ଜିକିତ୍ସା ହେଲଥକେୟାର ଲିମିଟେଡ ଏବଂ ଡିଏମଇଟି ପକ୍ଷରୁ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳିତ


ଭୁବନେଶ୍ୱର: ରାଜ୍ୟରେ ଜରୁରୀକାଳୀନ ୧୦୮ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥା ଜିକିତ୍ସା ହେଲଥକେୟାର ଲିମିଟେଡ ଏବଂ ଡାଇରେକ୍ଟରେଟ ମେଡିକାଲ ଏଜୁକେସନ ଆଣ୍ଡ ଟ୍ରେନିଙ୍ଗ, ଓଡ଼ିଶାର ଏକ ମିଳିତ ପଦକ୍ଷେପରେ ଆଜି ଭୁବନେଶ୍ୱର ଡିଏମଇଟି କାର୍ଯ୍ୟାଳୟ ଠାରେ ଜିରୋ ଫାଟାଲିଟି ୱିକ୍ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମର ପ୍ରାଥମିକ ଲକ୍ଷ୍ୟ ହେଉଛି ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶୂନ୍ୟ ମୃତ୍ୟୁର ଉଚ୍ଚଲକ୍ଷ୍ୟ ହାସଲ କରିବା ପାଇଁ ସୁରକ୍ଷିତ ଗାଡ଼ି ଚାଳନା ଅଭ୍ୟାସ, ଦାୟିତ୍ୱବାନ ଆଚରଣ, ଟ୍ରାଫିକ ନିୟମର ପାଳନ ଏବଂ ଅଧିକ ସତର୍କତା ଉପରେ ଗୁରୁତ୍ୱ ଦେବା ଏବଂ ଲୋକଙ୍କ ମଧ୍ୟରେ ଏସମ୍ପର୍କରେ ସଚେତନତା ବୃଦ୍ଧି କରିବା । ଜିକିତ୍ସା ହେଲ୍ଥକେୟାର ଲିମିଟେଡର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ଓଡ଼ିଶା ଡିଏମଇଟି ପ୍ରଫେସର ଡା. ସଚ୍ଚିଦାନନ୍ଦ ମହାନ୍ତି ଓ ଅତିରିକ୍ତ ଡିଏମଇଟିର ଏମଡି ପ୍ରଫେସର ଡା. ୟୁକେ ଶତପଥୀ ଏହି ସପ୍ତାହକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଡିଏମଇଟିର ଅନ୍ୟ କର୍ମକମର୍ତାବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ ।
ଏସମ୍ପର୍କରେ ଜିକିତ୍ସା ହେଲଥକେୟାର ଲିମିଟେଡର ରାଜ୍ୟ ମୁଖ୍ୟ ଶ୍ରୀ ସବ୍ୟସାଚ୍ଚୀ ବିଶ୍ୱାଳ କହିଛନ୍ତି ଯେ, “ଜିରୋ ଫାଟାଲିଟି ୱିକ ବା ଶୂନ୍ୟ ମୃତ୍ୟୁ ସପ୍ତାହ ନିରପତା ପଦକ୍ଷେପକୁ ପ୍ରାଥମିକତା ଦେବା, ଆଚରଣଗତ ପରିବର୍ତନକୁ ପ୍ରୋତ୍ସାହିତ କରିବା ଏବଂ ଜୀବନ ବଂଚାଇବା ଏବଂ ଦୁଃଖଦ ଦୁର୍ଘଟଣାକୁ ରୋକିବା ପାଇଁ ପ୍ରତିରକ୍ଷାର ଧାରାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସ୍ମାରକୀ ଭାବରେ କାର୍ଯ୍ୟ କରେ । ଶୂନ୍ୟ ମୃତ୍ୟୁ ସପ୍ତାହ କେବଳ ଏକ ଲକ୍ଷ୍ୟ ନୁହେଁ; ଏହା ଜୀବନ ସୁରକ୍ଷା ପାଇଁ ଏକ ପ୍ରତିବଦ୍ଧତା । ଆସନ୍ତୁ ଏକାଠି ହେବା, ସଚେତନ କରିବା ଏବଂ ପରସ୍ପରକୁ ସଶକ୍ତ କରିବା ଏବଂ ଏକ ବିଶ୍ୱ ଗଠନ କରିବା ଯେଉଁଠାରେ ପ୍ରତି ସପ୍ତାହ ଏକ ଶୂନ୍ୟ ମୃତ୍ୟୁ ସପ୍ତାହ ଅଟେ ।”
ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରିବାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି ଓଡ଼ିଶା ଡିଏମଇଟି ପ୍ରଫେସର ଡା.ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ଯେ, “କମର୍ସ ଏବଂ ଟ୍ରାନ୍ସପୋର୍ଟ ଡିପାର୍ଟମେଂଟ ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ବର୍ତମାନ ସମୟରେ ରାଜ୍ୟରେ ଘଟୁଥିବା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର ହ୍ରାସ କରିବା ଏବଂ ଜନସଚେତନତା ବୃଦ୍ଧି କରିବା । ବର୍ତମାନ ସମୟରେ ରାଜ୍ୟରେ ଘଟୁଥିବା ସଡ଼କ ଦୁର୍ଘଟଣାରେ ପ୍ରାୟ ୪୮% ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଥିଲା । ଯେଉଁଥିରେ ଯୁବାବୟସ୍କଙ୍କ ସଂଖ୍ୟା ଅଧିକ । ଯାହାକି ଏକ ବଡ଼ ଚିନ୍ତାର ବିଷୟ । ଜିରୋ ଫାଟାଲିଟି ୱିକ ପାଳନ ଅବସରରେ ସୁରକ୍ଷିତ ଗାଡ଼ି ଚାଳନା, ଟ୍ରାଫିକ ନିୟମର ଅନୁପାଳନ ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ହାରକୁ କିଭଳି ରୋକାଯାଇପାରିବ ସେ ସମ୍ପର୍କୀତ ସଚେତନତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ବ୍ୟତୀତ ବ୍ଲଡବ୍ୟାଙ୍କ ସଂଗ୍ରହକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହାକି ଦୁର୍ଘଟଣାର ଶିକାର କୌଣସି ଗୁରୁତର ରୋଗୀଙ୍କ ପାଇଁ ରକ୍ତର ତୁରନ୍ତ ଉପଲବ୍ଧତା ସୁନିଶ୍ଚିତ କରୁଛି ।”
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୁର୍ଘଟଣାର ଶିକାର କୌଣସି ବ୍ୟକ୍ତିଙ୍କୁ ଯେ କେହି ଭଦ୍ରବ୍ୟକ୍ତି ନିଜେ ଡାକ୍ତରଖାନାକୁ ନେଇ ଭର୍ତି କରାଇପାରିବେ ଏବଂ ଯାହାପରେ ଡାକ୍ତରଖାନାରେ ଏକ ଫର୍ମ ପୂରଣ କରି ସେମାନେ ୨୦୦୦ଟଙ୍କାର ଏକ ପୁରସ୍କାର ରାଶି ଗ୍ରହଣ କରିପ।।ରିବେ । ଏଥିରେ ସେମାନଙ୍କୁ ପୋଲିସର କୌଣସି ପ୍ରକାରର ହସ୍ତକ୍ଷେପର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ସେହିଭଳି ଦୁର୍ଘଟଣାର ପ୍ରଥମ ୪୮ଘଂଟା ମଧ୍ୟରେ ସମସ୍ତ ଚିକିତ୍ସା ସରକାରଙ୍କ ଦ୍ୱାରା ବହନ କରାଯାଇଥାଏ । ଦୁର୍ଘଟଣାପ୍ରବଣ ଅଂଚଳଗୁଡ଼ିକରେ ଅଧିକ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି ।”


Share It

Comments are closed.