ଶକ୍ତି ସମ୍ମାନ ସମାଜରେ ମହିଳାଙ୍କ ଦୃଢ଼ତାର ପ୍ରମାଣ: ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର: ଶକ୍ତି ସମ୍ମାନ କେବଳ ବ୍ୟକ୍ତିଗତ ଉପଲବ୍ଧି ପ୍ରତି ସ୍ୱୀକୃତି ନୁହେଁ, ଏହା ଆମ ସମାଜରେ ମହିଳାମାନଙ୍କ ସାମଗ୍ରିକ ଦୃଢ଼ତା ଓ ସ୍ଥାୟୀତ୍ୱର ଉତ୍ସବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଭାରତୀୟ ମହିଳା ନେଟ୍‌ୱର୍କ (ଆଇଡବ୍ଲୁଏନ) ପକ୍ଷରୁ ଆୟୋଜିତ ଶକ୍ତି ସମ୍ମାନର ଦ୍ୱିତୀୟ ସଂସ୍କରଣ ଅବସରରେ ବାର୍ତା ଦେଇ ସେ କହିଛନ୍ତି ଯେ ବିଜେତାମାନଙ୍କ ଅତୁଟ ଉତ୍ସର୍ଗୀକୃତ ମନୋଭାବ ଓ ଅତୁଳନୀୟ ଅବଦାନ ସମାଜକୁ ଆହୁରି ସମୃଦ୍ଧ କରିବ ଏବଂ ରାଜ୍ୟର ଅନେକ ଲୋକଙ୍କୁ ଅନୁପ୍ରାଣିତ କରିବ । ଏହି ସଫଳତା ଆମ ସମାଜରେ ମହିଳାମାନଙ୍କ ଦୃଢ଼ତାର ପ୍ରମାଣ ବୋଲି ସେ କହିଛନ୍ତି ।

ସିଆଇଆଇ ଆଇଡବ୍ଲୁଏନ ଶକ୍ତି ସମ୍ମାନରେ ଗଣମାଧ୍ୟମ ଓ ମନୋରଂଜନ, ଏଟଂରପ୍ରାଇଜେସ୍‌, ସାମାଜିକ ଉଦ୍ୟୋଗୀ, କ୍ରୀଡ଼ା, ସ୍ୱାସ୍ଥ୍ୟ ଓ ୱେଲନେସ୍‌, ପ୍ରତିଶ୍ରୁତିପୂର୍ଣ୍ଣ ଉଦ୍ୟୋଗୀ, ପ୍ରେରଣାଦାୟୀ ଉଦ୍ୟୋଗୀ ଏବଂ ସମ୍ମାନଜନକ ମାନ୍ୟତା ଭଳି ସାତଟି ବର୍ଗରେ ୩୦ ଜଣ ମହିଳାଙ୍କୁ ଶକ୍ତି ସମ୍ମାନ ପ୍ରଦାନ କରାଯାଇଛି ।

ଏହି ଅବସରରେ ଅତିଥି ଭାବେ ଶିଳ୍ପ ଓ ଏମ୍‌ଏସଏମଇ ମନ୍ତ୍ରୀ, ପ୍ରତାପ କେଶରୀ ଦେବ କହିଛନ୍ତି ଯେ “ପୁରସ୍କାର ଜିତିଥିବା ମହିଳାମାନେ କେବଳ ନିଜ ପାଇଁ ଗୌରବ ଆଣିନାହାନ୍ତି, ବରଂ ସମାଜକୁ ଆଗକୁ ବଢ଼ାଇବା ସହ ପ୍ରତିବନ୍ଧକକୁ ହଟାଇଛନ୍ତି ଏବଂ ପ୍ରଗତି ପାଇଁ ପଥ ପ୍ରଶସ୍ତ କରିଛନ୍ତି । ଏହି ଉପଲବ୍ଧି ହେଉଛି ସଶକ୍ତୀକରଣର ପ୍ରତୀକ ଏବଂ ଏହା ସମସ୍ତଙ୍କ ପାଇଁ ପ୍ରେରଣା ହେବ ଏବଂ ଭବିଷ୍ୟତ ପିଢ଼ିକୁ ଆଗକୁ ବଢ଼ିବା ଲାଗି ବାଟ ଦେଖାଇବ । ଏହା ସମସ୍ତଙ୍କ ପାଇଁ ଏକ ସମାନତାର ସମାଜ ସୃଷ୍ଟି କରିବ । ସଫଳ ମହିଳାମାନଙ୍କୁ ଆଗକୁ ଆଣିବାରେ ସିଆଇଆଇ ଆଇଡବ୍ଲୁଏନ ଭଳି ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି ।”

