛନ୍ତି । ‘ମିସ୍‌କଲ୍‌ପେ’ ସଲ୍ୟୁଶନ ଏବେ ବି ୟୁପିଆଇର ବ୍ୟବହାର କରୁନଥିବା ଦେଶର ୯୦ ମିଲିୟନରୁ ଅଧିକ ମୋବାଇଲ ସବ୍‌ସ୍କ୍ରାଇବର୍‌ଙ୍କୁ ସେବା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଏହାବ୍ୟତୀତ ଡିଜିଟାଲ ନିରକ୍ଷରତା କାରଣରୁ ସ୍ମାର୍ଟଫୋନ୍‌ରେ ୟୁପିଆଇ ଆପ୍‌ର ବ୍ୟବହାରକୁ ଆହ୍ୱାନପୂର୍ଣ୍ଣ ମନେ କରୁଥିବା ଉପଭୋକ୍ତାଙ୍କୁ ମଧ୍ୟ ସେବା ଯୋଗାଇବାକୁ ଏହା ଲକ୍ଷ୍ୟ ରଖିଛି । ମିସ୍‌କଲ୍‌ପେ ଏକ ଇଲେକ୍‌ଟ୍ରିସିଟି ବିଲ୍ ହେଉ କିମ୍ବା ଗ୍ୟାସ୍ ବିଲ୍‌, ଏକ ଷ୍ଟୋର୍‌ରେ ବ୍ୟବସାୟିକ ଟ୍ରାଞ୍ଜାକ୍ସନ, ମୋବାଇଲ ରିଚାର୍ଜ କିମ୍ବା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣଙ୍କୁ ପେମେଂଟ୍ କରିବା ଆଦି କ୍ଷେତ୍ରରେ କେବଳ ଏକ ମିସ୍ କଲ୍ ଦ୍ୱାରା ଯେକୌଣସି ପ୍ରକାରର ପେମେଂଟ୍‌କୁ ସକ୍ଷମ କରୁଛି । ମିସ୍‌କଲ୍‌ପେ ଏନ୍‌ପିସିଆଇର ନୂଆ କରି ଲଂଚ୍ ହୋଇଥିବା ୟୁପିଆଇ ୧୨୩ପେ ରେଲ୍‌ସ ଉପରେ ପରିଚାଳିତ ହେଉଛି ଏବଂ ଏହାକୁ ଭାରତର ସୁଦୂର ଅଂଚଳଗୁଡିକରେ ୟୁପିଆଇ-ଆଧାରିତ ଡିଜିଟାଲ ପେମେଂଟ୍‌ର ଗ୍ରହଣୀୟତାକୁ ବୃଦ୍ଧି କରିବା ପାଇଁ ଆର୍‌ବିଆଇ ଗଭର୍ଣ୍ଣର ଉନ୍ମୋଚନ କରିଥିଲେ । ଏହା ଭାରତ ସରକାରଙ୍କ ସମସ୍ତଙ୍କ ପାଇଁ ଡିଜିଟାଲ ପେମେଂଟ୍‌କୁ ସକ୍ଷମ କରି ତ୍ୱରାନ୍ୱିତ, ସମାବେଶୀ ଓ ସ୍ଥିର ଅଭିବୃଦ୍ଧି ହାସଲ କରିବାର ଉଦ୍ଦେଶ୍ୟ ସହ ଜଡିତ ରହିଛି, ଯାହାଫଳରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ଦେଶର ଅର୍ଥନୀତି ଓ ଦୁର୍ବଳ ବର୍ଗର ଲୋକଙ୍କ ଉନ୍ନତି କରାଯାଇପାରିବ ।

