ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପ୍ରସ୍ତୁତ ‘ଖଜୁରୀ ଗୁଡ଼’ର ଚାହିଦା


ନୂଆଦିଲ୍ଲୀ, ୨୫ ନଭେମ୍ବର ୨୦୨୩: ତାଳ ଓ ଖଜୁରୀରୁ ପ୍ରସ୍ତୁତ ଗୁଡ଼ ହେଉଛି ଏକ ପାରମ୍ପରିକ ଖାଦ୍ୟ। ଏହା ସ୍ୱାସ୍ଥ୍ୟ ଉପକାରୀ ହୋଇଥିବାରୁ ବର୍ତ୍ତମାନ ସମୟରେ ଏହାର ଭଲ ଚାହିଦା ରହିଛି। ତେଣୁ ଏହି ଗ୍ରାମୀଣ ଉତ୍ପାଦକୁ ରାଜ୍ୟ ସରକାର ବିଶେଷ ପ୍ରୋତ୍ସାହନ ଦେଉଛନ୍ତି। ନୂଆଦିଲ୍ଲୀରେ ଚାଲିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ‘ଓଡ଼ିଶା ପାଭିଲିୟନ’ରେ ଏହି ଖଜୁରୀ ଗୁଡ଼ ଏକ ପ୍ରମୁଖ ଆକର୍ଷଣ ପାଲଟିଛି।

ଓଡ଼ିଶା ପାଭିଲିୟନରେ ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ପକ୍ଷରୁ ଖୋଲାଯାଇଥିବା ଷ୍ଟଲରେ ଏହି ଖଜୁରୀ ଗୁଡ଼ ପ୍ରଦର୍ଶନ ଓ ବିକ୍ରି କରାଯାଉଛି। ଦେଶ ବିଦେଶର ପର୍ଯ୍ୟଟକମାନେ ଏହାକୁ ଆଗ୍ରହର ସହ କିଣୁଛନ୍ତି।

ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳରେ ଲୋକଙ୍କ ଚାଷଜମି ବା ପଡ଼ିଆ ଜମିରେ ତାଳ ଓ ଖଜୁରୀ ଗଛ ଦେଖିବାକୁ ମିଳିଥାଏ। ତେଣୁ ଏହାର ଉପଯୋଗକରି ସ୍ଥାନୀୟ ଲୋକଙ୍କୁ ଜୀବିକା ଦେବା ସହିତ ଗ୍ରାମୀଣ ଅର୍ଥନୀତିର ବିକାଶ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଅଧୀନରେ ଥିବା ୨୩ଟି ପ୍ରାଥମିକ ତାଳଗୁଡ଼ ସମବାୟ ସମିତି ମାଧ୍ୟମରେ ଏହି ଗୁଡ଼ ଉତ୍ପାଦନ କରାଯାଉଛି। ଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଜୀବିକା ପାଉଛନ୍ତି।

ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଅଧୀନରେ କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ଗଜପତି, ଢେଙ୍କାନାଳ, ଅନୁଗୋଳ ଏବଂ ବୌଦ୍ଧ ଜିଲ୍ଲା ରହିଛି। ତା’ ଭିତରୁ ଗଜପତି, ଢେଙ୍କାନାଳ, ଅନୁଗୋଳ ଓ ବୌଦ୍ଧ ଜିଲ୍ଲାରେ ଖଜୁରୀ ଗୁଡ଼ ପ୍ରସ୍ତୁତି ହେଉଛି।

ସୂର୍ଯ୍ୟ ଉଦୟ ପୂର୍ବରୁ ଖଜୁରୀ ଗଛରୁ ରସ ସଂଗ୍ରହ କରାଯାଇଥାଏ। ଏହାକୁ ଚୁଲିରେ ରନ୍ଧାଯାଇ ଗୁଡ଼ ପ୍ରସ୍ତୁତ କରାଯାଇଥାଏ। ପ୍ରାଥମିକ ସମବାୟ ସମିତିଗୁଡ଼ିକଠାରୁ ଗୁଡ଼ ସଂଗ୍ରହ କରାଯିବା ପରେ ଏହାକୁ ପ୍ୟାକେଜିଂ କରାଯାଇଥାଏ। ଗୁଡ଼ ସହିତ ଏଥିରୁ ମିଶ୍ରି ଓ ଚିନି ମଧ୍ୟ ତିଆରି କରାଯାଉଛି। ଏଥିରେ କୌଣସି ରାସାୟନିକ ସାମଗ୍ରୀ ମିଶ୍ରଣ କରାଯାଏ ନାହିଁ। ସମ୍ପୂର୍ଣ୍ଣ ଜୈବିକ ଉପାୟରେ ଏହାକୁ ପ୍ରସ୍ତୁତ କରାଯାଉଛି। ଏଥିରେ ବିଭିନ୍ନ ପ୍ରକାରର ମିନେରାଲ୍ସ ଓ ଭିଟାମିନ୍ ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ରହିଛି। ତେଣୁ ଏହା ଶରୀରରେ ରକ୍ତ ସର୍କରା ସନ୍ତୁଳିତ ରଖିବାରେ ସହାୟକ ହୋଇଥାଏ।


ଏହାଛଡ଼ା ତାଳ, ଖଜୁରୀ ଓ ନଡ଼ିଆ ଗଛର ପତ୍ରରୁ ବିଭିନ୍ନ ଘରୋଇ ଉପକରଣ ଆଦି ତିଆରି କରାଯାଉଛି। ଏସବୁର ବିକ୍ରି ପାଇଁ ସମବାୟ ସଂଘ ପକ୍ଷରୁ ବଜାର ସଂଯୋଗ ବ୍ୟବସ୍ଥା କରାଯାଉଛି। ଏହାଦ୍ୱାରା ରାଜ୍ୟର ୫ ହଜାରରୁ ଅଧିକ ଚାଷୀ ଓ କାରିଗର ଭଲ ଦି’ ପଇସା ରୋଜଗାର କରିପାରୁଛନ୍ତି।

ଭୁବନେଶ୍ୱରର ୟୁନିଟ-୨ ଓ ଗଣ୍ଡମୁଣ୍ଡା ଏବଂ କଟକର ଚାନ୍ଦିନୀଚୌକଠାରେ ଥିବା ଆଉଟଲେଟରେ ଏହା ବିକ୍ରି କରାଯାଉଛି। ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ମେଳାରେ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇ ଏହି ଗୁଡ଼ ବିକ୍ରି କରାଯାଉଛି। ଏହାଛଡ଼ା ତାଳଗୁଡ଼ ସମବାୟ ସଂଘର ୱେବସାଇଟ www.ortss.org ମାଧ୍ୟମରେ ଅର୍ଡର କରି ଏହି ଗୁଡ଼ ପାଇପାରିବେ।


Share It

Comments are closed.