କୃଷକଙ୍କ ଆୟ ବୃଦ୍ଧି ପାଇଁ ଆନୁସଙ୍ଗିକ କ୍ଷେତ୍ର ଉପରେ ଗୁରୁତ୍ୱ ଦେବ ଓଡିଶା

. ଦୁଗ୍ଧ କ୍ଷେତ୍ରରେ ବୃହତ୍ ଆକାରର ସମବାୟ ସମିତି ଗଠନ କରିବା ପାଇଁ ଆହ୍ୱାନ


ସମ୍ବଲପୁର, ୨୮ ଜାନୁଆରୀ ୨୦୨୩: କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ସଞ୍ଜୀବ କୁମାର ଚଢା କହିଛନ୍ତି, ‘ କୃଷକଙ୍କ ଆୟ ବୃଦ୍ଧି କରିବା ପାଇଁ ଆମକୁ ମାଛଚାଷ, କୁକୁଡାଚାଷ, ଦୁଗ୍ଧଚାଷ ଓ ପଶୁପାଳନ ଭଳି ଆନୁସଙ୍ଗିକ କ୍ଷେତ୍ରଗୁଡିକ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଆମକୁ ମଧ୍ୟ କେବଳ ଧାନ ଚାଷରୁ ବିଭିନ୍ନ ପ୍ରକାରର ଅନ୍ୟ ଫସଲ ପର୍ଯ୍ୟନ୍ତ, ଆମର ଫସଲ ପ୍ରଣାଳୀକୁ ବହୁମୂଖୀ କରିବାକୁ ପଡିବ ।
ପଶ୍ଚିମ ଓଡିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ସରକାର ପକ୍ଷରୁ ମିଳିତ ଭାବେ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଏଫ୍‌ଆଇସିସିଆଇ) ସହ ସହଭାଗିତାରେ ଆୟୋଜିତ ପ୍ରଥମ ପଶ୍ଚିମ ଓଡିଶା କୃଷି ମେଳାରେ ବିଦାୟକାଳିନ ଅଧିବେଶନକୁ ସମ୍ବୋଧିତ କରି ସେ କହିଥିଲେ, ନିକଟରେ ଆମ ବିଭାଗ ମୋ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛି ଯେଉଁଥିରେ ବିଭିନ୍ନ ନିର୍ଦ୍ଦେଶକମାନେ ମଧ୍ୟ ସଦସ୍ୟ ହୋଇପାରିବେ । ଆମେ ରାଜ୍ୟ ସରକାରଙ୍କୁ ଆମର ରିପୋର୍ଟ ଦାଖଲ କରିଛୁ ଏବଂ ଆମର ମୁଖ୍ୟ ପରାମର୍ଶ ଥିଲା ଫସଲ ବହୁମୂଖୀକରଣ ଉପରେ ଗୁରୁତ୍ୱ ଦେବା । କମିଟି ପକ୍ଷରୁ ସମବର୍ଗୀ କ୍ଷେତ୍ର ଉପରେ ଧ୍ୟାନ ଦେବା ପାଇଁ ମଧ୍ୟ ସୁପାରିଶ କରାଯାଇଛି । ସେ ମଧ୍ୟ ଗୁଜରାଟ ଭଳି ଆଗକୁ ବଢିବା ପାଇଁ ଦୁଗ୍ଧ କ୍ଷେତ୍ରରେ ଏକ ବୃହତ୍ ଆକାରର ସମବାୟ ସମିତି ଗଠନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।
ଏସମ୍ପର୍କରେ ମୁଖ୍ୟ ଅତିଥି ଏପିଆଇସିଓଏଲ୍‌, ଓଡିଶା ଅଧ୍ୟକ୍ଷ ଶ୍ରୀ ପ୍ରଭାତ ଆଦିତ୍ୟ ମିଶ୍ର କହିଛନ୍ତି, ‘ପ୍ରଥମ ଥର ପାଇଁ ପଶ୍ଚିମ ଓଡିଶାରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଆମେ ଚାଷୀମାନଙ୍କୁ ସବ୍‌ସିଡି ପ୍ରଦାନ କରିବାରେ ନିରନ୍ତର ପ୍ରଗତି କରୁଛୁ । ଏଭଳି କାର୍ଯ୍ୟକ୍ରମ ସଫଳ ଚାଷୀମାନଙ୍କୁ ଆଗଧାଡିକୁ ଆସିବା ପାଇଁ ଏକ ସୁଯୋଗ ପ୍ରଦାନ କରିବ ।
