ଅଲଟିମେଟ ଖୋ ଖୋ ସିଜନ-୨ : ରାଜସ୍ଥାନ ୱାରିୟର୍ସ ବିରୋଧରେ ତେଲୁଗୁ ୟୋଦ୍ଧାସର ବୃହତ ବିଜୟ


କଟକ,୧ ଜାନୁଆରୀ ୨୦୨୪: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚରେ ତେଲୁଗୁ ୟୋଦ୍ଧାସ ନିଜର ୨ୟ ବିଜୟ ହାସଲ କରିଛି । ତେଲୁଗୁ ୟୋଦ୍ଧାସ, ୩୪-୨୭ର ବୃହତ ଅନ୍ତରରେ ରାଜସ୍ଥାନ ୱାରିୟର୍ସକୁ ପରାଜିତ କରିଛି । ଏହି ପ୍ରତିଯୋଗିତାରେ ତେଲୁଗୁ ୟୋଦ୍ଧାସ ପାଇଁ ପ୍ରତିକ ୱାଇକର ୮ ପଏଂଟ ହାସଲ କରିଥିବା ବେଳେ ଆଦିତ୍ୟ ଗଣପୁଲେ ଓ ରାହୁଲ ମଣ୍ଡଳ ମିଳିତ ଭାବେ ମୋଟ ୧୨ ପଏଂଟ୍ ହାସଲ କରିଥିଲେ । ଆଦିତ୍ୟ ଓ ଆକାଶ ଟାଗୋର ମ୍ୟାଟରେ ୪ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ରହି ବିଜୟ ପାଇଁ ଗୁରୁତ୍ୱପୂର୍ଣ୍ଣ ଡ୍ରିମ ରନ ବୋନସ ହାସଲ କରିଥିଲେ । ସେହିପରି ଆଜିର ପ୍ରଥମ ମ୍ୟାଚରେ ଚେନ୍ନାଇ କ୍ୱିକ ଗନ୍ସ, ଗୁଜରାଟ ଜିଆଂଟସକୁ ୩୫-୨୯ ପଏଂଟରେ ପରାଜିତ କରିଛି । ଏହି ମ୍ୟାଚ୍‌ରେ ରାମଜୀ କଶ୍ୟପ ୧୦ ପଏଂଟ ହାସଲ କରିବା ସହିତ ମ୍ୟାଟରେ ୪ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ରହି ୫ଟି ଡ୍ରିମ ରନ ବୋନସ ପଏଂଟ ହାସଲ କରିଥିଲେ । ରାମଜୀଙ୍କ ଏହି ରେକର୍ଡ ସଂଖ୍ୟକ ଡ୍ରିମ ରନ ବୋନସ ପଏଂଟ ଚେନ୍ନାଇକୁ ସହଜ ବିଜୟ ପ୍ରଦାନ କରିଥିଲା । ଚେନ୍ନାଇ କ୍ୱିକ ଗନସ ଏବେ ଆସନ୍ତା ମଙ୍ଗଳବାର ଡିଫେଣ୍ଡିଂ ଚାମ୍ପିଅନ ଓଡିଶା ଜଗରନଟସକୁ ଭେଟିବ । ସେହିପରି ମୁମ୍ବାଇ ଖିଲାଡିସ, ଗୁଜରାଟ ଜିଆଂଟସ ବିରୋଧରେ ପ୍ରତିଦ୍ୱନ୍ଦିତା କରିବ ।

ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍‌ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ପ୍ରଥମ ସଂସ୍କରଣରେ ଏକ ବଡ ସଫଳତାରେ ପରିଣତ ହୋଇଥିଲା, ଯାହାକି ଟେଲିଭିଜନ ଭ୍ୟୁୟର୍‌ସିପ୍ ଦୃଷ୍ଟିରୁ ଭାରତର ୩ୟ ସର୍ବବ୍ୟହତ୍ ଅଣ-କ୍ରିକେଟ୍ ଲିଗ୍ ଭାବେ ଉଭା ହୋଇଛି ।  ଏହା ୟୁକେ ସ୍ଥିତ ବିଏନ୍‌ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା ।  ଏହାର ୨ୟ ସଂସ୍କରଣରେ ପଏଂଟ ବ୍ୟବସ୍ଥାରେ ଏକସମାନତା ପ୍ରଚଳନ କରାଯାଇଛି ଯେଉଁଥିରେ ଦଳଗୁଡ଼ିକୁ ସମସ୍ତ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଦୁଇ ପଏଂଟ ଦାୟୀ କରାଯିବ । ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍‌ର ଲାଇଭ୍ କଭରେଜ ସହିତ ସିଜନ୍ ୨ର ଉତ୍ସାହଜନକ ଆକ୍ସନ  ସୋନି ସ୍ପୋର୍ଟସ୍ ନେଟ୍‌ୱର୍କର ଚ୍ୟାନେଲ ଓ ସୋନି ଲିଭ୍‌ରେ ଟେଲିକାଷ୍ଟ ବା ପ୍ରସାରିତ ହେବ ।

ଆଜିର ୨ୟ ମ୍ୟାଚରେ ବିଜୟୀ ତେଲୁଗୁ ୟୋଦ୍ଧାସରେ ଅରୁଣ ଗୁଙ୍କି, ଅବଧୁତ ପାଟିଲ, ପ୍ରତୀକ ୱାଇକର, ଅଧିକାର ଗାନପୁଲେ, ରାହୁଲ ମଣ୍ଡଳ, ନିଖିଲ ବାଘେ, ମିଲିନ୍ଦ ଚାଭରେକର, ଆକାଶ ତୋଗାରେ, କିରଣ ଭାସାଭେ, ଧ୍ରୁବ, ପ୍ରସାଦ ରାଡ଼ି, ରୁଦ୍ର ଥୋପାଟେ, ପ୍ରେମ ରାଣ୍ଡିଭ, ବୈଭବ ନିପ୍ପାନେ, ସୌରଭ ଆଡଭାକର, ବିଜୟଭାଇ ଭେଗଡ଼, ଅନୁକୁଳ ସରକାର, ଏମ ଫନି କୁମାର, ମହାମଦ ଉଜେର ହାରୁନ ମୋମିନ୍‌, ମାତଲୁମ, ଲିପୁନ ମୁଖୀ, ଅର୍ଜୁନ ବିଶୁକର୍ମା, ପ୍ରସାଦ ପାଟିଲ, ବୋଜଜମ ରଂଜିତ୍ ଏବଂ ରଜତ ମଲ୍ଲିକ ଆଦି ସାମିଲ ଥିଲେ । ସେହିପରି ରାଜସ୍ଥାନ ୱାରିୟର୍ସରେ ଅକ୍ଷୟ ଗନପୁଲେ, ଦିଲରାଜସିଂ ସେଙ୍ଗର, ମଜହର ଜମାଦାର, ବିଜୟ ହାଜର, ଜଗନାଥ ଦାସ, ଋଷଭ ବାଘ, ନିଲେଶ ପାଟିଲ, ପ୍ରଜ୍ୱାଲ କେଏଚ୍‌, ବ୍ରାହ୍ମଣେ ବିବେକ, ରଞ୍ଜନ ସେଠୀ, ରେଜେଟି ସୁରାଇନାଇଡୁ, ସୌରଭ ଗଡ଼ଗେ, ନନ୍ଦନ ଡି, ଗଣେଶ ବୋରକର, ବିକା ଚେତନ, ବୁଚନନଗରୀ ରାଜୁ, ଧନରାଜ ପି, ଜଗନ୍ନାଥ ମୁର୍ମୁ, ଆଦିତ୍ୟ ଶେଲକେ, ମୁକେଶ ପ୍ରଜାପତ, ବୈଭବ ମୋରେ ଓ ଆଦିତ୍ୟ କେ.ଏନ୍ ଆଦି ସାମିଲ ଥିଲେ ।


Share It

Comments are closed.