ଟିଟିଲାଗଡରେ ସିସିଟିଭି ସର୍ଭିଲାନ୍ସ ସିଷ୍ଟମର ଉଦଘାଟନ କରିଛନ୍ତି WODC ଅଧ୍ୟକ୍ଷ


ବଲାଙ୍ଗୀର, ୨୦ ଡିସେମ୍ବର ୨୦୨୩ : ବଲାଙ୍ଗୀର ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ । ଟିଟିଲାଗଡ ଟାଉନରେ ସିସିଟିଭି ସର୍ଭିଲାନ୍ସ ସିଷ୍ଟମର ଶୁଭ ଉଦଘାଟନ କରିଛନ୍ତି ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ । ଏହି ପ୍ରକଳ୍ପ ପାଇଁ ପରିଷଦ ପକ୍ଷରୁ 61.50 ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହି ସର୍ଭିଲାନ୍ସ ସିଷ୍ଟମ ସହରର 46 ଟି ସ୍ଥାନରେ 86 ଗୋଟି କ୍ୟାମେରା ସହିତ ଆସନ୍ତା ଦୁଇ ମାସ ମଧ୍ୟରେ କାର୍ଯ୍ୟକାରୀ ହେବ । ଏହି ଅବସରରେ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଉପସ୍ଥିତ ଥିଲେ ।
ବୈଷୟିକ ଜ୍ଞାନକୌଶଳ ତଥା କୃତ୍ତିମ ବୁଦ୍ଧିମତ୍ତା ଦ୍ବାରା ସହରରେ ଟ୍ରାଫିକ୍ ସମସ୍ୟାର ସମାଧନ, ଅସାମାଜିକ କାର୍ଯ୍ୟକଳାପ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ, ଏହି କ୍ରମରେ ସର୍ଭିଲାନ୍ସ ସିଷ୍ଟମ ପୋଲିସ କର୍ମଚାରୀଙ୍କୁ ଅଧିକ ସହାୟତା ହେବ ବୋଲି ଶ୍ରୀ ତ୍ରିପାଠୀ ମତ ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷେ ଟିଟିଲାଗଡ ଟାଉନହଲ୍ ପରିଦର୍ଶନ କରି ଏହାର ରକ୍ଷଣାବେକ୍ଷଣା ଓ ଉନ୍ନତିକରଣର ଅନୁଧ୍ୟାନ କରିଛନ୍ତି । ଏହାର ଉନ୍ନତିକରଣ ନିମନ୍ତେ ପରିଷଦ ପକ୍ଷରୁ ସମୁଦାୟ 3 କୋଟି 70 ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି । ଏନେଇ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ ଉପଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କହିଥିବା ବେଳେ ଯଥାଶୀଘ୍ର ଏହାର କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ହାଟପଦା ଠାରେ ନୂତନ ଭବରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପର ଚିହ୍ନଟ ସ୍ଥାନ ଅନୁଧ୍ୟାନ କରିଛନ୍ତି ଅଧ୍ୟକ୍ଷ I ସହରବାସୀଙ୍କ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ 4.18 କୋଟି ଟଙ୍କା ଅନୁଦାନ ଦିଆଯାଇଛି I ଲୋକ ପ୍ରତିନିଧି ମାନଙ୍କ ସହିତ ଆଲୋଚନା ସମୟରେ ପାର୍କିଂ ଏବଂ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଧ୍ୟାନ ଦେବା ପାଇଁ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି I ଟିଟିଲାଗଡ଼ର ମହାରାଜା ପୋଖରି ପରିଦର୍ଶନ କରି ବିଭିନ୍ନ ଆନୁସାଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ।
ଗସ୍ତ ସମୟରେ ଟିଟିଲାଗଡ ପୌରପରିଷଦ, ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପା ମଞ୍ଜରୀ ଜାଲ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିଦ୍ୟୁତ ପଣ୍ଡା, ଉପଜିଲ୍ଲାପାଳ ଶ୍ରୀ ଦୟାମୟ ପାଢୀ, ବଲାଙ୍ଗୀର ଉପଖଣ୍ଡ ପୋଲିସ୍ ଅଧିକାରୀ, ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ଅଜିତ୍ କୁମାର ମିଶ୍ର ଓ ପଶ୍ଚିମାଞ୍ଚ ଉନ୍ନୟନ କମିଟିର ଶ୍ରୀ ହଂସରଜ ଜୈନ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।


Share It

Comments are closed.