ବିଶ୍ୱର ଏହି ପ୍ରଥମ ଧରଣର ପଦକ୍ଷେପ ଉପରେ ମିସ୍‌କଲ୍‌ପେ’ର ପ୍ରତିଷ୍ଠାତା ଓ ସିଇଓ ମିତେଶ ଠାକର୍ କହିଛନ୍ତି, ‘ମିସ୍‌କଲ୍‌ପେ’ରେ ଆମେ ୟୁପିଆଇ ଡିଜିଟାଲ ପେମେଂଟ୍‌ଗୁଡିକୁ ବିଶେଷ କରି ଆମର ବୟସ୍କ ଓ ଡିଜିଟାଲ ପେମେଂଟ୍ ବିଷୟରେ ଅଜ୍ଞ ଥିବା ଉପଭୋକ୍ତାଙ୍କ ପାଇଁ ସରଳ କରିବା ଲାଗି ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ୱ ଦେଉଛୁ ଏବଂ ସାଧାରଣରେ ପ୍ରତ୍ୟେକ ବ୍ୟକ୍ତି କେବଳ ଏକ ମିସ୍ କଲ୍ ଦେଇ ଡିଜିଟାଲ ପେମଂଟ୍ କରିପାରିବେ । ଓଡିଶ ଫିନ୍‌ଟେକ୍ ଫେଷ୍ଟିଭାଲରେ ଟିପିଡବ୍ଲ୍ୟୁଓଡିଏଲ୍‌, ମିଶନ ଶକ୍ତି ଓ ୨୭ଟି ଏଫ୍‌ପିଓ ଭଳି ଓଡିଶାର ପ୍ରତିଷ୍ଠିତ ସଂସ୍ଥାଗୁଡିକ ସହ ମିଶି ଏହି ସଲ୍ୟୁଶନକୁ ଲଂଚ୍ କରିବା ଖୁବ୍ ସ୍ୱାଗତଯୋଗ୍ୟ ଓ ଉତ୍ସାହପୂର୍ଣ୍ଣ ଅଟେ, କାରଣ ରାଜ୍ୟ ସରକାର ଓଡିଶାର ଲୋକମାନଙ୍କ ମଙ୍ଗଳ ପାଇଁ ଅଭିନବ କାର୍ଯ୍ୟ କରିବା ଲାଗି ଅତ୍ୟଧିକ ସକ୍ରିୟ ଅଟନ୍ତି ।’

ନିଜର ପ୍ରଥମ ଡେବ୍ୟୁରେ ମିସ୍‌କଲ୍‌ପେ’ ରାଜ୍ୟରେ ୩ଟି ସଂସ୍ଥାକୁ ସେବା ପ୍ରଦାନ କରୁଛି । ପ୍ରଥମଟି ହେଉଛି ଟିପି ୱେଷ୍ଟର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ (ଟିପିଡବ୍ଲ୍ୟୁଓଡିଏଲ୍‌) ଯାହାକି ପଶ୍ଚିମ ଓଡିଶାରେ ବିଦ୍ୟୁତ୍ ଗ୍ରାହକଙ୍କୁ ସୁବିଧାଜନକ ବିଲ୍ ପେମେଂଟ୍ ସେବା ପ୍ରଦାନ କରିବା ପାଇଁ ଏକ ପଦକ୍ଷେପ ଅଟେ । ଟିପିଡବ୍ଲ୍ୟୁଓଡିଏଲ୍ ହେଉଛି ଟାଟା ପାୱାର କମ୍ପାନୀ ଲିମିଟେଡ (ଟାଟା ପାୱାର) ଓ ଓଡିଶା ସରକାରଙ୍କ ମଧ୍ୟରେ ଏକ ଯୁଗ୍ମ ଉଦ୍ୟମ ଏବଂ ଏହାର ମୁଖ୍ୟ କାର୍ଯ୍ୟାଳୟ ସମ୍ବଲପୁରରେ ରହିଛି । ଟିପିଡବ୍ଲ୍ୟୁଓଡିଏଲ୍ ସହ ସହଭାଗିତା ବ୍ୟତୀତ ମିସ୍‌କଲ୍‌ପେ’ ମିଶନ ଶକ୍ତିକୁ ମଧ୍ୟ ସେବା ଯୋଗାଉଛି, ମିଶନ ଶକ୍ତି ହେଉଛି ଓଡିଶା ସରକାରଙ୍କ ଏକ ପ୍ରକଳ୍ପ ଯାହା ଏକ ସ୍ୱୟଂସହାୟକ ଗୋଷ୍ଠୀ ବ୍ୟବସ୍ଥାରେ ରାଜ୍ୟରେ ୭୦ ଲକ୍ଷ୍ୟରୁ ଅଧିକ ମହିଳାଙ୍କ ପାଇଁ ଜୀବିକା ପ୍ରଦାନ କରୁଛି । ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟବସ୍ଥା କ୍ଷମତା ନିର୍ମାଣ, ଆର୍ଥିକ ସହଯୋଗ ଓ ଆତ୍ମନିର୍ଭରଶୀଳ ସଂସ୍ଥାଗୁଡିକ ମାଧ୍ୟମରେ ଗ୍ରାମାଂଚଳର ଗରିବ ଲୋକମାନଙ୍କୁ ଦାରିଦ୍ରତାରୁ ମୁକ୍ତ କରିବା ଲାଗି ସମ୍ବେଦନଶୀଳ ସହଯୋଗ ଢାଂଚା ପ୍ରଦାନ କରୁଛି ।


Share It

Comments are closed.