ଯୁବ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଉତ୍ସବ ସଂଯୁକ୍ତା ପାଣିଗ୍ରାହୀ ଉତ୍କର୍ଷ ପୁରସ୍କାର ୨୦୨୩


ଭୁବନେଶ୍ୱର: ମହାନ ଓଡ଼ିଶୀ ନୃତ୍ୟ ଶିଳ୍ପୀ ତଥା ଗୁରୁ ଶ୍ରୀମୀତୀ ସଂଯୁକ୍ତା ପାଣିଗ୍ରାହୀଙ୍କ ସ୍ମୃତିରେ ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର ସ୍ଥାପନ କରିଥିବା ସମ୍ମାନଜନକ ସଂଯୁକ୍ତା ପାଣିଗ୍ରାହୀ ଉତ୍କର୍ଷ ପୁରସ୍କାରର ଦ୍ୱିତୀୟ ଜାତୀୟ ସ୍ତରୀୟ ପ୍ରତିଯୋଗିତା ସହିତ ଆଜି ସମାପନ ହୋଇଛି । ଜିକେସିଏମ୍ ଓଡ଼ିଶୀ ଗବେଷଣା କେନ୍ଦ୍ରର ଉତ୍କଳ ରଙ୍ଗମଂଚରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଯୁବ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଏକକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।
ଗୁରୁ କେଳୁଚରଣ ମହାପାତ୍‌୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ସୃଜନ ସହଯୋଗରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଫାକଲ୍‌ଟି ଅଫ୍ ଆର୍ଟ, କମ୍ୟୁନିକେସନ୍ ଆଣ୍ଡ୍ ଇଣ୍ଡିକ୍ ଷ୍ଟଡିଜ୍ ପକ୍ଷରୁ ଆୟୋଜିତ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଯୁବ ପ୍ରତିଭାଙ୍କ ପ୍ରସାର କରିବା ।
କଠୋର ଅନୁଶୀଳନ ପ୍ରକ୍ରିୟା ପରେ ସ୍ୱୟମ୍‌ପ୍ରଭା ମିଶ୍ରଙ୍କୁ ସମ୍ମାନଜନକ ସଂଯୁକ୍ତା ପାଣିଗ୍ରାହୀ ଉତ୍କର୍ଷ ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି । ତାଙ୍କ ଚମତ୍କାର ଓଡ଼ିଶୀ ନୃତ୍ୟ ତାଙ୍କୁ ଏହି ପୁରସ୍କାର ଆଣିଦେଇଛି । ପ୍ରଥମ ପୁରସ୍କାର ଭାବେ ତାଙ୍କୁ ୫୦,୦୦୦ ଟଙ୍କାର ନଗଦ ରାଶି ପ୍ରଦାନ କରାଯାଇଛି । ଏଥି ସହିତ ଚମତ୍କାର ନୃତ୍ୟ ପରିବେଷଣ କରିଥିବା ନୃତ୍ୟଶିଳ୍ପୀ ମାଧବୀ ରାଉତ ଓ ଟି ତୁଲିକା ରେଡ୍ଡିଙ୍କୁ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଛି ।
ପୁରସ୍କାର ବିତରଣ ସମାରୋହରେ ଅତିଥି ଭାବେ ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତୀ ମାଧବୀ ମୁଦ୍‌ଗଲ, ରବିନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟର ଫାଇନ୍ ଆର୍ଟସ୍ ଫାକଲ୍‌ଟି ଡକ୍ଟର ମହୁଆ ମୁଖାର୍ଜୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସମ୍ପାଦକ ଶ୍ରୀ ପ୍ରବୋଧ ରଥ ଓ ବିଶିଷ୍ଟ ଇଂରାଜି ପ୍ରଫେସର ଡକ୍ଟର କଲ୍ୟାଣୀ ସାମନ୍ତରାୟ ଯୋଗ ଦେଇଥିଲେ । ସେମାନେ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହିତ ଉଦୀୟମାନ ଶିଳ୍ପୀଙ୍କୁ ଉତ୍ସାହିତ କରିବା ଲାଗି ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ ।
