ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଦୃଷ୍ଟିହୀନଙ୍କ ପାଇଁ ସହାୟକ ଜ୍ଞାନକୌଶଳ ତାଲିମ କାର୍ଯ୍ୟକ୍ରମ ଆୟୋଜିତ


ସୁକିନ୍ଦା : ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ସୁକିନ୍ଦା କ୍ରୋମାଇଟ୍ ଖଣିର ସବଳ ସେଂଟରରେ ଦୃଷ୍ଟିହୀନମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ଏଥିରେ ଓଡ଼ିଶାର ୩୯ ଜଣଙ୍କୁ ସହାୟକ ଡିଭାଇସ୍ ଓ ଏହାର ଜ୍ଞାନକୌଶଳ ଉପରେ ତାଲିମ ଦିଆଯାଇଛି ।
ଦୃଷ୍ଟିହୀନମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଆୟୋଜନ କରାଯାଇଥିବା ଏହି ପାଂଚ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଦୁଇଟି ବ୍ୟାଚ୍‌ରେ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଆଇଆଇଟି ଦିଲ୍ଲୀର ଆସିଷ୍ଟେକ୍ ଲ୍ୟାବ୍ ଓ ଏନ୍‌ଜିଓ ସକ୍ଷମର ବିଶେଷଜ୍ଞମାନେ ସ୍କ୍ରିନ୍ ରିଡର, ବ୍ରେଲି ପ୍ରଦର୍ଶନ, ଟ୍ୟାକ୍ଟାଇଲ ପୁସ୍ତକ, ଇନ୍‌ଡୋର୍ ନାଭିଗେସନ ଡିଭାଇସ୍‌, ସହାୟକ ବାଡ଼ି ଭଳି ଉପକରଣ ଏବଂ ଇ-ଲାଇବ୍ରେରିକୁ କିଭଳି ବ୍ୟବହାର କରାଯାଇପାରିବ ତାହା ଉପରେ ତାଲିମ ପ୍ରଦାନ କରିଥିଲେ ।
ଏହି ଅବସରରେ ଟାଟା ଷ୍ଟିଲ୍‌ର ଫେରୋ ଆଲଏଜ୍ ଓ ମାଙ୍ଗାନିଜ୍ ଡିଭିଜନ (ଏଫ୍‌ଏଏମ୍‌ଡି)ର ଏକ୍‌ଜିକ୍ୟୁଟିଭ୍ ଇନ୍‌ଚାର୍ଜ ପଙ୍କଜ ସତିଜା କହିଛନ୍ତି ଯେ, “ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେମାନଙ୍କ ପ୍ରକୃତ ସାମର୍ଥ୍ୟ ପର୍ଯ୍ୟନ୍ତ ପହଂଚାଇ ସେମାନଙ୍କୁ ସଶକ୍ତ କରିବାରେ ଆମେ ବିଶ୍ୱାସ କରୁ ଏବଂ ଏହି ସ୍ୱତନ୍ତ୍ର ତାଲିମ କର୍ମଶାଳା ହେଉଛି ତାହାର ପ୍ରତିଫଳନ । ଅବହେଳିତ ସମୁଦାୟର ଲୋକମାନଙ୍କୁ ଦକ୍ଷତା ବିକାଶର ସୁଯୋଗ ପ୍ରଦାନ କରି ଏକ ଅନ୍ତର୍ଭୁକ୍ତୀକରଣ ସମାଜ ଗଠନ ପାଇଁ ଆମେ ଆମର ପ୍ରତିବଦ୍ଧତା ଆଗକୁ ମଧ୍ୟ ଜାରି ରଖିବୁ ।’’
ଏହି ତାଲିମ କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗର ଲୋକ ଯୋଗ ଦେଇ ସେମାନଙ୍କ ସ୍ୱାଧୀନତା ଓ ନିଯୁକ୍ତି ହାସଲ କରିବାର କ୍ଷମତାରେ ଉନ୍ନତି ଆଣିପାରିଥିଲେ । କର୍ମଶାଳାରେ ପ୍ରତ୍ୟକ୍ଷ ତାଲିମ, ବିଶେଷଜ୍ଞମାନଙ୍କ ମାର୍ଗଦର୍ଶନ ଏବଂ ଅତ୍ୟାଧୁନିକ ସହାୟକ ଜ୍ଞାନକୌଶଳ ଜରିଆରେ ଅଂଶଗ୍ରହଣକାରୀମାନେ ବହୁମୂଲ୍ୟ ଦକ୍ଷତା ଆହରଣ କରିଥିଲେ ଯାହା ଦୃଷ୍ଟିହୀନ ଭାବେ ସେମାନେ ସାମ୍ନା କରୁଥିବା ଆହ୍ୱାନଗୁଡ଼ିକୁ ମୁକାବିଲା କରିବାରେ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ଡିଜିଟାଲ ସାକ୍ଷରତା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା ଯାହା ଫଳରେ ସେମାନେ ଦୈନନ୍ଦୀନ ଜୀବନରେ ଜ୍ଞାନକୌଶଳକୁ ପ୍ରଭାବଶାଳୀ ଢଙ୍ଗରେ ବ୍ୟବହାର କରିପାରିବେ ।
ଏଭଳି କାର୍ଯ୍ୟକ୍ରମ ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି କରିଛି ବୋଲି ପ୍ରକାଶ କରିବା ସହ ଅଂଶଗ୍ରହଣକାରୀମାନେ ଆୟୋଜକଙ୍କୁ କୃତଜ୍ଞତା ଜଣାଇଥିଲେ । ତାଲିମ ସମୟରେ ସେମାନେ ଆହରଣ କରିଥିବା ଦକ୍ଷତା ନିଶ୍ଚିତ ରୂପେ ସେମାନଙ୍କ ପାଇଁ ଉଭୟ ବ୍ୟକ୍ତିଗତ ଓ ବୃତିଗତ କ୍ଷେତ୍ରରେ ନୂଆ ସମ୍ଭାବନାର ଦ୍ୱାର ଖୋଲିବ ।
ଟାଟା ଷ୍ଟିଲ୍ ଫାଉଣ୍ଡେସନର ୟୁନିଟ୍ ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀ, ଏଜିଏମ୍ (ପ୍ରଶାସନ) ଗୌତମ ଚକ୍ରବର୍ତୀ ଓ ଟିଏସ୍‌ଏଫ୍‌ର ପ୍ରବନ୍ଧକ ଦୀକ୍ଷା ମଖିଜାଙ୍କ ମାର୍ଗଦର୍ଶନ ଓ ସଂଯୋଜନାରେ ଏହି ତାଲିମ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପାଦିତ ହୋଇଥିଲା ।


Share It

Comments are closed.