ଯୁଦ୍ଧାସ୍ତ୍ର ନିର୍ମାଣ କ୍ଷେତ୍ରରେ ଭାରତ ଟକ୍କର ଦେବ ରୁଷ ଏବଂ ଆମେରିକାକୁ


ଦେଶର ସୁରକ୍ଷା ଲାଗି କେନ୍ଦ୍ର ସରକାର ଅନେକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଥିବାର ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ରୁଷ ଏବଂ ଆମେରିକାକୁ ଟକ୍କର ଦେଇ ଭାରତ ନିର୍ମାଣ କରିବାକୁଯାଉଛି ଆତ୍ୟାଧୁନିକ ଯୁଦ୍ଧାସ୍ତ୍ର । କେନ୍ଦ୍ରର ବିଜେପି ସରକାରର ଶାସନ କାଳରେ ପ୍ରଧାନମନ୍ତ୍ରୀ ଅନେକ ଦେଶ ଗସ୍ତ କରି ଭାରତ କିପରି ଭାବରେ ସାମରିକ ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ସହ ପ୍ରତିରକ୍ଷା କ୍ଷେତ୍ରରେ କିପରି ଦେଶ ଅଧିକ ଶକ୍ତିଶାଳୀ ହୋଇପାରିବ ସେ ନେଇ ଅନେକ ଯୋଜନା ହାତକୁ ମଧ୍ୟ ନେଇଛନ୍ତି । ତେବେ ବର୍ତ୍ତମାନ ସମୟରେ ଭାରତକୁ ଆହୁରୀ ଅଧିକ ଶକ୍ତିଶାଳୀ କରିବା ଦିଗରେ ଆଉ ଏକ ନୂତନ ଯୋଜନା ଆରମ୍ଭ ହେବାକୁ ଯାଉଛି । ଏକ ଆନ୍ତର୍ଜାତୀୟ ରିପୋର୍ଟରେ ଅନୁଯାୟୀ, ସାମରିକ ଶକ୍ତି ଦୃଷ୍ଟି କୋଣରୁ ଭାରତ ହେଉଛି ଚତୁର୍ଥ । ସେଥିପାଇଁ ଭାରତ ସରକାର ପ୍ରତିରକ୍ଷା ଉତ୍ପାଦନକାରୀ ଶିଳ୍ପ ପ୍ରତିଷ୍ଠା କରିବା ଲାଗି ଏକ ଯୋଜନା କରୁଛନ୍ତି ।
ଏହି ପ୍ରତିରକ୍ଷା ଉତ୍ପାଦନ ଯୋଜନା କିମ୍ବା (ଡିପିପି-୨୦୧୮) ଅନୁଯାୟୀ ଦେଶରେ ସ୍ୱଦେଶୀ ଜ୍ଞାନକୌଶଳର ଯୁଦ୍ଧ ବିମାନଠାରୁ ଆରମ୍ଭ କରି ହେଲିକ୍ୟାପ୍ଟର ଓ ଯୁଦ୍ଧାସ୍ତ୍ର ଆଦି ନିର୍ମାଣ କରାଯିବ ।
ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ଏହି ପ୍ରତିରକ୍ଷା ଉତ୍ପାଦନ ନୀତି (ଡିପିପି-୨୦୧୮)କୁ ଏବେ ଚୂଡାନ୍ତ ସ୍ପର୍ଶ ଦିଆଯିବା ନେଇ ପ୍ରକ୍ରିଆ ଆରମ୍ଭ ହୋଇଯାଇଛି । ଯାହା ଫଳରେ ଏହାକୁ ଖୁବଶ୍ରୀଘ୍ର କ୍ୟାବିନେଟ ମଞ୍ଜୁରୀ ପାଇଁ ଆଗତ କରାଯିବ । ଡିପିପି ୨୦୧୮ ଅନୁସାରେ ଭାରତରେ ଏକ ଷ୍ଟେଟ-ଅଫ-ଦି-ଆର୍ଟ ସାମରିକ ଉତ୍ପାଦନ ନିର୍ମାଣ ପ୍ଲାଟଫର୍ମ ସ୍ଥାପନ କରିବା ଲାଗି ପର୍ଯ୍ୟାପ୍ତ ପୁଞ୍ଜିନିବେଶ କରାଯିବ ।

ଫଳରେ ସ୍ୱଦେଶୀ ଜ୍ଞାନକୌଶଳରେ ଏଠାରେ ଯୁଦ୍ଧ ବିମାନ, ଆକ୍ରମଣକାରୀ ହେଲିକ୍ୟାପ୍ଟର, ବିଭିନ୍ନ ଯୁଦ୍ଧାସ୍ତ୍ର ଉତ୍ପାଦନ କରାଯିବ । ସରକାର ୨୦୨୫ ସୁଦ୍ଧା ସାମାରିକ ସାମାଗ୍ରୀ ଓ ସେବା କ୍ଷେତ୍ରରେ ସରକାର ୧,୭୦,୦୦୦ କୋଟି ଟଙ୍କାର କାରବାର କରିବାର ଲକ୍ଷ୍ୟ ରଖିଛନ୍ତି । ଗତ ୬ ଦଶନ୍ଧି ଧରି ଭାରତ ଯେଉଁସବୁ ସାମାଗ୍ରୀ ଆମଦାନୀ କରୁଛି, ଏହି ଯୋଜନା ମାଧ୍ୟମରେ ତାହା ସବୁ ସ୍ୱଦେଶୀ ଜ୍ଞାନକୌଶଳ ମାଧ୍ୟମରେ ଦେଶରେ ନିର୍ମାଣ କରାଯିବ । ସ୍ୱେଡନର ଏକ ଥିଙ୍କ ଟ୍ୟାଙ୍କ କମ୍ପାନୀ କହିଛି ଯେ ୫ ବର୍ଷ ମଧ୍ୟରେ ମିଲିଟାରି ହାର୍ଡେୱର ଆମଦାନି କରିବାରେ ଭାରତ ବିଶ୍ୱର ସର୍ବବୃହତ ରାଷ୍ଟ୍ରହୋଇଥିବା ବେଳେ ୨୦୦୪-୦୮ ତୁଳନାରେ ବିଗତ ୫ ବର୍ଷ ମଧ୍ୟରେ ଭାରତର ଯୁଦ୍ଧାସ୍ତ୍ର ଆମଦାନୀ ୧୧୧ ପ୍ରତିଶତ ବୃଦ୍ଧି ପାଇଛି ।
ଅନ୍ୟ ପକ୍ଷରେ ସରକାରୀ ତଥ୍ୟରୁ ଜଣାପଡିଛି ଯେ ଗତ ୪ ବର୍ଷ ମଧ୍ୟରେ ଭାରତ ୨.୪୦ ଲକ୍ଷ କୋଟି ଟଙ୍କାର ୧୮୭ଟି ଚୁକ୍ତି କରିଛି । ବର୍ତ୍ତମାନ ସମୟରେ ଭାରତ ଅନେକ ଦେଶରୁ ନିଜର ସାମରିକ ଶକ୍ତି ବିକାଶ କରିବା ପାଇଁ ଯୁଦ୍ଧାସ୍ତ୍ର କିଣୁଛି । ତେଣୁ ଏପରି କରାଗଲେ ନିଶ୍ଚିତ ରୂପରେ ଦେଶ ସାମରିକ ଶକ୍ତିରେ ସ୍ୱାବଲମ୍ବୀ ହୋଇପାରିବା ସହ ପ୍ରତିରକ୍ଷା କ୍ଷେତ୍ରରେ ବିକାଶ ଘଟିବ ।


Share It

Comments are closed.