ଓଡିଶାରେ ଅଙ୍ଗନୱାଡି କେନ୍ଦ୍ରଗୁଡିକର ବିକାଶ ପାଇଁ ଏଲ୍‌ଟିଆଇମାଇଣ୍ଡ୍‌ଟ୍ରି ଏବଂ ସେସାମି ୱର୍କସପ୍ ଇଣ୍ଡିଆ ଟ୍ରଷ୍ଟ୍ ମଧ୍ୟରେ ସହଭାଗୀତା


ଭୁବନେଶ୍ୱର : ପ୍ରାରମ୍ଭିକ ଶୈଶବ ଶିକ୍ଷାକୁ ଉନ୍ନତ କରିବା ଏବଂ ଓଡିଶାର ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ନାମ ଲେଖାଇଥିବା ୩ରୁ ୬ ବର୍ଷ ବୟସର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଲାଗି ସେସାମି ୱର୍କସପ୍ ଇଣ୍ଡିଆ ଟ୍ରଷ୍ଟ୍ ଓ ଏଲ୍‌ଟିଆଇମାଇଣ୍ଡ୍‌ଟ୍ରି ପରସ୍ପର ସହ ହାତ ମିଳାଇଛନ୍ତି । ସେମାନଙ୍କର ମିଳିତ ପଦକ୍ଷେପ ‘ଲର୍ଣ୍ଣ. ପ୍ଲେ. ଗ୍ରୋ’, ଓଡିଶାର କଳାହାଣ୍ଡି, ଝାରସୁଗୁଡା ଜିଲ୍ଲାରେ ଆରମ୍ଭ ହୋଇଥିବା ବେଳେ ଏହା ୧୦୦ ଅଙ୍ଗନୱାଡି କେନ୍ଦ୍ରରେ ୟର୍ଲି ଚାଇଲ୍ଡହୁଡ୍ କେୟାର ଆଣ୍ଡ୍ ଏଜୁକେଶନ (ଇସିସିଇ)ର ଉନ୍ନତି ପାଇଁ ଲକ୍ଷ୍ୟ ରଖିଛି । ଏହି ପ୍ରକଳ୍ପ ବୟସ-ଅନୁଯାୟୀ ବିଷୟବସ୍ତୁ ଓ ପାଠ୍ୟକ୍ରମର ବ୍ୟବହାର କରି ଅଙ୍ଗନୱାଡି କର୍ମଚାରୀଙ୍କ ପାଇଁ କ୍ଷମତା ନିର୍ମାଣ କରିବା ଏବଂ ଶିଶୁମାନଙ୍କ ପାଇଁ ପ୍ରାରମ୍ଭିକ ଶିକ୍ଷାର ମାନକୁ ବୃଦ୍ଧି କରିବାର ଲକ୍ଷ୍ୟ ସହିତ ଅଭିଭାବକମାନଙ୍କ ଯୋଗଦାନ ବଢାଇବା ଉପରେ ଗୁରୁତ୍ୱ ଦେବ । ଏହି ପଦକ୍ଷେପକୁ ଏକ ବର୍ଷ ମଧ୍ୟରେ ପ୍ରତ୍ୟେକ ଜିଲ୍ଲାର ୫୦ଟି ଅଙ୍ଗନୱାଡି କେନ୍ଦ୍ରରେ ଶୁଭାରମ୍ଭ କରାଯାଇଛି । ଏଲ୍‌ଟିଆଇମାଇଣ୍ଡ୍‌ଟ୍ରି ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ଆକାକ୍ଷିଂତ ପ୍ରିସ୍କୁଲ୍‌ଗୁଡିକରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି ଯାହା ଓଡିଶାରେ କୁପୋଷଣ, ପ୍ରସବପୂର୍ବ ଓ ପ୍ରସବ ପରବର୍ତୀ ଯତ୍ନ, ଟିକାକରଣ ଓ ପ୍ରାରମ୍ଭିକ ଶିକ୍ଷା ଭଳି ବିଭିନ୍ନ ସମସ୍ୟାର ସମାଧାନ କରିପାରିବ ।

