ୱିସଡେନ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଘୋଷଣା ହେଲା ଦଳ


ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୩ର ଫାଇନାଲ ମ୍ୟାଚ୍ (World Test Championship Final 2023) ଜୁନ୍ ମାସରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଇଂଲଣ୍ଡର ଓଭାଲରେ ଖେଳାଯିବାର ଅଛି । ଏହି ମ୍ୟାଚ୍ ପାଇଁ ଉଭୟ ଦଳ ଏପର୍ଯ୍ୟନ୍ତ ନିଜ ନିଜର ସ୍କ୍ୱାଡ୍ ଘୋଷଣା କରି ନାହିଁ । ଏସବୁ ମଧ୍ୟରେ ୱିସଡେନ୍ ୨୦୨୧-୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଦଳ ଘୋଷଣା କରିଛନ୍ତି । ବିସ୍ଫୋରକ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ମଧ୍ୟ ଏହି ଦଳରେ ସାମିଲ କରାଯାଇଛି । ଋଷଭ ପନ୍ତ (Rishabh Pant) ଙ୍କ ବ୍ୟତୀତ ଟିମ୍ ଇଣ୍ଡିଆ (Team India) ର ଦୁଇ ଖେଳାଳି ମଧ୍ୟ ଏହି ଦଳରେ ନିଜର ସ୍ଥାନ ପକ୍କା କରିବାରେ ସଫଳ ହୋଇଛନ୍ତି ।

ୱିସଡେନ୍ ୨୦୨୧-୨୦୨୩ରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ପ୍ରଦର୍ଶନ ଆଧାରରେ ୧୧ ଖେଳାଳିଙ୍କୁ ଚୟନ କରାଯାଇଛି । ଏହି ଦଳରେ ଟିମ୍ ଇଣ୍ଡିଆର ରବିନ୍ଦ୍ର ଜାଡେଜା (Ravindra Jadeja), ଜସପ୍ରୀତ ବୁମ୍ରା (Jasprit Bumrah) ଏବଂ ଋଷଭ ପନ୍ତ (Rishabh Pant) ଙ୍କୁ ସାମିଲ କରାଯାଇଛି । ୱିକେଟ୍ କିପର ଭାବରେ ଋଷଭ ପନ୍ତ ଦଳରେ ଅଛନ୍ତି । ଏଥି ସହ ଭାରତର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (Rohit Sharma), କେ.ଏଲ୍ ରାହୁଲ (KL Rahul) ଏବଂ ବିରାଟ କୋହଲି (Virat Kohli) ଦଳରେ ସ୍ଥାନ ପାଇ ନାହାଁନ୍ତି ।

ଏହି ଦଳରେ ଅଷ୍ଟ୍ରେଲିଆର ଉସମାନ ଖାୱାଜା (Usman Khawaja), ମାର୍ନସ୍ ଲାବୁସାଗ୍ନେ (Marnus Labuschagne), ପ୍ୟାଟ୍ କମିନ୍ସ (Pat Cummins) ଏବଂ ନାଥନ୍ ଲିଅନ୍ (Nathan Lyon) ମଧ୍ୟ ସାମିଲ ଅଛନ୍ତି । ଶ୍ରୀଲଙ୍କା ଦଳରୁ ଦିମୁଥ କରୁଣାତ୍ନେ ଓ ଦୀନେଶ ଚଣ୍ଡିମାଲଙ୍କୁ ସ୍ଥାନ ଦିଆଯାଇଛି । ଏଥି ସହିତ ଇଂଲଣ୍ଡର ଜନି ବେୟାରଷ୍ଟୋ ଓ ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ଏହି ଦଳରେ ସାମିଲ ଅଛନ୍ତି ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ର ଫାଇନାଲ ମ୍ୟାଚ୍ ଜୁନ୍ ୭ରୁ ଜୁନ୍ ୧୧ ପର୍ଯ୍ୟନ୍ତ ଇଂଲଣ୍ଡର କେନିଙ୍ଗଟନ୍ ଓଭାଲ୍ (ଲଣ୍ଡନ) ଗ୍ରାଉଣ୍ଡରେ ଖେଳାଯିବ । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (WTC) ର ଫାଇନାଲ ପାଇଁ ଟିମ୍ ଜମା କରିବାର ଶେଷ ତାରିଖ ହେଉଛି ମେ ୭ । ଲଗାତାର ଦ୍ୱିତୀୟ ଥର ପାଇଁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । କିନ୍ତୁ ଗତଥର ଫାଇନାଲରେ ଟିମ୍ ଇଣ୍ଡିଆକୁ ନ୍ୟୁଜିଲ୍ୟାଣ୍ଡ ହାତରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ।
ୱିସଡେନ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଦଳ

ଉସମାନ ଖାୱାଜା, ଦିମୁଥ କରୁଣାରତ୍ନେ, ମାର୍ନୁସ ଲାବୁସାଗ୍ନେ, ଦୀନେଶ ଚାନ୍ଦିମାଲ, ଜନି ବେୟାରଷ୍ଟୋ, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ପ୍ୟାଟ କମିନ୍ସ, ଜସପ୍ରୀତ ବୁମ୍ରା, କାଗିସୋ ରାବାଡା, ନାଥନ ଲିଅନ ।


Share It

Comments are closed.