ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀ ବୃଦ୍ଧି ପାଇଁ ଯଥେଷ୍ଟ ସୁଯୋଗ ରହିଛି : ମନ୍ତ୍ରୀ ଶ୍ରୀ ସ୍ୱାଇଁ


ଭୁବନେଶ୍ୱର : ରାଜ୍ୟରେ ବିସ୍ତୃତ ଜଳସମ୍ପଦ ରହିଥିବା ପରିପ୍ରେକ୍ଷୀରେ ମାଛ ଉତ୍ପାଦନ ଓ ରପ୍ତାନୀର ବ୍ୟାପକ ସୁଯୋଗ ରହିଛି । ୨୦୨୨-୨୦୨୩ ମସିହାରେ ରାଜ୍ୟରେ ମୋଟ ୪୮୦୭ କୋଟି ଟଙ୍କାର ମାଛ ବିଦେଶକୁ ରପ୍ତାନୀ ହୋଇଥିବାବେଳେ ଉତ୍ପାଦିତ ମତ୍ସ୍ୟକୁ ପ୍ରକ୍ରିୟାକରଣ ମାଧ୍ୟମରେ ମୂଲ୍ୟଯୁକ୍ତ କରିପାରିଲେ ଅଧିକ ବୈଦେଶିକ ମୁଦ୍ରା ଉପାର୍ଜନ ହୋଇପାରିବ । ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା କରି କୃଷକମାନଙ୍କ ଆୟ ବହୁଗୁଣିତ କରିବା ସହ ରାଜ୍ୟରେ କୃଷିର ଅଭିବୃଦ୍ଧି କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା “ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା” ଏକ ବଳିଷ୍ଠ ମାଧ୍ୟମ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି କୃଷି ଭବନଠାରେ ଆୟୋଜିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ମତ୍ସ୍ୟ ଉଦ୍ୟୋଗୀମାନଙ୍କର ଅଭିବୃଦ୍ଧି ସମ୍ପର୍କିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଏହି ଯୋଜନାକୁ ଅଧିକ ସଫଳ, ଫଳପ୍ରଦ ଓ ଆକର୍ଷଣୀୟ କରିବା ପାଇଁ ସଂପ୍ରତି ଏହାର ମାର୍ଗଦର୍ଶିକା ସରଳୀକରଣ କରାଯିବା ସହିତ ସର୍ବୋଚ୍ଚ ରିହାତି ରାଶିକୁ ୫୦ ଲକ୍ଷରୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଗନାରେ ରାଜ୍ୟର ଆଗ୍ରହୀ ଉଦ୍ୟୋଗୀମାନଙ୍କୁ ସାମିଲ କରି ମତ୍ସ୍ୟଚାଷ ଓ ଉତ୍ପାଦନ ବୃଦ୍ଧି କରିବା ସହିତ ରାଜ୍ୟର ଅର୍ଥନୈତିକ ବିକାଶ ଓ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ସଂପର୍କରେ ପ୍ରତି ଜିଲ୍ଲାରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଆପିକଲ ୱେବସାଇଟରେ ଅଧିକରୁ ଅଧିକ ସଫଳ କାହାଣୀ ଏବଂ ଫଟୋଚିତ୍ର ସ୍ଥାନିତ କଲେ ଉଦ୍ୟୋଗୀମାନେ ମତ୍ସ୍ୟଚାଷ କ୍ଷେତ୍ରରେ ଉଦ୍ୟୋଗୀ ପ୍ରତିଷ୍ଠା କ୍ଷେତ୍ରରେ ଆଗ୍ରହୀ ହେବେ । ରାଜ୍ୟ ସରକାର ମତ୍ସ୍ୟଚାଷର ବିକାଶକୁ ଗୁରୁତ୍ୱ ପ୍ରଦାନ କରି ମତ୍ସ୍ୟଚାଷ କ୍ଷେତ୍ର ପାଇଁ ଚଳିତବର୍ଷର ବଜେଟରେ ପ୍ରାୟ ୧୯.୭୬ ପ୍ରତିଶତ ବୃଦ୍ଧି କରିଛନ୍ତି । ଓଡିଶା ଉପକୂଳର ଗଭୀର ସମୁଦ୍ରରୁ ପର୍ଯ୍ୟାପ୍ତ ପରିମାଣର ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଓ ପ୍ରକ୍ରିୟାକରଣ ଦିଗରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା ବିଶେଷ ସହାୟକ ହୋଇପାରିବ ଏବଂ ମତ୍ସ୍ୟ ଚାଷ କ୍ଷେତ୍ରରେ ଋପାନ୍ତର ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏଥି ସହିତ ବିଭାଗ ଦ୍ୱାରା ବୃହତ ଏବଂ ଅତ୍ୟାଧୁନିକ ଆକ୍ୱାରିୟମ ସ୍ଥାପନ କରି ରଙ୍ଗିନମାଛର ବିକାଶ ସହିତ ପର୍ଯ୍ୟଟନର ବିକାଶ ନିମନ୍ତେ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ ।
ଆଲୋଚନାରେ ଅଂଶଗ୍ରହଣ କରି ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ବିଗତ ୨୦ ବର୍ଷ ଭିତରେ ମାଛ ଉତ୍ପାଦନ କ୍ଷେତ୍ରରେ ରାଜ୍ୟର ଉଲ୍ଲେଖନୀୟ ସଫଳତା ସମ୍ପର୍କରେ କହିଥିଲେ ।
ମାଛ ଉତ୍ପାଦନ କ୍ଷେତ୍ରରେ ଓଡିଶା ସର୍ବଭାରତୀୟ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରିଥିବାବେଳେ ଏହି ସମୟ ମଧ୍ୟରେ ମାଛ ଉତ୍ପାଦନ ଚାରିଗୁଣା ବୃଦ୍ଧି ପାଇଛି । ସାମୁଦ୍ରିକ ଖାଦ୍ୟ ରପ୍ତାନୀ ୮ ଗୁଣ ବୃଦ୍ଧି ପାଇଛି । ମାଛ ଯାଆଁଳ ଉତ୍ପାଦନ ୧୦ ଗୁଣ ବୃଦ୍ଧି ପାଇଛି । ବିଭାଗ ପକ୍ଷରୁ ପ୍ରଣୀତ ଓ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରେ ମତ୍ସ୍ୟଚାଷୀଙ୍କୁ ଅନେକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ମାଛ ଉତ୍ପାଦନ ବୃଦ୍ଧି ଦିଗରେ ରାଜ୍ୟକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ପ୍ରମୁଖ ଭୂମିକା ରହିଛି । ଏହା ଦ୍ୱାରା ମହିଳାମାନେ ସ୍ୱାଭାଲମ୍ବୀ ହେବା ସହିତ ମହିଳା ସଶକ୍ତିକରଣ ହୋଇପାରୁଛି ବୋଲି ପ୍ରମୁଖ ସଚିବ ଶ୍ରୀ ବଶିଷ୍ଠ କହିଥିଲେ ।


Share It

Comments are closed.