ଏଲ୍‌ଟିଆଇମାଇଣ୍ଡଟ୍ରି ସହ ବୈଷୟିକ ସହଯୋଗୀ ଭାବେ ସେସାମି ୱର୍କସପ୍ ଇଣ୍ଡିଆ ଟ୍ରଷ୍ଟ୍ ରାଜ୍ୟ ଆଇସିଡିଏସ୍ ପାଠ୍ୟକ୍ରମ ସହ ଜଡିତ ପ୍ରିଂଟ୍ ଓ ଡିଜିଟାଲ ସାମଗ୍ରୀ ସମେତ ଓଡିଆ ଭାଷାରେ ଖେଳିବା ସାମଗ୍ରୀ, ପଜଲ୍ ସହ ଟିଚିଙ୍ଗ ଓ ଲର୍ଣ୍ଣିଂ କିଟ୍‌, ଆକ୍ଟିଭିଟି କିଟ୍ ଆଦି ବିକଶିତ କରୁଛି । ଏହି କିଟ୍‌ଗୁଡିକୁ ପ୍ରତି ତ୍ରୈମାସରେ ବିତରଣ କରାଯିବ ଯାହା ଉଭୟ ପିଲା ଓ ଅଭିଭାବକଙ୍କୁ ଉପକୃତ କରିବ । ସେମାମି ୱର୍କସପ ଇଣ୍ଡିଆ ଟ୍ରଷ୍ଟର ମଲ୍‌ଟିମିଡିଆ ଉପକରଣଗୁଡ଼ିକ ଓଡ଼ିଆ ଭାଷାରେ ଉପଲବ୍ଧ ହେଉଛି ଏବଂ ଓଡ଼ିଶାରେ ପିଲାଙ୍କ ପାଇଁ ଆନନ୍ଦଦାୟକ ଶିକ୍ଷାର ପ୍ରୋସାହନ ପାଇଁ ଚମକି ଏବଂ ଏଲମୋ ନାମକ ଦୁଇଟି କୌତୁକିଆ ମପେଟ ବା କଣ୍ଢେଇ ବ୍ୟବହୃତ ହେଉଛି । ଅଙ୍ଗନୱାଡି କର୍ମଚାରୀମାନଙ୍କ ପାଇଁ ପରିଚାଳିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡିକୁ ଅଂଶଗ୍ରହଣକାରୀମାନେ ଭଲ ଭାବରେ ଗ୍ରହଣ କରିଥିଲେ, ଯେଉଁମାନେ ନିଜର ସକାରାତ୍ମକ ଅନୁଭୂତିକୁ ବାଂଟିଛନ୍ତି । ଭବାନୀପାଟଣାର କାରାଲିକିଲିର ଉର୍ମିଳା ପ୍ରଧାନ ଏବଂ ଭବାନିପାଟଣାର ରାମନଗର-୧ର କମଳିନି ଦେଇ ନିଜର ସନ୍ତୁଷ୍ଟି ବ୍ୟକ୍ତ କରିଛନ୍ତି ।

ସେହିଭଳି ଏଲ୍‌ଟିଆଇମାଇଣ୍ଡଟ୍ରିର ସଷ୍ଟେନାବିଲିଟି ବିଭାଗର ଗ୍ଲୋବାଲ ହେଡ୍ ଶ୍ରୀ ପନିଶ ରାଓ କହିଛନ୍ତି, ‘ଆମେ ଓଡିଶାରେ ସମସ୍ତ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିଛୁ ଏବଂ ସେସାମି ୱର୍କସପ୍ ଇଣ୍ଡିଆ ଟ୍ରଷ୍ଟ୍ ସହିତ ଏହି ସହଭାଗିତା ଆମକୁ ଉକ୍ତ ଲକ୍ଷ୍ୟକୁ ହାସଲ କରିବାରେ ସାହାଯ୍ୟ କରିବ । ସେହିଭଳି ଏଲ୍‌ଟିଆଇମାଇଣ୍ଡଟ୍ରିର ସିଏସ୍‌ଆର୍ ମୁଖ୍ୟ ଶ୍ରୀ ଦୀପକ ପ୍ରଭୁମଟ୍ଟି କହିଛନ୍ତି, ‘ଆମର ସମର୍ପଣ ହେଉଛି ଓଡିଶାରେ ପ୍ରତ୍ୟେକ ଶିଶୁଙ୍କୁ ଉତ୍କୃଷ୍ଟ ଶିକ୍ଷା ପ୍ରଦାନ କରିବା ଏବଂ ଆମେ ବିଶ୍ୱାସ କରୁଛୁ ଯେ, ସେସାମି ୱର୍କସପ୍ ଇଣ୍ଡିଆ ଟ୍ରଷ୍ଟ୍ ସହିତ ଆମର ସହଭାଗିତା ଆମକୁ ଏହି ଉଦ୍ଦେଶ୍ୟକୁ ହାସଲ କରିବା କ୍ଷେତ୍ରରେ ସହଯୋଗ କରିବ । ସେସାମି ୱର୍କସପ୍ ଇଣ୍ଡିଆ ଟ୍ରଷ୍ଟ୍‌ର ମ୍ୟାନେଜିଙ୍ଗ ଟ୍ରଷ୍ଟି ସୋନାଲି ଖାନ୍ କହିଛନ୍ତି, ‘ଆମେ ଓଡିଶାରେ ପ୍ରାରମ୍ଭିକ ଶୈଶବ ଶିକ୍ଷାକୁ ସମର୍ଥନ କରିବା ପାଇଁ ଏଲ୍‌ଟିଆଇମାଇଣ୍ଡଟ୍ରି ସହ ସହଭାଗିତା କରି ଉତ୍ସାହିତ ରହିଛୁ । ଆମେ ବିଶ୍ୱାସ କରୁଛୁ ଯେ, ପ୍ରାରମ୍ଭିକ ଶୈଶବ ଶିକ୍ଷା ପ୍ରତ୍ୟେକ ଶିଶୁର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଆମର କିଟ୍‌ଗୁଡିକ ପିଲାମାନଙ୍କୁ ଏକ ମଜାଦାର ଓ ନିୟୋଜିତ ଉପାୟରେ ଶିକ୍ଷା ଲାଭ କରିବା ସହ ଗୁରୁତ୍ୱପୂର୍ଣ୍ଣ ଦକ୍ଷତାଗୁଡିକୁ ବିକଶିତ କରିବାରେ ସାହାଯ୍ୟ କରିବ ।


Share It

Comments are closed.