ଭୁବନେଶ୍ୱର : ବ୍ୟବସାୟୀ, ବିଶେଷ କରି ଶହ ଶହ ଲୋକଙ୍କ ଭିଡ ଜମୁଥିବା ବ୍ୟସ୍ତବହୁଳ ହାଟ କିମ୍ବା ରାସ୍ତାକଡର ଖାଦ୍ୟ ବିକ୍ରେତାଙ୍କ ପାଇଁ ନକଲି ସ୍କ୍ରିନ୍ସଟ ଠକେଇ ଏକ ପ୍ରକୃତ ସମସ୍ୟା ପାଲଟିଛି । ଏଭଳି ସ୍ଥିତିରେ ପେମେଂଟ୍ କନ୍ଫର୍ମେଶନକୁ ପ୍ରମାଣିତ କରିବା ଆହ୍ୱାନପୂର୍ଣ୍ଣ ହୋଇପାରେ, ଯାହା ଠକମାନଙ୍କୁ ନୀରିହ ଲୋକମାନଙ୍କୁ ଠକିବା ପାଇଁ ଉପଯୁକ୍ତ ସୁଯୋଗ ପ୍ରଦାନ କରୁଛି । ଏହି ଠକେଇରେ ଜଣେ ଠକ ସାଧାରଣ ବ୍ୟକ୍ତିଙ୍କୁ ଠକିବା ପାଇଁ ଏକ ନକଲି ସ୍କ୍ରିନସଟ୍ ତିଆରି କରିଥାଏ ଯାହା ଏହି ପେମେଂଟ୍ ପ୍ରୋସେସ ହୋଇସାରିଛି ଏବଂ ନିର୍ଦ୍ଧାରିତ ରାଶି ପୀଡିତ ବ୍ୟକ୍ତିଙ୍କ ଆକାଉଂଟରେ ଜମା ହୋଇଛି ବୋଲି ଦର୍ଶାଇଥାଏ । ଅନ୍ଲାଇନ୍ ପେମେଂଟ୍ ପଦ୍ଧତି ବ୍ୟବବହାର କରିବା ଦ୍ୱାରା ନଗଦ ପରିଚାଳନା ଓ ମନି ଟ୍ରେଲ ଭଳି ବହୁ ସମସ୍ୟାର ସମାଧାନ ହୋଇଥାଏ । କିନ୍ତୁ ଏହାସହ ଠକାମିର ସମସ୍ୟା ମଧ୍ୟ ଜଡିତ ରହିଥାଏ । ଏହାର ମୁକାବିଲା କରିବା ପାଇଁ ଅଧିକ ସତର୍କ ହେବା ଜରୁରୀ ଅଟେ ଏବଂ ଠକେଇର ଶିକାର ହେବାରୁ ନିଜକୁ ରକ୍ଷା କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଉଚିତ ।
ଏଭଳି କିଛି ଜଣାଶୁଣା ପରିଦୃଶ୍ୟ ରହିଛି ଯେଉଁଠାରେ ନକଲି ସ୍କ୍ରିନସଟ୍ଗୁଡିକୁ ପେମେଂଟ୍ କନ୍ଫର୍ମେଶନ ପାଇଁ ବ୍ୟବହାର କରାଯାଇଥାଏ । ଗୋଟିଏ ହେଉଛି ଅଫ୍ଲାଇନ ବ୍ୟବସାୟୀଙ୍କୁ ବିଭ୍ରାନ୍ତ କରିବା । ଏହା ସେତେବେଳେ ଘଟିଥାଏ ଯେତେବେଳେ ଜଣେ ବ୍ୟବସାୟୀ ପେମେଂଟ୍ କନ୍ଫର୍ମେଶନ ଯାଂଚ କରିବା ପାଇଁ ଅତ୍ୟଧିକ ବ୍ୟସ୍ତ ଥାନ୍ତି କିମ୍ବା ଅନ୍ୟମନସ୍କ ଥା’ନ୍ତି । ଠକମାନେ ଏହାର ଫାଇଦା ଉଠାଇ ନକଲି ସ୍କ୍ରିନସଟ୍ର ବ୍ୟବହାର କରିଥାନ୍ତି । ସେହିପରି ଅନ୍ୟ ଏକ ମାଧ୍ୟମ ହେଉଛି ଅନ୍ଲାଇନ ବ୍ୟବସାୟୀଙ୍କୁ ଠକିବା । ଏକ ନୂଆ ଇନ୍ଷ୍ଟାଗ୍ରାମ ବ୍ୟବସାୟ ଯେଉଁଠାରେ ବ୍ୟବସାୟୀ ପେମେଂଟ୍ ନୋଟିଫିକେଶନ ପାଇନଥିଲେ ମଧ୍ୟ ତାଙ୍କୁ ପେମେଂଟ୍ କନ୍ଫର୍ମେଶନ ସ୍କ୍ରିନସଟ୍ ପଠାଇଥିବା ବ୍ୟକ୍ତିଙ୍କୁ ବିଶ୍ୱାସ କରିବା ପାଇଁ ବାଧ୍ୟ କରାଯାଇଥାଏ । ସେମାନେ କିଛି ସମୟ ପରେ ପେମେଂଟ୍ ପାଇବା ଆଶାରେ ପ୍ରଡକ୍ଟ କିମ୍ବା ସେବା ପ୍ରଦାନ କରିଥାନ୍ତି । କିନ୍ତୁ ପରେ ସେ ଠକାମିର