ଏହି ଅବସରରେ ସମ୍ବଲପୁର ଆର୍‌ଡିସି, ଆଇଏଏସ୍ ଡଃ ସୁରେଶ ଚନ୍ଦ୍ର ଦଳାଇ କହିଛନ୍ତି, ‘ଏହି ପ୍ରକାରର କାର୍ଯ୍ୟକ୍ରମ ଚାଷୀମାନଙ୍କୁ ଟେକ୍ନୋଲୋଜି ସହ ଜଡିତ ହେବା ପାଇଁ ଏକ ସୁଯୋଗ ଦେଉଛି । ‘ଗୋ ସୁଗମ୍‌’ ପୋର୍ଟାଲ ମାଧ୍ୟମରେ ଚାଷୀମାନେ ପଞ୍ଜୀକରଣ କରିପାରିବେ ଏବଂ ଟ୍ରାକ୍ଟର, ପାୱାର ଟିଲର୍‌, ହାର୍ଭେଷ୍ଟର୍‌, ରାଇସ୍ ମିଲ୍ ଆଦି ୧୫ ପ୍ରକାରର କୃଷି ଉପକରଣ କ୍ରୟ କରିପାରିବେ । ବର୍ତମାନ ସୁଦ୍ଧା ୪୧୫ ଜଣ ଚାଷୀ ଏହି ପୋର୍ଟାଲରେ ପଞ୍ଜୀକରଣ କରିବା ସହ ୬ କୋଟି ୫୨ ଲକ୍ଷ ଟଙ୍କାର ଉପକରଣ କ୍ରୟ କରିଛନ୍ତି । ଏହି ମେଳା ପଶ୍ଚିମ ଓଡିଶାର ଚାଷୀମାନଙ୍କୁ ଯନ୍ତ୍ରୀକୃତ ଚାଷ (ମେକାନାଇଜ୍‌ଡ ଫାର୍ମିଙ୍ଗ୍‌) ସହ ସଂଯୋଜିତ କରିବ ।
ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରି ସମ୍ବଲପୁର ଜିଲ୍ଲାପାଳ ଓ ଡିଏମ୍ ଆଇଏଏସ୍ ଅନନ୍ୟା ଦାସ କହିଛନ୍ତି, ‘ଅନେକ ଚାଷୀ ଏଠାରେ ଆୟୋଜିତ ହୋଇଥିବା ସେମିନାରଗୁଡିକରୁ ଶିଖିବା ସହ ଉପକୃତ ହୋଇଛନ୍ତି । ଆମେ ମଧ୍ୟ ପ୍ରଗତିଶୀଳ ଚାଷୀମାନଙ୍କଠାରୁ ସେମାନଙ୍କର କାହାଣୀ ଶୁଣିଥିଲୁ । ଆମେ ଆଶା କରୁଛୁ ଯେ, କୃଷକମାନେ ଏଠାରୁ ଯିବା ପରେ ନିଜର ସାଥୀ କୃଷକଙ୍କ ସହ ଏହି ଶିକ୍ଷା ବାଂଟିବେ ।
କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଓଡିଶାର ପଶୁପାଳନ, ପ୍ରାଣୀ ଚିକିତ୍ସା ସେବା ବିଭାଗର ନିର୍ଦ୍ଦେଶକ ଆଇଏଏସ୍ ଡଃ ୟେଦୁଲା ବିଜୟ, ଓଡିଶା ସରକାରଙ୍କ ଏସ୍‌ସି ଆଣ୍ଡ ଡବ୍ଲ୍ୟୁଡି ବିଭାଗର ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା ଆଦି ସାମିଲ ଥିଲେ ।
ଏଠାରେ ପଶ୍ଚିମ ଓଡିଶାର ୪୫ ଜଣ ପ୍ରଗତିଶୀଳ କୃଷକଙ୍କୁ କୃଷି କ୍ଷେତ୍ରରେ ନିଜର ଅସାଧାରଣ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇଛି । କୃଷି ମେଳାର ପ୍ରଥମ ଦୁଇ ଦିନରେ ଲୋକଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ସମୟ ମଧ୍ୟରେ ମେଳାକୁ ୫୦୦୦ରୁ ଉର୍ଦ୍ଧ୍ୱ ଚାଷୀ ଏବଂ ଲୋକଙ୍କ ଆଗମନ ହୋଇଛି ।


Share It

Comments are closed.