ଶିଳ୍ପ ବିଭାଗର ପ୍ରମୁଖ ସଚିବ, ହେମନ୍ତ ଶର୍ମା କହିଛନ୍ତି ଯେ. “ମହିଳାମାନଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ସେସବୁ ବିଷୟରେ ଆବଶ୍ୟକ ସଚେତନତାର ଅଭାବ ରହିଛି । ସିଆଇଆଇ ଆଇଡବ୍ଲୁଏନ୍ ଏହି ଯୋଜନାଗୁଡ଼ିକ ବିଷୟରେ ମହିଳାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ । ମହିଳା ସଶକ୍ତୀକରଣ ଦିଗରେ ସରକାର ଓ ସିଆଇଆଇ ମିଳିତ ଭାବେ କାମ କରିବା ଲାଗି ସେ ଆହ୍ୱାନ ଦେଇଛନ୍ତି ।”

ସିଆଇଆଇ ଓଡ଼ିଶାର ଅଧ୍ୟକ୍ଷ, ଶଶି ଶେଖର ମହାନ୍ତି କହିଛନ୍ତି ଯେ, “ଶକ୍ତି ସମ୍ମାନ ମହିଳାମାନଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ଜାରି ରଖିବା ଲାଗି ଅନୁପ୍ରାଣିତ କରିବା ସହ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବ । ଶକ୍ତି ସମ୍ମାନ ପାଇଥିବା ସମସ୍ତ ମହିଳାଙ୍କୁ ସେ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।”

ରାଜ୍ୟର ସବୁଠୁ ପ୍ରଭାବଶାଳୀ ମହିଳାମାନଙ୍କୁ ଲୋକଲୋଚନକୁ ଆଣିବା ଲାଗି ଏହି ସମ୍ମାନ ହେଉଛି ଏକ ଉଦ୍ୟମ । ଏହା ଜରିଆରେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଲଘୁ ଉଦ୍ୟୋଗୀମାନଙ୍କ ବିଷୟରେ ମଧ୍ୟ ସମସ୍ତେ ଅବଗତ ହୋଇପାରୁଛନ୍ତି । ଏମଏସଏମଇ, ଷ୍ଟାର୍ଟଅପ ଓଡ଼ିଶା, ସିଆଇଆଇ ଆଇଡବ୍ଲୁଏନ ଓ ଶିଳ୍ପ ବିଶେଷଜ୍ଞମାନଙ୍କୁ ନେଇ ଗଠିତ କମିଟି ବିଜେତା ମହିଳାମାନଙ୍କୁ ଚୟନ କରିଛନ୍ତି ।

ଏହି ଅବସରରେ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ଓ ଉପାଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ଓ ସିଆଇଆଇ ଆଇଡବ୍ଲୁଏନ ଓଡ଼ିଶା ଅଧ୍ୟକ୍ଷା ମୋନାଲିସା ପଣ୍ଡା ଏବଂ ସିଆଇଆଇ ଆଇଡ଼ବ୍ଲୁଏନର ପୂର୍ବତନ ଚେୟାରପର୍ସନ, ପ୍ରିତୀ ଅଗ୍ରୱାଲା, ପ୍ରମୁଖ ଉପସ୍ଥିତ ଥିଲେ ।


Share It

Comments are closed.