କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦ୍ୱାରା ଏନ୍‌ଏମ୍‌ଡିସିର ନୂଆ ଲୋଗୋ ଉନ୍ମୋଚିତ


ଭୁବନେଶ୍ୱର: କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ତଥା ଅଗ୍ରଣୀ ଲୁହାପଥର ଉତ୍ପାଦନକାରୀ ଏନ୍‌ଏମ୍‌ଡିସିର ନୂଆ ଲୋଗୋକୁ ମାନ୍ୟବର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ୍ ସିନ୍ଧିଆ ଉନ୍ମୋଚନ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଇସ୍ପାତ ସଚିବ ଶ୍ରୀ ନଗେନ୍ଦ୍ର ନାଥ ସିହ୍ନା ଓ ଏନ୍‌ଏମ୍‌ଡିସିର ସିଏମ୍‌ଡି (ଇନ୍‌ଚାର୍ଜ) ଶ୍ରୀ ଅମିତାଭ ମୁଖାର୍ଜୀ ଉପସ୍ଥିତ ଥିଲେ ।
ଲାଗାତାର ଦୁଇଟି ଆର୍ଥିକ ବର୍ଷରେ ୪୦ ନିୟୁତ ଉତ୍ପାଦନ ମାଇଲଖୁଂଟ ହାସଲ କରିବା ପରେ ନୂଆ ଲୋଗୋ କଂପାନିର ଭବିଷ୍ୟତ ସମ୍ଭାବନା ଓ ଦୃଢ଼ତାକୁ ପ୍ରତିଫଳିତ କରୁଛି । ସ୍ମାର୍ଟ ଖଣି ପାଇଁ ଏକ ଦୃଢ଼ ଡିଜିଟାଲ୍ ରୋଡ୍‌ମ୍ୟାପ୍‌କୁ ନେଇ କଂପାନି ଏନ୍‌ଏମ୍‌ଡିସି ୨.୦ ଆଡ଼କୁ ଅଗ୍ରସର ହୋଇଛି ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ, “ଏନ୍‌ଏମ୍‌ଡିସିର ନୂଆ ଲୋଗୋ ଉନ୍ମୋଚନ ସହ ମୋର ମନେପଡ଼ୁଛି ଯେ କିଭଳି ଭାରତ ସ୍ୱାଧୀନତା ପରବର୍ତୀ ସମୟରେ ଆତ୍ମନିର୍ଭରଶୀଳ ହେବାକୁ ଉଦ୍ୟମ କରିଥିଲା ଏବଂ ଏବେ କିଭଳି ବାହ୍ୟ ଉତ୍ସ ଉପରେ ନିର୍ଭରଶୀଳତା କମ୍ କରିପାରିଛି ଏବଂ ନିଜ ଅଭିବୃଦ୍ଧି ସହ ଏକ ଦାୟିତ୍ୱବାନ ଅଂଶିଦାର ଭାବେ ଉଭା ହୋଇଛି । ଏହି ରୂପାନ୍ତରଣ ଯାତ୍ରାରେ ଭାରତର ସର୍ବବୃହତ ଲୁହାପଥର କଂପାନି ଭାବେ ଏନ୍‌ଏମ୍‌ଡିସି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ବାର୍ଷିକ ୪୦ ନିୟୁତ ଟନ୍ ଉତ୍ପାଦନ ସହ ଭାରତର ଲୁହାପଥର ଉତ୍ପାଦନ ପ୍ରତି ପ୍ରାୟ ୧୬% ଯୋଗଦାନ ପ୍ରଦାନ କରୁଛି ।’’
କେନ୍ଦ୍ର ଇସ୍ପାତ ସଚିବ ନଗେନ୍ଦ୍ରନାଥ ସିହ୍ନା କହିଛନ୍ତି ଯେ, “ଏନ୍‌ଏମ୍‌ଡିସି ଏକ ରୂପାନ୍ତରୀତ ଯାତ୍ରାରେ ଆଗକୁ ବଢ଼ିଥିବାରୁ ଆଜିର ଦିନଟି ହେଉଛି ଏକ ଐତିହାସିକ ଅବସର । ଏହା କେବଳ ଶିଳ୍ପ ଅଭିଳାଷଠାରୁ ଆଗକୁ ବଢ଼ି ପ୍ରକୃତି ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଗଢ଼ିବାକୁ ଆଗେଇ ଆସିଛି । ଏହାର ଦୂରଦୃଷ୍ଟି ସମ୍ପନ୍ନ ପରିକଳ୍ପନାକୁ ନେଇ ଜାତୀୟ ଇସ୍ପାତ ନୀତି ୨୦୩୦ ଲକ୍ଷ୍ୟକୁ ହାସଲ କରିବା ଏବଂ ଭାରତର ଅଭିବୃଦ୍ଧି ଲକ୍ଷ୍ୟ ପୂରଣ କରିବାରେ ଏନ୍‌ଏମ୍‌ଡିସି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏକ ନିୟମରେ ପରିଣତ ହେବା ବହୁ ପୂର୍ବରୁ ୨୦୧୭ ପରଠାରୁ କଂପାନି ପ୍ରାକାଶ କରୁଥିବା ସଷ୍ଟେନେବିଲିଟି ରିପୋର୍ଟରୁ ଦୀର୍ଘସ୍ଥାୟିତ୍ୱ ପ୍ରତି ଏନ୍‌ଏମ୍‌ଡିସିର ପ୍ରତିବଦ୍ଧତା ଜଣାପଡ଼ୁଛି । ମୋର ବିଶ୍ୱାସ ରହିଛି ଯେ ପରିବେଶ ଦୀର୍ଘସ୍ଥାୟିତ୍ୱ ପ୍ରତି ସଚେତନ ଉଦ୍ୟମକୁ ଏନ୍‌ଏମ୍‌ଡିସି ଜାରି ରଖ ବୃହତର ଅଂଶୀଦାର ବ୍ୟବସ୍ଥାର କଲ୍ୟାଣରେ ଉନ୍ନତି ଆଣିବ । ଏଭଳି ପ୍ରେରଣାଦାୟୀ ପଥରେ ଆଗକୁ ବଢ଼ିଥିବା, ସବୁଜ ଓ ଅଭିଳାଷପୂର୍ଣ୍ଣ ଭବିଷ୍ୟତରେ ନୂଆ ମାନଦଣ୍ଡ ଧାର୍ଯ୍ୟ କରୁଥିବା ଏନ୍‌ଏମ୍‌ଡିସିକୁ ମୋର ଅଭିନନ୍ଦନ ।’’
ଏନ୍‌ଏମ୍‌ଡିସିର ସିଏମ୍‌ଡି ଶ୍ରୀ ଅମିତାଭ ମୁଖାର୍ଜୀ କହିଛନ୍ତି ଯେ, “ଆମ ନୂଆ ଲୋଗୋ ହେଉଛି ଏନ୍‌ଏମ୍‌ଡିସିର ଆଭିମୁଖ୍ୟ ଓ ଏନ୍‌ଏମ୍‌ଡିସି ୨.୦ର ପ୍ରତିଫଳନ । ଆମ ଐତିହ୍ୟ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ଆମେ ନୀଳ ରଙ୍ଗକୁ ରଖିଛୁ ଯାହା ହେଉଛି ଖଣିଜ ଖନନ ଚକ୍ରର ପ୍ରତିଫଳନ ଯାହା ବିଗତ ଦଶଦ୍ଧିଗୁଡ଼ିକରେ ଆମେ ହାସଲ କରିଥିବା ଦ୍ରୁତ ଓ ବିଶ୍ୱସନୀୟତାକୁ ଦର୍ଶାଉଛି । ଆମ ପରମ୍ପରା ବେଶ ଦୃଢ଼ ଓ ଆମେ ଗର୍ବର ସହ ତାହା ଆଗକୁ ବଢ଼ାଉଛୁ । ଲୋଗୋର ମଝିରେ ଏକ ହାତ ପାପୁଲି ମଧ୍ୟ ପୃଥିବୀକୁ ଧରି ରଖିବାର ଚିତ୍ର ରହିଛି ଯାହା ଦୀର୍ଘସ୍ଥାୟୀ ଓ ଦାୟିତ୍ୱବାନ ଖଣି ଖନନ ଓ ଆମ ବିଶ୍ୱସସ୍ତରୀୟ ଅଭିଳାଷକୁ ଦର୍ଶାଉଛି । ଜୀବନ୍ତ ସବୁଜ ରଙ୍ଗ ଅଭିବୃଦ୍ଧି, ନବୀକରଣ ଓ ପ୍ରକୃତି ସହିତ ସୌହାର୍ଦ୍ଦ୍ୟର ପ୍ରତିଫଳନ । ଆମେ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଆମେ ଗ୍ରହରେ ଏକ ସବୁଜ ଓ ସ୍ୱଚ୍ଛ ଛାପ ଛାଡ଼ିବାକୁ ଚାହୁଥିବା ବେଳେ ଆମ ଗ୍ରାହକ, ଅଂଶୀଦାର, କର୍ମଚାରୀ, ସ୍ଥାନୀୟ ଗୋଷ୍ଠୀ, ସରକାର, ସମାଜ ଓ ପରିବେଶ ଭଳି ସମସ୍ତ ଅଂଶୀଦାରଙ୍କ ପାଇଁ ଦାୟିତ୍ୱବାନ ହେବାକୁ ଚାହୁଛୁ ।’’


Share It

Comments are closed.