ଶିକାର ହୋଇଥାନ୍ତି । ଏହାଛଡା ମନି ଟ୍ରାନ୍ସଫର ପାଇଁ ନଗଦ ପଇଠ କରିବା । ଏଭଳି ମାମଲାରେ ଠକମାନେ ପୀଡିତ ବ୍ୟକ୍ତିଙ୍କୁ ଏକ ଜରୁରୀକାଳିନ ସ୍ଥିତି ପାଇଁ ନଗଦ ଅର୍ଥ ଆବଶ୍ୟକତା ଥିବା କହି ଅନ୍ଲାଇନ ପେମେଂଟ୍ ବଦଳରେ ନଗଦ ଅର୍ଥ ଦେବାକୁ ଅନୁରୋଧ କରିଥାନ୍ତି । ପୀଡିତଙ୍କ ଆକାଉଂଟ୍ ବିବରଣୀ ନେଇ ନକଲି ଟ୍ରାଞ୍ଜାକ୍ସନ ସ୍କ୍ରିନସଟ୍ ଦେଖାଇଥାନ୍ତି । ଏହାଛଡା ଠକମାନେ ପୀଡିତ ବ୍ୟକ୍ତିଙ୍କୁ ଭୁଲରେ ଟଙ୍କା ପଠାଇଥିବା ଦାବି କରି ହ୍ୱାଟସ୍ଆପରେ ନକଲି ସ୍କ୍ରିନସଟ୍ ପଠାଇଥାନ୍ତି ଓ ସେମାନଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ ବାଧ୍ୟ କରିଥାନ୍ତି । ଟଙ୍କା ନଫେରାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧମକ ମଧ୍ୟ ଦେଇଥାନ୍ତି, ଯାହାଫଳରେ ପୀଡିତ ବ୍ୟକ୍ତି ଭୟଭୀତ ହୋଇ ଟଙ୍କା ପଠାଇଥାନ୍ତି ।
ଏଭଳି ଠକେଇର ଶିକାର ନହେବା ପାଇଁ ସବୁବେଳେ ଉତ୍ପାଦ କିମ୍ବା ସେବା ପ୍ରଦାନ କରିବା ପୂର୍ବରୁ ପେମଂଟ୍ କନ୍ଫର୍ମେଶନ ମେସେଜକୁ ଯାଂଚ କରିବା ଉଚିତ । ଆପଣ ଏହାକୁ ନିଜର ଟ୍ରାଞ୍ଜାକ୍ସନ ହିଷ୍ଟ୍ରି ଯାଂଚ କରି କରିପାରିବେ । ଏହାବ୍ୟତୀତ କେବଳ ସ୍କ୍ରିନସଟ୍ ଉପରେ ନିର୍ଭର କରିବା ଉଚିତ ନୁହେଁ । ଏହା ନକଲି ହୋଇପାରେ । ଇମେଲ କିମ୍ବା ନିଜ ପଞ୍ଜୀକୃତ ବ୍ୟାଙ୍କରୁ ଏସ୍ଏମ୍ଏସ୍ ନୋଟିଫିକେଶନ ଭଳି ପେମେଂଟ୍ କନ୍ଫର୍ମେଶନର ଅନ୍ୟାନ୍ୟ ସୂଚକଗୁଡିକୁ ବ୍ୟବହାର କରନ୍ତୁ । ଜଣେ ବ୍ୟବସାୟୀ ଏକ ସ୍ମାର୍ଟସ୍ପିକର୍ର ବ୍ୟବହାର କରିପାରିବେ ଯାହା ଭଏସ୍ ମେସେଜ ମାଧ୍ୟମରେ ପେମେଂଟ୍ ହୋଇଥିବା ସମ୍ପର୍କରେ ସୂଚିତ କରିଥାଏ । ଯଦି ଆପଣ ଫୋନ୍ପେ’ରେ ଠକେଇର ଶିକାର ହୁଅନ୍ତି ତେବେ ଆପଣ ତତ୍କାଳ ଫୋନ୍ପେ ଆପ୍ରେ କିମ୍ବା କଷ୍ଟମର କେୟାର ନମ୍ବରରେ କଲ୍ କରି କିମ୍ବା ଫୋନ୍ପେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏସମ୍ପର୍କରେ ଅଭିଯୋଗ କରିପାରିବେ । ଆପଣ ନିଜର ନିକଟସ୍ଥ ସାଇବର କ୍ରାଇମ୍ ସେଲ୍ରେ କିମ୍ବା ୧୯୩୦ରେ କଲ୍ କରି ଠକେଇ ସମ୍ପର୍କରେ ଅଭିଯୋଗ କରିପାରିବେ କିମ୍ବା ଅନ୍ଲାଇନ୍ରେ https://www.cybercrime.gov.in/ùeରେ ଅଭିଯୋଗ ଦାଖଲ କରିପାରିବେ ।
Comments are closed.