ବିରୋଧୀ ମେଣ୍ଟକୁ ନେଇ ଖଡଗେଙ୍କ ବାସଭବନରେ ବୈଠକ, ଯୋଗଦେଲେ ରାହୁଲ ଗାନ୍ଧୀ, ତେଜସ୍ୱୀ ଯାଦବ ଓ ନୀତିଶ କୁମାର


ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ଏହି କ୍ରମରେ ସେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଏହି ଭେଟ ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଉପସ୍ଥିତ ଥିଲେ । ଏହା ପୂର୍ବରୁ ମଙ୍ଗଳବାର ଦିନ ନୀତିଶ କୁମାର ଲାଲୁ ଯାଦବଙ୍କୁ ମଧ୍ୟ ଭେଟିଥିଲେ ।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ନୀତିଶଙ୍କ ଦିଲ୍ଲୀଗସ୍ତକୁ ନେଇ ଆଲୋଚନା ଜୋର ଧରିଛି । ନୀତିଶ କୁମାର ଲଗାତର ଭାବେ ବିଜେପି ବିରୋଧରେ ବିରୋଧୀଦଳମାନଙ୍କୁ ଏକାଠି କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ଦିନ ନୀତିଶ କୁମାର ଲାଲୁ ଯାଦବଙ୍କ ଝିଅ ମୀଶା ଭାରତୀଙ୍କ ବାସଭବନକୁ ଯାଇ ସେଠାରେ ଲାଲୁ ଯାଦବଙ୍କୁ ଭେଟିଥିଲେ । ଲାଲୁଙ୍କ କିଡନୀ ଟ୍ରାନ୍ସପ୍ଲାଣ୍ଟ ପରେ ଏହା ଲାଲୁ ଓ ନୀତିଶଙ୍କ ମଧ୍ୟରେ ପ୍ରଥମ ସାକ୍ଷାତକାର । ଏହି ଭେଟ ବେଳେ ସାମ୍ପ୍ରତିକ ରାଜନୀତି ଉପରେ ଆଲୋଚନା ହୋଇଥିବା କଥା କୁହାଯାଉଛି । କେବଳ ସେତିକି ନୁହେଁ ବୁଧବାର ଦିନ ନୀତିଶ କୁମାର ତେଜସ୍ୱୀ ଯାଦବଙ୍କ ଘରକୁ ମଧ୍ୟ ଯାଇଥିଲେ । ସେଠାରେ ସେ ତେଜସ୍ୱୀଙ୍କ ଝିଅକୁ ଆର୍ଶିବାଦ ମଧ୍ୟ କରିଛନ୍ତି । ଅନୁମାନ କରାଯାଉଛି କି ନୀତିଶ କୁମାର ତାଙ୍କର ଏହି ଦିଲ୍ଲୀ ଗସ୍ତ ସମୟରେ ଅନେକ ବିରୋଧୀଦଳର ନେତାମାନଙ୍କ ସହ ଭେଟ କରିବେ । ଫେବୃଆରୀ ମାସରେ ନୀତିଶ କୁମାର କହିଥିଲେ କି, ଯଦି ବିରୋଧୀଦଳମାନେ ଏକଜୁଟ ହୋଇ କଂଗ୍ରେସ ନେତୃତ୍ୱରେ ନିର୍ବାଚନ ଲଢିବେ ତେବେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ୧୦୦ ଆସନ ମଧ୍ୟରେ ସୀମିତ ରହିଯିବ ।


Share It

Comments are closed.