ଓଡ଼ିଶୀ ନୃତ୍ୟଗୁରୁ ଶ୍ରୀମତୀ ମାଧବୀ ଦୁଗଲ ଓ ଡକ୍ଟର ମହୁଆ ମୁଖାର୍ଜୀଙ୍କ ସମେତ ଏଫଏସିଆଇଏସ ଡିନ ଗୁରୁ ରତିକାନ୍ତ ମହାପାତ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ଏହି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ଭୁବନେଶ୍ୱର, କଟକ, ମୁମ୍ବାଇ, ନୂଆଦିଲ୍ଲୀ ଓ କୋଲକାତା ଆଦି ସ୍ଥାନରୁ ଆସିଥିବା ୧୬ରୁ ୩୦ ବର୍ଷ ବୟସର ୪୭ ଜଣ ପ୍ରତିଯୋଗୀ ସେମାନଙ୍କ କଳା କୌଶଳ ନିପୁଣତାର ସହ ପ୍ରଦର୍ଶନ କରି ମନ ମୋହିଥିଲେ ।
କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ବିଜୟୀ ଘୋଷିତ ନୃତ୍ୟଶିଳ୍ପୀମାନେ ଏକକ ନୃତ୍ୟ ପ୍ରଦର୍ଶନ କରିଥିବା ବେଳେ ସୃଜନ ଏନସେମ୍ବଲ-୨ ପକ୍ଷରୁ ଏକ ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଡକ୍ଟର ପ୍ରୋନେମା ବାଗ୍‌ଚୀଙ୍କ ଉଦଘାଟନୀ ଅଭିଭାଷଣ ସହିତ ଏହି ସନ୍ଧ୍ୟା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ବ୍ୟାଚଲର ଅଫ୍ ପରଫରମିଂ ଆର୍ଟସ୍ ଇନ୍ ହିନ୍ଦୁସ୍ତାନୀ ଭୋକାଲ୍‌ର ଛାତ୍ରଛାତ୍ରୀମାନେ ସରସ୍ୱତୀ ବନ୍ଦନା ଉପସ୍ଥାପନ କରିଥିଲେ ।
ଗୁରୁ ରତିକାନ୍ତ ମହାପାତ୍ରଙ୍କ ନୃତ୍ୟ ନିର୍ଦେଶନାରେ ସ୍ୱୟଂପ୍ରଭା ମିଶ୍ର ଗୁରୁ ବନ୍ଦନା ସହ ନିଜ ନୃତ୍ୟ ଆରମ୍ଭ କରି ଚମତ୍କାର ନିପୁଣତା ପ୍ରଦର୍ଶନ କରିଥିଲେ । ଯୁଗମାଦୱନ୍ଦା ପଲ୍ଲବୀକୁ ଶକ୍ତିଶାଳୀ ଢଙ୍ଗରେ ଉପସ୍ଥାପନ କରି ଦର୍ଶକଙ୍କ ମନମୋହିଥିଲେ । ଟି ତୁଲିକା ରେଡ୍ଡିଙ୍କ ମହାକାଳି ନୃତ୍ୟ ବେଶ ଦମଦାର ଥିଲା । ସୃଜନ ଏନ୍‌ସେମ୍ବଲ-୨ ଦ୍ୱାରା “ସମକାଳ’ ପରିବେଷଣ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଏହି ଅବସରରେ ସମସ୍ତ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଶ୍ରୀମତୀ ଅରୁପା ଗାୟତ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନ୍ୟ ମାନ୍ୟଗଣ୍ୟ ଅତିଥି ଓ ନୃତ୍ୟଶିଳ୍ପୀମାନେ ମଧ୍ୟ ଉପସ୍ଥିତ ଥିଲେ ।


Share It

Comments are closed.